ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ଅନ୍ନମାୟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଆମ୍ବ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୧୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ।
ଅନ୍ନମାୟା ଜିଲ୍ଲାର ପୁଲମପେଟା ମଣ୍ଡଳର ରେଡ୍ଡୀ ଚେରୁଭୁ କଟ୍ଟା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଟି ଆମ୍ବ ବୋଝେଇ ହୋଇଥିଲା । ଲୋକମାନେ ଆମ୍ବ ବସ୍ତା ଉପରେ ମଧ୍ୟ ବସିଥିଲେ । ଏହି ଟ୍ରକରେ ୨୦ ରୁ ଅଧିକ ଲୋକ ଚଢ଼ୁଥିଲେ । କଡପା ସହରରୁ ପ୍ରାୟ ୬୦ କିଲୋମିଟର ଦୂର ପୁଲମପେଟା ମଣ୍ଡଳର ରେଡ୍ଡୀ ଚେରୁଭୁ କଟ୍ଟାରେ ଏହି ଦୁର୍ଘଟଣା ଘଟିଛି ।
ଟ୍ରକଟି ରାଜମପେଟରୁ ଆମ୍ବ ଏବଂ ଲୋକଙ୍କୁ ନେଇ ରେଲୱେ କୋଡୁରୁ ଯାଉଥିଲା । ପୋଲିସର ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହା ସେତେବେଳେ ଘଟିଥିଲା ଯେତେବେଳେ ଏକ ଲରିର ପଛ ଚକ ବାଲିରେ ଫସି ଯାଇଥିଲା ଏବଂ ଏହା ଭାରସାମ୍ୟ ହରାଇ ଏକ ମିନି ଟ୍ରକ୍ ଉପରେ ପଡ଼ିଯାଇଥିଲା।”
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣାର କାରଣ ବିଷୟରେ ଅଧିକାରୀମାନଙ୍କୁ ପଚାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁଯାୟୀ, ଅଧିକାରୀମାନେ ତାଙ୍କୁ କହିଥିଲେ ଯେ ରାତିରେ ଘଟଣାଟି ଘଟିଥିବା ସମୟରେ ପୀଡିତମାନେ ରାଜମପେଟରୁ କୋଡୁରୁ ରେଳ ଷ୍ଟେସନକୁ ଯାତ୍ରା କରୁଥିଲେ ।
ସିଏମଓ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ମୃତକଙ୍କ ପରିବାରକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବେ । ଦୁର୍ଘଟଣାରେ ଆହତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରେଡ୍ଡିପାଲି ଚେରୁଭୁ ନିକଟରେ ପହଞ୍ଚିବା ମାତ୍ରେ ଟ୍ରକଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୦ରୁ ୪୦ ଟନ୍ ଆମ୍ବ ଟ୍ରକରେ ଥିବା ଶ୍ରମିକଙ୍କ ଉପରେ ଲଦି ହୋଇଯାଇଥିଲା। ଦୁର୍ଘଟଣାର ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଟ୍ରକ ତଳେ ଫସି ରହିଥିବା ମୃତଦେହକୁ ଜେସିବି ସାହାଯ୍ୟରେ ବାହାରକୁ ଅଣାଯାଇଥିଲା ।
Comments are closed.