ଭୁବନେଶ୍ବର: ୧୧ତାରିଖରେ ଓଡିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର। ତୃଣମୂଳସ୍ତରର କର୍ମୀରୁ ନେତାଙ୍କ ମନରେ ଜୋଶ୍ ଭରିବେ ରାହୁଲ। ରାଜନୈତିକ ସମୀକ୍ଷକ ରାହୁଲଙ୍କ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ରାଜ୍ୟରେ ବିଜେପି ସରକାର ବିଭିନ୍ନ କାରଣରୁ ସମାଲୋଚନାର ଶିକାର ହୋଇଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ସେଭଳି ସକ୍ରିୟ ଭୂମିକାରେ ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ କଂଗ୍ରେସ ପାଇଁ ଶୂନ୍ୟସ୍ଥାନ ରହିଛି। ତେବେ ପ୍ରଶ୍ନ ଉଠୁଛି, ରାହୁଲଙ୍କ ମନ୍ତ୍ର ରାଜ୍ୟ କଂଗ୍ରେସକୁ ସଂଜୀବନୀ ଦେବ କି?
ରାଜନୈତିକ ଶୂନ୍ୟସ୍ଥାନ ଓ କଂଗ୍ରେସ
ଦୀର୍ଘ ୨୬ବର୍ଷ ଧରି କ୍ଷମତାଠୁ ଦୂରରେ ରହିଛି କଂଗ୍ରେସ। କେତେବେଳେ ଦୁର୍ବଳ ସଂଗଠନ ତ କେତେବେଳେ ଅନ୍ତକନ୍ଦଳ ଯୋଗୁଁ ଚର୍ଚ୍ଚାରେ ରହିଛି ଦଳ। ହେଲେ ଏବେ ରାଜ୍ୟ ରାଜନୀତିରେ କଂଗ୍ରେସ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ଗତ ବର୍ଷକ ଭିତରେ ସେଭଳି ପ୍ରଦର୍ଶନ କରିପାରିନି। ସଫଳତାଠାରୁ ଅଧିକ ସମାଲୋଚନା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସରକାର। ସେପଟେ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡି ବି ଆଭ୍ୟନ୍ତରୀଣ କନ୍ଦଳ ସହ ଯୁଝୁଛି। ଫଳରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଠାରୁ ଯେଉଁଭଳି ବିରୋଧ ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳୁନି। ତେଣୁ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟର ଏହି ଶୂନ୍ୟସ୍ଥାନ କଂଗ୍ରେସ ପାଇଁ ବଡ଼ ସୁଯୋଗ ହୋଇପାରେ।
ସଂଖ୍ୟା କମ୍ ବିରୋଧ ଅଧିକ !
ରାଜ୍ୟ ବିଧାନସଭାରେ କଂଗ୍ରେସର ମାତ୍ର ୧୪ଜଣ ବିଧାୟକ ରହିଛନ୍ତି। ହେଲେ ଗତ ବର୍ଷକ ମଧ୍ୟରେ ସରକାରଙ୍କୁ ବିଜେଡିଠାରୁ ଅଧିକ ଘେରିଛି କଂଗ୍ରେସ। ବିଧାନସଭା ହେଉ କି ରାଜରାସ୍ତା ଅଧିକ ଶୁଭିଛି କଂଗ୍ରେସର ଗର୍ଜନ। ବିରୋଧୀ ଦଳ ନମ୍ବର ଟୁରୁ ଧୀରେ ଧୀରେ ଜନତାଙ୍କ ମନରେ ନମ୍ବର ଓ୍ବାନ୍ ସ୍ଥାନ କବଜା କରିବାକୁ ଦଳ ଉଦ୍ୟମ କରୁଛି। ବିଶେଷ କରି ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ପରଠୁ ଅଧିକ ସଂଗଠିତ ନଜର ଆସିଛି କଂଗ୍ରେସ। ଦଳର ଛାମୁଆ ସଂଗଠନ ମଧ୍ୟ ସ୍ବର ମିଳାଇଛନ୍ତି। ତେଣୁ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କଂଗ୍ରେସର କର୍ମୀ ଓ ନେତାଙ୍କ ପାଇଁ ବୁଷ୍ଟର ଡୋଜ୍ ସାବ୍ୟସ୍ତ ହୋଇପାରେ।
ଉଠିବ ହାତ…ରାହୁଲ ଦେବେ ଗୁରୁମନ୍ତ୍ର
ମହିଳା ସୁରକ୍ଷା ହେଉ କି ଶରଧାବାଲି ଦଳାଚକଟା, ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ୍ କରୁଛି କଂଗ୍ରେସ। ଯେବେକି ବିଜେଡି ସପୋର୍ଟିଂ ଭୂମିକାରେ ନଜର ଆସୁଛି। ଓ୍ବାକଫ୍ ସଂଶୋଧନ ବିଲ ଭୋଟିଂ ପରେ ତ ବିଜେଡି କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। ଏଭଳି ସ୍ଥିତିରେ କଂଗ୍ରେସ ଆପାତତଃ ଏକାଠି ନଜର ଆସୁଛି। ଆଗକୁ କଲେଜ ଇଲେକ୍ସନ୍ ହୋଇପାରେ। ତେଣୁ ଛାତ୍ର କଂଗ୍ରେସକୁ ସଂଜୀବନୀ ଦେଇପାରନ୍ତି ରାହୁଲ। ପଞ୍ଚାୟତ ନିର୍ବାଚନ ପାଇଁ ବି ସମରସଜ୍ଜା କରିବା ଦିଗର ରାହୁଲଙ୍କ ବାର୍ତ୍ତା ଜୋଶ୍ ଭରିବ। ତୃଣମୂଳସ୍ତରରୁ କର୍ମୀଙ୍କୁ ସଂଗଠିତ କରିବା ସହ ଘରସଜାଡିବ କଂଗ୍ରେସ। ଏଥିସହ ଅନ୍ୟ ଦଳକୁ ଯାଇଥିବା କିଛି ନେତା ପୁଣି କଂଗ୍ରେସକୁ ଫେରିବାକୁ ମନ ବଳାଇ ପାରନ୍ତି।
ଓଡିଶା କଂଗ୍ରେସ ପାଇଁ ଦିଲ୍ଲୀରୁ ରୋଡମ୍ୟାପ ନେଇ ଆସିବେ ରାହୁଲ ଗାନ୍ଧୀ। ଗତ ନିର୍ବାଚନରେ ଗୋଷ୍ଠୀ କନ୍ଦଳ, ପାଣ୍ଠି ଅଭାବ ଓ ଅସଜଡା ସଂଗଠନ ସତ୍ବେ ୧୪ସିଟ୍ ଜିତିଥିଲା କଂଗ୍ରେସ। ସେତେବେଳେ ଓଡିଶାକୁ ସେଭଳି ଫୋକସ୍ କରିନଥିଲେ କଂଗ୍ରେସ ହାଇକମାଣ୍ଡ। ଏଥର ସବୁ ବିଫଳତାକୁ ସଜାଡି ପୁଣି ହାତ ମୁଠା ଟାଣ କରିବାକୁ ଉଦ୍ୟମ କରିବ ଦଳ। ଆଉ ପଞ୍ଚାୟତ ନିର୍ବାଚନ ହେବ ଦଳ ପାଇଁ ଅଗ୍ନିପରୀକ୍ଷା। ତେଣୁ ରାହୁଲ ଗାନ୍ଧୀଙ୍କ ଗସ୍ତ ରାଜ୍ୟ କଂଗ୍ରେସ ପାଇଁ ବଡ଼ ବୁଷ୍ଟ ହେବ ବୋଲି କୁହାଯାଉଛି।
Comments are closed.