ନୂଆଦିଲ୍ଲୀ: ପ୍ରଥମେ ରାଜଧାନୀ ଦିଲ୍ଲୀ, ଆଉ ଏବେ ବେଙ୍ଗାଲୁରୁ ସ୍କୁଲ୍ । ରାଜଧାନୀ ଦିଲ୍ଲୀର ୨୦ ରୁ ଅଧିକ ସ୍କୁଲକୁ ପୁଣି ଥରେ ବୋମା ଧମକ ମିଳିଥିବା ବେଳେ ବେଙ୍ଗାଲୁରୁର ପ୍ରାୟ ୪୦ ସ୍କୁଲକୁ ବୋମାରେ ଉଡାଇଦେବା ଧମକ ମିଳିଛି । ଯାହା ଏବେ ହଇଚଇ ସୃଷ୍ଟି କରିଛି । କ’ଣ ଏହି ବୋମା ଧମକ ଟ୍ରେଣ୍ଡ ? କିଏ ଏବଂ କାହିଁକି ଏପରି ଧମକ ପୂର୍ଣ୍ଣ ମେସେଜ୍ ସ୍କୁଲମାନଙ୍କୁ ପଠାଉଛି ? ଏହା ପଛରେ କ’ଣ ରହିଛି ରହସ୍ୟ? ତେବେ ଏନେଇ ପୋଲିସ୍ କୌଣସି ଟେର୍ ପାଇନାହିଁ । ଧମକପୂର୍ଣ୍ଣ ମେଲ୍ ପାଇଥିବା ସ୍କୁଲ ଗୁଡିକରେ ପୋଲିସଙ୍କ ସହ ବମ୍ ସ୍କ୍ବାଡ ଏବଂ ଡଗ୍ ସ୍କ୍ବାଡ୍ ପହଞ୍ଚି ଖୋଳତାଳ ଆରମ୍ଭ କରିଛି ।
ତେବେ ଆଜି ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ଏକ ସ୍କୁଲରେ ବୋମା ଧମକ ମେଲ୍ ମିଳିଛି। ମେଲ୍ ବିଷୟରେ ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସର୍ଚ୍ଚ ଅପରେସନ ଚାଲିଛି। ଏହା ବ୍ୟତୀତ ଦିଲ୍ଲୀର ରୋହିଣୀ ସେକ୍ଟର ୩ର ଅଭିନବ ପବ୍ଲିକ୍ ସ୍କୁଲରେ ମଧ୍ୟ ଏକ ଧମକ ମେଲ୍ ମିଳିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲରେ ସର୍ଚ୍ଚ ଅପରେସନ ଚାଲିଛି। ମାମଲାର ତଦନ୍ତ କରାଯାଉଛି। ସେହିପରି ରୋହିଣୀର ସେକ୍ଟର ୨୪ ରେ ଅବସ୍ଥିତ ସୋଭରେନ୍ ସ୍କୁଲରେ ତୃତୀୟ ଧମକ ମେଲ୍ ମିଳିଥିଲା। ପୂର୍ବରୁ ରୋହିଣୀର ସେକ୍ଟର ୩ ରେ ଅବସ୍ଥିତ ଅଭିନବ ପବ୍ଲିକ୍ ସ୍କୁଲ ଏବଂ ତା’ପରେ ପଶ୍ଚିମ ବିହାରର ରିଚ୍ ମୋଣ୍ଡ ସ୍କୁଲକୁ ମଧ୍ୟ ଧମକ ମେଲ୍ ମିଳିଥିଲା । ଏନେଇ ଦିଲ୍ଲୀ ପୋଲିସ କହିଛି ଯେ ଶୁକ୍ରବାର ସୁଦ୍ଧା ରାଜଧାନୀର ୨୦ ରୁ ଅଧିକ ସ୍କୁଲକୁ ବୋମା ମାଡ଼ ସମ୍ପର୍କରେ ଧମକ ମେଲ୍ ମିଳିଛି। ବର୍ତ୍ତମାନ, ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି। ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।
ସେପଟେ ଶୁକ୍ରବାର ସକାଳେ ବେଙ୍ଗାଲୁରୁର ଅତି କମରେ ୪୦ ଟି ଘରୋଇ ସ୍କୁଲକୁ ବୋମା ଧମକ ଇମେଲ୍ ମିଳିଥିଲା, ଯାହା ଫଳରେ ସହର ସାରା ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରାଜାରାଜେଶ୍ୱରୀ ନଗର ଏବଂ କେଙ୍ଗେରୀ ସମେତ ବିଭିନ୍ନ ଅଞ୍ଚଳର ସ୍କୁଲଗୁଡ଼ିକ ଏହି ଅଜ୍ଞାତ ମେସେଜ ଦ୍ୱାରା ଟାର୍ଗେଟ ହୋଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଥିଲେ। ସତର୍କ ସୂଚନା ରିପୋର୍ଟ ହେବା ପରେ ବେଙ୍ଗାଲୁରୁ ସହର ପୋଲିସ ପ୍ରଭାବିତ ପ୍ରତିଷ୍ଠାନଗୁଡ଼ିକରେ ଅନେକ ଦଳ ନିୟୋଜିତ କରିଥିଲା। ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିସରରେ ବ୍ୟାପକ ଯାଞ୍ଚ ସହିତ ବୋମା ନିଷ୍କ୍ରିୟକାରୀ ଦଳ କର୍ମଚାରୀମାନଙ୍କୁ ମଧ୍ୟ ସେବାରେ ନିୟୋଜିତ କରାଯାଇଥିଲା। ସ୍କୁଲ ଭିତରେ ବୋମା” ଶୀର୍ଷକ ଥିବା ଏହି ଇମେଲ୍ ରୋଡକିଲ୍ 333@atomicmail.io ରୁ ଅନେକ ପ୍ରତିଷ୍ଠାନକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରେରକ ଶ୍ରେଣୀଗୃହରେ ଟ୍ରିନିଟ୍ରୋଟୋଲୁଏନ୍ (TNT) ଯୁକ୍ତ ଅନେକ ବିସ୍ଫୋରକ ଉପକରଣ ଲଗାଇଥିବା ଦାବି କରିଥିଲେ । ଯାହାକୁ ନେଇ ଏବେ ତନାଘନା କରୁଛି ପୋଲିସ୍ ।
ତେବେ କହିରଖୁଛୁ, ଜାତୀୟ ରାଜଧାନୀରେ ସ୍କୁଲକୁ ବୋମା ଧମକ ମିଳିବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ସମାନ ଫର୍ମାଟରେ ଧମକପୂର୍ଣ୍ଣ ମେଲ୍ ଆସିଛି, ଯେଉଁଥିରେ ମେଲ୍ ପ୍ରେରକମାନେ ଅନେକ ସ୍କୁଲର ଇମେଲ୍ ଆଇଡିରେ ସ୍କୁଲକୁ ବୋମା ଦେଇ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଅନେକ ତଦନ୍ତ ପରେ, ଧମକପୂର୍ଣ୍ଣ ମେଲ୍ ମାମଲାରେ ସ୍କୁଲର ଛାତ୍ରଙ୍କ ନାମ ସାମ୍ନାକୁ ଆସିଛି। ସେହି ସମୟରେ, ଆଜି ଏହି ମେଲ୍ ଆସିବା ପରେ, ତଦନ୍ତ ଚାଲିଛି । ଏନେଇ କିଛି ତଥ୍ୟ ସାମ୍ନାକୁ ଆସିନାହିଁ ।
Comments are closed.