ନୂଆଦିଲ୍ଲୀ: ଚୀନ୍, ପାକିସ୍ତାନ ଓ ବାଂଲାଦେଶ ଏକାଠି। ଦକ୍ଷିଣ ଏସୀୟ ଦେଶର ଖରାପ ଆର୍ଥିକ ସ୍ଥିତି। ବଢିଲା ଭାରତର ଚିନ୍ତା। ଏନେଇ ଚେତାଇଛନ୍ତି ଦେଶର ସବୁଠୁ ବଡ଼ ସେନା ଅଧିକାରୀ ସିଡିଏସ୍ ଅନିଲ ଚୌହାନ। ଭାରତ ମହାସାଗରୀୟ କ୍ଷେତ୍ରରେ ଅନେକ ଦେଶ ଆର୍ଥିକ ସଂକଟର ସାମନା କରୁଛନ୍ତି। ଏହାର ଫାଇଦା ଉଠାଇ ବାହାର ଦେଶ ଋଣ କୁଟନୀତିର ପ୍ରୟୋଗ କରି ନିଜ ପ୍ରଭାବ ବିସ୍ତାର କରୁଛି। ଫଳରେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ସିଡିଏସ୍ ଅନିଲ ଚୌହାନ କହିଛନ୍ତି।
ଭାରତ ପାଇଁ କିଭଳି ଚ୍ୟାଲେଞ୍ଜ?
ପୂର୍ବରୁ ହିଁ ଚୀନ୍ ଓ ପାକିସ୍ତାନ ମଧ୍ୟରେ ସେନା ଓ ଆର୍ଥିକ ସହଯୋଗ ରହିଛି। ଗତ 5ବର୍ଷ ମଧ୍ୟରେ ପାକିସ୍ତାନ ନିଜ ଅସ୍ତ୍ରଶସ୍ତ୍ର ଓ ସାମରିକ ସାମଗ୍ରୀର 70ରୁ 80 ପ୍ରତିଶତ ଚୀନଠାରୁ ନେଇଛି। ପାକିସ୍ତାନରେ ଚୀନର ବଡ଼ ନିବେଶ ବି ସୁଦୃଢ ଆର୍ଥିକ ସଂପର୍କର ଉଦାହରଣ। କୌଣସି ଅନ୍ୟ ଦେଶକୁ ଟାର୍ଗେଟ୍ କରିବାକୁ ପାକିସ୍ତାନକୁ ସେନା ସହାୟତା ଯୋଗାଉ ନଥିବା ଚୀନ୍ କହିଛି। ତେବେ ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନକୁ ଚୀନଠାରୁ ସେନା ସହାୟତା ମିଳିଥିଲା। ଏବେ ଚୀନ୍ ଓ ପାକିସ୍ତାନ ସହ ବାଂଲାଦେଶ ଯୋଡି ହୋଇଛି। ବାଂଲାଦେଶରେ ଶେଖ ହସିନା ସରକାର ହଟିବା ପରଠୁ ଅନ୍ତରୀଣ ସରକାରଙ୍କର ଭାରତ ବିରୋଧୀ ମନୋବୃତ୍ତି ବାରମ୍ବାର ସାମନାକୁ ଆସିଛି। ତେଣୁ ତିନି ଆଡୁ ଚ୍ୟାଲେଞ୍ଜର ସାମନା କରିପାରେ ଭାରତ।
ଆଞ୍ଚଳିକ ସ୍ଥିରତା ଉପରେ ପ୍ରଭାବ
ଚୀନ୍ ପାକିସ୍ତାନକୁ ସକ୍ରିୟ ଭାବେ ସହାୟତା କରୁଥିବା ଅପରେସନ୍ ସିନ୍ଦୂର ବେଳେ ସ୍ପଷ୍ଟ ହୋଇଥିଲା। ଭବିଷ୍ୟତରେ ଏଭଳି ସ୍ଥିତିରେ ସେମାନଙ୍କ ସହ ବାଂଲାଦେଶ ସାମିଲ ହୋଇଗଲେ ଭାରତ ପାଇଁ ସ୍ଥିତି ଗମ୍ଭୀର ହୋଇପାରେ। ଏହି ତିନିଦେଶ ମିଳିତ ଭାବେ କାମ କଲେ , ଭାରତକୁ ଉତ୍ତର, ପଶ୍ଚିମ ଓ ପୂର୍ବ ସୀମାରେ ଏକାସାଙ୍ଗରେ ଭୂ-ରାଜନୈତିକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ। ଫଳରେ ଆଞ୍ଚଳିକ ସ୍ଥିରତା ଓ ଭାରତର ସୁରକ୍ଷା ଉପରେ ପ୍ରଭାବ ପଡିପାରେ। ଚୀନର ସେନା କୌଶଳ, ପାକିସ୍ତାନର ଆତଙ୍କବାଦୀ ପ୍ରାୟୋଜିତ ରଣନୀତି ଓ ବାଂଲାଦେଶର ଭୂ-ରାଜନୈତିକ ସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସିଡିଏସ୍ ଅନିଲ ଚୌହାନ ଏନେଇ ଇସାରା କରିଛନ୍ତି।
ଚୀନ୍, ପାକିସ୍ତାନ, ବାଂଲାଦେଶ ଏକାଠି !
ଗତ ମାସ ଚୀନର କୁନମିଙ୍ଗରେ ଚୀନ୍, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ବାଂଲାଦେଶ ଏହାକୁ ଅଣରାଜନୈତିକ ଆଲୋଚନା କହିଥିଲେ ମଧ୍ୟ ଭାରତ ପାଇଁ ଏହା ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି। ଶେଖ ହସିନା ସରକାର ହଟିବା ପରଠୁ ପାକିସ୍ତାନ ବାଂଲାଦେଶ ସହ ସଂପର୍କ ସୁଧାରିବାରେ ଲାଗିଛି। ଏହାସହ ମିଆଁମାରରେ ଗୃହଯୁଦ୍ଧ ଓ ସେଠାରେ ଚୀନର ପ୍ରଭାବ ବୃଦ୍ଧି ଭାରତର ପୂର୍ବ ସୀମାରେ ଚିନ୍ତାର କାରଣ ହୋଇଛି।
କେମିତି ସାମନା କରିବ ଭାରତ?
ନୂଆ ଭୂ-ରାଜନୈତିକ ଦୃଶ୍ୟପଟ୍ଟର ସାମନା କରିବାକୁ ଲମ୍ବା ସମୟ ଧରି ପ୍ରସ୍ତୁତି କରୁଛି ଭାରତ। ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନ ସହ ସଂଘର୍ଷ ବେଳେ ଭାରତ ଇଲେକ୍ଟ୍ରୋନିକ ଓ୍ବାରଫେୟାର, ସାଇବର ଓ ଡ୍ରୋନ୍ ଯୁଦ୍ଧରେ ନିଜ କ୍ଷମତା ଦେଖାଇଛି। ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣକୁ ବିଫଳ କରିଛି। ଗତ କିଛି ବର୍ଷ ହେଲା ଭାରତ ନିଜ ଅସ୍ତ୍ରଶସ୍ତ୍ର ଭଣ୍ଡାରର ଆଧୁନିକୀକରଣ ଓ ସ୍ବଦେଶୀକରଣ ଉପରେ ଗୁରୁତ୍ବ ଦେଇଛି। ସେନା ପ୍ରସ୍ତୁତି ସହ କୁଟନୈତିକ ଓ ଆର୍ଥିକ ପ୍ରସ୍ତୁତି ମଧ୍ୟ ଭାରତ କରିଛି। କ୍ବାଡ୍ ଓ ବ୍ରିକ୍ସ ପରି ମଞ୍ଚରେ ନିଜ ସ୍ଥିତି ମଜବୁତ କରିଛି।
Comments are closed.