Latest Odisha News

BREAKING NEWS

ତେଜସ୍ବୀଙ୍କ ପ୍ରସଙ୍ଗ ପାଣିଚିଆ କରିବାକୁ ନୀତିଶଙ୍କ ପ୍ଲାନ୍ !

ନୂଆଦିଲ୍ଲୀ: ପୁରୁଣା ଫର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରୀ କ୍ଷେତ୍ରରେ ବିହାର ମୂଳ ନିବାସୀ ମହିଳାଙ୍କୁ ୩୫ପ୍ରତିଶତ ସଂରକ୍ଷଣ ଘୋଷଣା କରି ବଡ଼ ଗୋଟି ଚଳାଇଛନ୍ତି ନୀତିଶ । ତାଙ୍କର ଏଇ ଘୋଷଣା ବିରୋଧୀଙ୍କ ପ୍ରସଙ୍ଗକୁ ପାଣିଚିଆ କରିପାରେ । କାରଣ ସରକାରକୁ ଆସିଲେ ବାସସ୍ଥାନ ନୀତି ଓ ମହିଳାଙ୍କୁ ଆର୍ଥିକ ସହାୟତା ନେଇ ପ୍ରତିଶ୍ରୁତି ଦେଇଛନ୍ତି ତେଜସ୍ବୀ ଯାଦବ । ବିହାରରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୫ପ୍ରତିଶତ ସଂରକ୍ଷଣ ପୂର୍ବରୁ ହିଁ ଲାଗୁ ହୋଇଛି । ହେଲେ ନିକଟରେ ହୋଇଥିବା ଘୋଷଣାରେ ମୂଳ ନିବାସୀକୁ ଜୋର ଦିଆଯାଇଛି । ତେଣୁ ମହିଳାଙ୍କ ପାଇଁ ଏବେଠୁ ଶହେ ପ୍ରତିଶତ ବାସସ୍ଥାନ ନୀତି ଲାଗୁ କରିଛନ୍ତି ନୀତିଶ ସରକାର । ତେବେ ପ୍ରଶ୍ନ ଉଠୁଛି, ନୀତିଶଙ୍କ ଘୋଷଣା ତେଜସ୍ବୀଙ୍କ ପ୍ରତିଶ୍ରୁତିର କାଟ୍ କି?

ବିରୋଧୀଙ୍କ ପ୍ରସଙ୍ଗ ପାଣିଚିଆ କରିବାକୁ ପ୍ଲାନ୍ !

ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଜନତାଙ୍କୁ ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମରେ ମହାଗଠବନ୍ଧନ ସରକାର ବନାଇଲେ ମାଇ ବେହେନ ଯୋଜନା ଲାଗୁ କରି ମହିଳାଙ୍କୁ ପ୍ରତିମାସ ଅଢେଇ ହଜାର ଟଙ୍କା ଦେବେ । ଦ୍ବିତୀୟରେ ସରକାରୀ ଚାକିରି ପାଇଁ ଶହେ ପ୍ରତିଶତ ବାସସ୍ଥାନ ନୀତି ବା ଡୋମିସାଇଲ୍ ପଲିସି ଲାଗୁ କରାଯିବ । ଏହି ଦୁଇ ପ୍ରତିଶ୍ରୁତି ଦ୍ବାରା ମହିଳା ଓ ଯୁବକଙ୍କ ଭୋଟବ୍ୟାଙ୍କ ନିଜ ଆଡକୁ ଆଣିବାକୁ ରହିଛି ପ୍ଲାନ୍ । ତେବେ ପ୍ଲାନକୁ ନିଜ ଘୋଷଣାରେ  କାଉଣ୍ଟର କରିଛନ୍ତି ନୀତିଶ । ଉଭୟ ମହିଳା ଓ ଯୁବ ଭୋଟବ୍ୟାଙ୍କ ହାତେଇବାକୁ କାଉଣ୍ଟର ରଣନୀତି କରିଥିବା କୁହାଯାଉଛି ।

ମହିଳା ଭୋଟ୍ ଉପରେ ନଜର

ବିହାରରେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ପ୍ରାୟ ୧୬ପ୍ରତିଶତ ଭୋଟ ନିଜ ପାଖରେ ରଖିବାରେ ସଫଳ ହୋଇଛନ୍ତି । ଏହା ପଛର କାରଣ ହେଉଛି ଦଳକୁ ଲଗାତର ମହିଳା ଭୋଟରଙ୍କ ସମର୍ଥନ ମିଳିଛି । ମହିଳା ଜେଡିୟୁର କୋର୍ ଭୋଟର ରହିଛନ୍ତି। ବିହାରରେ ଗତ ତିନିଟି ନିର୍ବାଚନରେ ଭୋଟିଂ ପାଟର୍ଣ୍ଣ ଦେଖିଲେ ଜଣାପଡୁଛି, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟର୍ଣ୍ଣ ଆଉଟ୍ ଅଧିକ ରହିଛି । ୨୦୨୦ ବିଧାନସଭା ନିର୍ବାଚନରେ ୫୪.୬ପ୍ରତିଶତ ପୁରୁଷ ମତଦାନ କରିଥିବା ବେଳେ ୫୯.୭ପ୍ରତିଶତ ମହିଳା ଭୋଟ୍ ଦେଇଥିଲେ । ୨୦୧୫ ଓ ୨୦୧୦ ନିର୍ବାଚନରେ ମଧ୍ୟ ସମାନ ଭୋଟିଂ ପାଟର୍ଣ୍ଣ ଦେଖିବାକୁ ମିଳିଥିଲା । ୨୦୧୦ରେ ପୁରୁଷଙ୍କ ତୁଳନାରେ ୧.୫ପ୍ରତିଶତ ମହିଳା ଅଧିକ ଭୋଟ୍ କରିଥିବା ବେଳେ ୨୦୧୫ରେ ମହିଳାଙ୍କ ଟର୍ଣ୍ଣ ଆଉଟ୍ ୯.୩ ପ୍ରତିଶତ ଅଧିକ ରହିଥିଲା । ତେଣୁ ମହିଳା ଭୋଟକୁ ଫୋକସ କରୁଛନ୍ତି ସବୁ ଦଳ । ବିହାରର ମୂଳ ନିବାସୀ ମହିଳାଙ୍କୁ ସଂରକ୍ଷଣ ଘୋଷଣା କରି ମଉକାରେ ଚଉକା ଲଗାଇବାକୁ ଉଦ୍ୟମ କରିଛନ୍ତି ନୀତିଶ ।

ତେଜସ୍ବୀ ଚଳାଇଛନ୍ତି ବଡ଼ ଗୋଟି

ସାଇକେଲ୍ ବଣ୍ଟନଠାରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ମହିଳା ଭୋଟବ୍ୟାଙ୍କକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ଚଳାଇଛନ୍ତି ନୀତିଶ କୁମାରଙ୍କ ସରକାର । ମଦବନ୍ଦ ନିଷ୍ପତ୍ତି ପରେ ମଧ୍ୟ ମହିଳାଙ୍କ ମଧ୍ୟରେ ଜେଡିୟୁ ପ୍ରତି ସମର୍ଥନ ମଜବୁତ ହୋଇଛି । ତେବେ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ସହାୟତା ପ୍ରଦାନ ନେଇ ଘୋଷଣା କରି ବଡ଼ ଗୋଟି ଚଳାଇଛନ୍ତି ତେଜସ୍ବୀ ଯାଦବ । ପୂର୍ବରୁ ପଞ୍ଜାବ, ମଧ୍ୟପ୍ରଦେଶଠାରୁ ଆରମ୍ଭ କରି ହରିୟାଣା, ଝାରଖଣ୍ଡ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ଆର୍ଥିକ ସହାୟତା ଯୋଜନା ଓ୍ବିନିଂ ଫର୍ମୁଲା ସାବ୍ୟସ୍ତ ହୋଇଛି । ବିହାର ନିର୍ବାଚନ ଘୋଷଣା ହେବା ପୂର୍ବରୁ ହିଁ ଏନେଇ ଘୋଷଣା କରି ଏନଡିଏକୁ ଦ୍ବନ୍ଦ୍ବରେ ପକାଇ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ନୀତିଶଙ୍କ ଘୋଷଣା ହେବ କି ତେଜସ୍ବୀଙ୍କ ଗୋଟିର କାଉଣ୍ଟର?

Comments are closed.