Latest Odisha News

BREAKING NEWS

କାଲିସ, ପଂଟିଂ, ଡ୍ରାଭିଡଙ୍କୁ ପଛରେ ପକାଇବେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଲର୍ଡସ ଟେଷ୍ଟରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚରେ ଜ୍ୟାକ୍ସ କାଲିସ, ରିକି ପଂଟିଂ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ରୁଟଙ୍କ ନିକଟରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହେବାର ସୁଯୋଗ ରହିଛି । ସେ ଯଦି ଏହି ମ୍ୟାଚରେ ୧୨୦ ରନ ସଂଗ୍ରହ କରିବେ ତେବେ ଉପରୋକ୍ତ ୩ ମହାନ ଖେଳାଳିଙ୍କୁ ପଛରେ ପକାଇ ଦେବେ । ମାଂଚେଷ୍ଟରରେ ରୁଟଙ୍କ ରେକର୍ଡ ଭଲ ରହିଥିବାରୁ ସେ ଏଠାରେ ଏକ ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ରୁଟ ୧୫୬ ଟେଷ୍ଟରେ ୧୩୨୫୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୭ ଶତକ ଓ ୬୬ ଅର୍ଦ୍ଧଶତକ ସାମିଲ । ୨୬୨ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ।

ସେ ୧୨୦ ରନ ସଂଗ୍ରହ କଲେ  ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିବେ । ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୫୧ ଶତକ ଓ ୬୮ ଅର୍ଦ୍ଧଶତକ ସାମିଲ । ୨୮୪ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର । ରୁଟ ୩୦ ରନ ସଂଗ୍ରହ କଲେ ରାହୁଲ ଡ୍ରାଭିଡଙ୍କୁ ଓ ୧୨୦ ରନ କଲେ କାଲିସ ଏବଂ ପଂଟିଂଙ୍କୁ ପଛରେ ପକାଇବେ । ବର୍ତମାନ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ରୁଟଙ୍କ ଆଖପାଖରେ କେହି ନ ଥିବାରୁ ସେ ସଚିନଙ୍କ ଟେଷ୍ଟ ରେକର୍ଡ ଆଗାମୀ ଦିନରେ ଭାଙ୍ଗିବେ ବୋଲି ଇଂଲଣ୍ଡ ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ରୁଟଙ୍କ କ୍ରମାଗତ ଭଲ ପ୍ରଦର୍ଶନ ତାଙ୍କୁ ଏହି ଦୀବଦାର ଭାବେ ଉପସ୍ଥାପନ କରିଛି ।

Comments are closed.