Latest Odisha News

BREAKING NEWS

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି । ଗୁରୁବାର ଦିନ ଅଧିକାରୀମାନେ ଏହି ଖବରକୁ ନିଶ୍ଚିତ କରିବା ପରେ ଏବେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ମାଲିରେ, ଆତଙ୍କର ଛାୟା ଦୀର୍ଘ ଦିନ ଧରି ଘେରି ରହିଥିବା ବେଳେ ସେଠାରେ ପ୍ରଥମ ଥର ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରାଯାଇଛି । ଯାହା ଘଟଣା ଭାରତ ପାଇଁ କେବଳ ଚିନ୍ତାର କାରଣ ନୁହେଁ ବରଂ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ବର୍ଷର ବିଶ୍ୱସ୍ତରୀୟ ପ୍ରୟାସ ପରେ ମଧ୍ୟ ଅଲ-କାଏଦା ଆତଙ୍କବାଦୀମାନେ କିପରି ବଞ୍ଚିଛନ୍ତି?

୧୯୮୦ ଦଶକରେ ସାଉଦି ଆରବର ଜଣେ ଯୁବକ ଓସାମା ବିନ୍ ଲାଡେନ ସହ ଆରମ୍ଭ ହୋଇଥିଲା ଅଲ-କାଏଦାର ଯାତ୍ରା ।  ଯାହାର ଉଦ୍ଦେଶ୍ୟ ଥିଲା ସାରା ବିଶ୍ୱରେ ମୁସଲିମମାନଙ୍କୁ ଏକତ୍ର କରିବା, ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ବିରୁଦ୍ଧରେ ଏକ ବିଶ୍ୱବ୍ୟାପୀ ଜିହାଦ ଚଳାଇବା । ଯାହାର ସବୁଠାରୁ ଭୟଙ୍କର କାର୍ଯ୍ୟ ଥିଲା ଆମେରିକାର ୨୦୦୧ର ୯/୧୧ ଆକ୍ରମଣ । ଯାହା ବିଶ୍ୱକୁ ଥରାଇ ଦେଇଥିଲା। ଆଉ  ଏହା ପରେ ଆମେରିକା ଅଲ-କାଏଦାକୁ ମାଟିରେ ମିଶାଇବାକୁ ସ୍ଥିର କରିଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି ସାମରିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ, ଏହି ସଂଗଠନ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇନଥିଲା। ଏହା କେବଳ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ଏବେ ମାଲି ଭଳି ଦେଶରେ ପୁଣି ମୁଣ୍ଡ ଟେକିଛି ଏହି ସଂଗଠନ । ଆଉ ଏଥର ତାର ନିଶାନାରେ ଭାରତୀୟ ।

ପୁଣି ଅଲ-କାଏଦା ରାଜୁତି!

୨୦୧୪ ପରଠାରୁ ଇସଲାମିକ୍ ଷ୍ଟେଟ୍ (ISIS)ର ଉତ୍ଥାନ ଅଲ-କାଏଦାକୁ ପଛକୁ ଠେଲି ଦେଇଥିଲା। ଅଲ-କାଏଦାର ପ୍ରଭାବ ହ୍ରାସ ପାଇଥିଲା । କିନ୍ତୁ ଯେତେବେଳେ ଆମେରିକୀୟ କାର୍ଯ୍ୟକଳାପ ISISକୁ ଦୁର୍ବଳ କରିଛି, ସେତେବେଳେ ଏବେ ଅଲ-କାଏଦା ତାର ସୁଯୋଗ ନେଇ  ପୁଣି ଥରେ ମଜବୁତ ହେଉଛି । ମାଲୀର ଏକ ସିମେଣ୍ଟ କାରଖାନାରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ଅପହରଣ ଏକ ସାଧାରଣ ଘଟଣା ନୁହେଁ। ଏହା ଅଲ-କାଏଦାର ନୂଆ ଚେହେରାର ପ୍ରମାଣ। ବର୍ତ୍ତମାନ ଏହି ସଂଗଠନ ଆଫଗାନିସ୍ତାନ ପରିବର୍ତ୍ତେ ଏକ ଛାୟା ନେଟୱାର୍କ ପରି କାମ କରୁଛି । ମାଲିରେ ସକ୍ରିୟ ଥିବା ଅଲ-କାଏଦା ଇନ୍ ଦି ଇସଲାମିକ୍ ମାଘରେବ୍ (AQIM) ଏହି ଅପହରଣ କରିଛି। ଏହି ଗୋଷ୍ଠୀ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ସହିତ ସହଯୋଗରେ କାମ କରୁଛି । ମାଲି ଭଳି ଦେଶ, ଯେଉଁଠାରେ ସରକାରଙ୍କ ନିୟନ୍ତ୍ରଣ ଢିଲା ଏବଂ ଅରାଜକତାର ପରିବେଶ ଅଛି, ସେଠି ଅଲ-କାଏଦା ଆତଙ୍କବାଦୀଙ୍କ ବିକାଶ ପାଇଁ ଏକ ଦୃଢ ପରିସଂସ୍ଥା ଯୋଗାଇଛି । ଯେଉଁଠି ପୁଣି ନିଜର ଅରାଜକତା ଆରମ୍ଭ କରିଦେଇଛି ଏହି ସଂଗଠନ । ଅଲ-କାଏଦା ଇଣ୍ଟରନେଟ୍ ୟୁଟ୍ୟୁବ, ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ, ଯୁବପିଢ଼ିଙ୍କୁ ବିଶ୍ୱ ଜିହାଦର ପ୍ରଲୋଭନ ଦେଖାଇ ତାର ନେଟୱାର୍କ ବିସ୍ତାର କରୁଛି । ଅଲ-କାଏଦା ଏବେ ମୁକ୍ତପଣ, ନିଶାଦ୍ରବ୍ୟ ଚାଲାଣ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଭଳି ଅବୈଧ ବ୍ୟବସାୟ ମାଧ୍ୟମରେ ନିଜକୁ ପାଣ୍ଠି ଯୋଗାଉଛି ।

ଏବେବି ମୁସଲିମ ଦେଶ ଅଲ-କାଏଦାକୁ ସମର୍ଥନ କରୁଛନ୍ତି?

୯୦ ଦଶକରେ, ଅଲ-କାଏଦା ଅନେକ ମୁସଲିମ ଦେଶଗୁଡ଼ିକରୁ ଗୁପ୍ତ ସମର୍ଥନ ପାଉଥିଲା, ବିଶେଷକରି ଯେଉଁମାନେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଥିଲେ। କିନ୍ତୁ ୯/୧୧ ପରେ, ଏହାର ପ୍ରତିଛବିରେ ବଡ଼ ଆଘାତ ଲାଗିଥିଲା। ଏହାର ନେତାମାନେ କିଛି ଦେଶରେ ଆଶ୍ରୟ ପାଇବା ଜାରି ରଖିଲେ। ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ହେଉଛି ଇରାନ। ଏହି ସିଆ-ପ୍ରଧାନ ଦେଶ ଏବଂ ସୁନ୍ନି ମୌଳବାଦୀ ଅଲ-କାଏଦା ମଧ୍ୟରେ କୌଣସି ଆଦର୍ଶଗତ ମେଳ ନାହିଁ, ତଥାପି ୯/୧୧ ପରେ, କିଛି ଅଲ-କାଏଦା ନେତା ଇରାନରେ ଆଶ୍ରୟ ପାଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଆମେରିକୀୟ ଏବଂ ଇସ୍ରାଏଲୀ ଗୁପ୍ତଚର ସଂସ୍ଥାଗୁଡ଼ିକ ଦାବି କରନ୍ତି ଯେ ଏସବୁ ଆମେରିକା ବିରୁଦ୍ଧରେ ଇରାନର ରଣନୀତିର ଏକ ଅଂଶ ଥିଲା ।

ଭାରତ ପାଇଁ କେତେ ଚିନ୍ତାଜନକ?

ମାଲିର ଭାରତୀୟ ଶ୍ରମିକଙ୍କ ଅପହରଣ ଭାରତ ପାଇଁ ଏକ ଚେତାବନୀ । ଏହା ଦର୍ଶାଉଛି ଯେ ଆଲ-କାଏଦା ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଭାରତକୁ ମଧ୍ୟ ଟାର୍ଗେଟ କରିପାରନ୍ତି । ମାଲି ଭଳି ଅସ୍ଥିର ଦେଶରେ କାମ କରୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସ୍ଥାନୀୟ ପ୍ରଶାସନ ସହିତ ମିଶି ଏପରି ଘଟଣା ରୋକିବା ପାଇଁ ଭାରତୀୟ ଦୂତାବାସ ଏବଂ ସରକାରଙ୍କୁ ଏକ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଏହା ସହିତ, ବିଶ୍ୱ ସ୍ତରରେ ଆତଙ୍କବାଦ ବିରୁଦ୍ଧରେ ସହଯୋଗକୁ ଆହୁରି ମଜବୁତ କରିବାକୁ ପଡିବ।

ଅଲ-କାଏଦାର ଆତଙ୍କ ପୁରୁଣା ରୂପରେ ନ ଥାଇପାରେ, କିନ୍ତୁ ଏହା ଆଜି ମଧ୍ୟ ବଞ୍ଚି ରହିଛି। ଏହା ସମୟ ସହିତ ତାର ରଙ୍ଗ ପରିବର୍ତ୍ତନ କରିଚାଲିଛି, କେତେବେଳେ ଆଫଗାନିସ୍ତାନର ପାହାଡ଼ରେ, କେତେବେଳେ ୟେମେନର ରାସ୍ତାରେ ଏବଂ ଏବେ ମାଲିର ବାଲିରେ। ଏହି ସଂଗଠନ ଏବେ ବି ତାର କାୟା ମେଲାଇ ବସିଛି । ଯାହା ଆତଙ୍କବାଦ ବିରୁଦ୍ଧରେ ବିଶ୍ବ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

Comments are closed.