ନୂଆଦିଲ୍ଲୀ: ପାକିସ୍ତାନରେ ଘରେ ବାଘ ପାଳିବା ସଉକକୁ ନେଇ ବିବାଦ । ଗତ ସପ୍ତାହରେ ପଞ୍ଜାବର ଲାହୋରରେ ପିଞ୍ଜରାରୁ ଖସି ଯାଇଥିବା ଏକ ବାଘ ଆକ୍ରମଣରେ ଜଣେ ମହିଳା ଓ ଦୁଇଜଣ ପିଲା ଆହତ ହୋଇଛନ୍ତି । ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ୫ ଓ ୭ବର୍ଷୀୟ ଦୁଇ ପିଲାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ବାଘର ମାଲିକକୁ ଗିରଫ କରାଯାଇଛି । ତେବେ ଘଟଣା ପରେ ବାଘ ପାଳିଥିବା ଲୋକଙ୍କ ପ୍ରତି ଆକ୍ରୋଶ ବଢିଛି । ବେଆଇନ୍ ଭାବେ ଘରେ ବାଘ ରଖିବା ବିରୋଧରେ ଆକ୍ସନ୍ ମୋଡକୁ ଆସିଛନ୍ତି ପାକିସ୍ତାନୀ ଅଧିକାରୀ । ତେବେ ସେଠାରେ ପୋଷା ବାଘ ଉପରେ କଟକଣା ଲଗାଇବା କଷ୍ଟକର ।
ପାକିସ୍ତାନରେ ପୋଷା ବାଘ ସଉକ
ସମାଜରେ ନିଜ ଦବଦବା ଦେଖାଇବାକୁ ପାକିସ୍ତାନରେ ଲୋକେ ଘରେ ପୋଷା ବାଘ ରଖନ୍ତି । ତେବେ ଗତ ୧୦ବର୍ଷ ହେଲା ସୋସିଆଲ୍ ମିଡିଆ ପାଇଁ ପାକିସ୍ତାନରେ ପୋଷା ବାଘ ଟ୍ରେଣ୍ଡ ବଢିବାରେ ଲାଗିଛି । କେବଳ ପଞ୍ଜାବ ପ୍ରାନ୍ତରେ ଘରେ ଓ ପ୍ରଜନନ ଫାର୍ମରେ ୫୮୪ଟି ସିଂହ ଓ ବାଘ ରହିଥିବା ବନ୍ୟଜୀବ ଓ ଉଦ୍ୟାନ ବିଭାଗ କହିଛି । ତେବେ ଦେଶରେ ଅନେକ ବେଆଇନ୍ ଭାବେ ମଧ୍ୟ ବାଘ ଓ ସିଂହ ଘରେ ରଖିଛନ୍ତି । ଅନେକ କାରର ପଛ ସିଟରେ ବାଘକୁ ବସାଇ ନିଜର ଷ୍ଟାଟସ ଦେଖାନ୍ତି ତ ଆଉ କିଛି ପୋଷା କୁକୁର ବୁଲାଇବା ଭଳି ପୋଷା ବାଘକୁ ବୁଲାଇ ନିଅନ୍ତି । ତେବେ ଅନେକ ସମୟରେ ପୋଷା ବାଘଙ୍କୁ ଖରାପ ସ୍ଥିତିରେ ବି ରଖାଯାଏ । ଘରର ପଛପଟେ ଥିବା ଖାଲି ଜାଗାରେ ଅନେକ ଲୋକ ବାଘ ରଖନ୍ତି । ସେମାନଙ୍କ ପଞ୍ଝା କାଟି ଦେବା ସହ ବାଘଙ୍କୁ ବେହୋସ ରଖାଯାଏ । କେବଳ ଫଟୋ ଉଠାଇବା ପାଇଁ ସେମାନଙ୍କୁ ବ୍ୟବହାର କରାଯାଏ ।
ଏଇଥି ପାଇଁ ଆକ୍ରାମକ ହୁଅନ୍ତି ବାଘ, ସିଂହ
ଯେପରି ସିଂହ ଛୁଆ କାହାର କ୍ଷତି କରିବେନି ସେଥିପାଇଁ ସେମାନଙ୍କ ଧାରୁଆ ପଞ୍ଝାକୁ ପିଲାଦିନରୁ ହିଁ କାଟି ଦିଆଯାଏ । ତେବେ ଏହି ଯନ୍ତ୍ରଣାଦାୟୀ ପ୍ରକ୍ରିୟା ଯୋଗୁଁ ସିଂହ ଆହୁରି ଅଧିକ ଆକ୍ରାମକ ହୋଇଯାଆନ୍ତି । ସେମାନଙ୍କୁ ଶାନ୍ତ ରଖିବାକୁ ଡ୍ରଗ୍ସ ବି ଦିଆଯାଏ। ପାକିସ୍ତାନରେ ପୂର୍ବରୁ ବି ବାଘ ଓ ସିଂହ ପାଳି ଆସୁଛନ୍ତି ଲୋକେ । ତେବେ ସୋସିଆଲ୍ ମିଡିଆ ପାଇଁ ଏବେ ଟ୍ରେଣ୍ଡ ବଢିଛି । ପାକିସ୍ତାନର ତିନି ପ୍ରମୁଖ ଦଳ ମଧ୍ୟରୁ ଅନ୍ୟତମ ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ (ପିଏମଏଲଏନ)ର ନିର୍ବାଚନୀ ଚିହ୍ନ ବାଘ । ପାର୍ଟିର ପ୍ରତିଷ୍ଠାତା ନଓ୍ବାଜ ସରିଫ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଛନ୍ତି । ଦଳର ରାଜନୈତିକ ରାଲିରେ ଅନେକ ସମୟରେ ବାଘ ଦେଖିବାକୁ ମିଳେ । ଲୋକେ ନିଜ ପସନ୍ଦର ଦଳ ପ୍ରତି ସମର୍ଥନ ଦେଖାଇବାକୁ ବାଘ ଓ ସିଂଘ ଆଣୁଛନ୍ତି ।
ସୋସିଆଲ୍ ମିଡିଆ ଷ୍ଟାଟସ ପୋଷା ବାଘ
ଗତ ଏକ ଦଶନ୍ଧୀ ଧରି ସୋସିଆଲ୍ ମିଡିଆରେ ଛାଇ ରହିଛନ୍ତି ପାକିସ୍ତାନର ପୋଷା ବାଘ ଓ ସିଂହ । ମାଲିକ ସେମାନଙ୍କୁ ନିଜ ବିଳାସମୟ ଜୀବନଶୈଳୀ ତଥା ଧନସଂପତ୍ତିର ପ୍ରତୀକ ଭାବେ ପ୍ରଦର୍ଶିତ କରୁଛନ୍ତି । କିଛି ସିଂହଙ୍କୁ ବିବାହ ଉତ୍ସବରେ ଫଟୋ ପାଇଁ ବି ବ୍ୟବହାର କରାଯାଏ । କେବଳ ସେତିକି ନୁହେଁ ଅନେକ ସମୟରେ ସିଂହ ଛୁଆଙ୍କୁ ବିବାହ ଉତ୍ସବରେ ଉପହାର ଭାବେ ବି ଦିଆଯାଏ । ୨୦୨୨ରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ପାକିସ୍ତାନର ଜଣେ ଟିକଟକ ସେଲିବ୍ରିଟିଙ୍କୁ ଆକ୍ରମଣ କରିଥିଲା ସହକର୍ମୀଙ୍କ ପୋଷା ସିଂହ । ଯଦିଓ ସେଲିବ୍ରିଟି ଜଣକ ଦେହରେ ସେଭଳି ଆଘାତ ଲାଗିନଥିଲା, ହେଲେ ପୋଷା ସିଂହ ପାଳନକୁ ନେଇ ଭିଡିଓଟି ଅନେକ ପ୍ରଶ୍ନ ଉଠାଇଥିଲା ।
ଚଳିତ ବର୍ଷ ପାକିସ୍ତାନରେ ପୋଷା ସିଂହ ଓ ବାଘଙ୍କୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଏଥିରେ କେହି ଲାଇସେନ୍ସ ନେଇ ସିଂହ ବା ବାଘ ପାଳନ କରିବାକୁ ଚାହିଁଲେ ତାଙ୍କୁ ଉପଯୁକ୍ତ ଆକାରର ପିଞ୍ଜରା ଆଣିବାକୁ ପଡିବ । ପାକିସ୍ତାନରେ ବିନା ଲାଇସେନ୍ସରେ ସିଂହ ଓ ବାଘ ପାଳିଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । ତେବେ ନିୟମକୁ ଫୁ କରି ବେଆଇନ ଭାବେ ପୋଷା ବାଘ ପାଳନ ଟ୍ରେଣ୍ଡ ଦେଶରେ ବଢିବାରେ ଲାଗିଛି ।
Comments are closed.