ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍’ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା।
ଏହି ପୁରସ୍କାର ୱେଲୱିଟସ୍ଚିଆ ମିରାବିଲିସ୍ ନାମକ ଏକ ଅତ୍ୟନ୍ତ ବିରଳ ଏବଂ ପ୍ରାଚୀନ ମରୁଭୂମି ଉଦ୍ଭିଦ ନାମରେ ନାମିତ ହୋଇଛି। ଯାହା କେବଳ ନାମିବିୟାରେ ମିଳିଥାଏ। ଏହି ଉଦ୍ଭିଦକୁ ସଂଘର୍ଷ, ଦୀର୍ଘାୟୁତ୍ୱ ଏବଂ ସ୍ଥିରତାର ପ୍ରତୀକ ଭାବରେ ବିବେଚନା କରାଯାଏ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମିବିୟାର ରାଷ୍ଟ୍ରପତି ଡକ୍ଟର ନେତୁମ୍ବୋ ନନ୍ଦୀ-ନଦାଇଟୱଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଭାରତ-ନାମିବିୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉଭୟ ନେତା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସୁରକ୍ଷା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଆମେ ବାଣିଜ୍ୟ, ଶକ୍ତି ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବା ବିଷୟରେ ମଧ୍ୟ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀ ମୋଦି ‘ପ୍ରୋଜେକ୍ଟ ଚିତା’ରେ ନାମିବିୟାରୁ ମିଳିଥିବା ସହଯୋଗ ପାଇଁ ବିଶେଷ ଭାବରେ କୃତଜ୍ଞତା ପ୍ରକାଶ କରିଛନ୍ତି।
Comments are closed.