ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଏବଂ ଚୀନ ପାଖରେ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ । ଭାବିଥିଲା ମିଛ ଲୁହରେ ଫସିଯିବେ ଆମେରିକା ଏବଂ ଚୀନ । ହେଲେ ଏବେ ଉଭୟ ଦେଶ ପକ୍ଷରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କୂଟନୈତିକ ସ୍ତରରେ ବଡ ବିଜୟ ହାସଲ କରିଛି ଭାରତ । ପ୍ରଥମେ ଆମେରିକା, ଆଉ ଏବେ ଚୀନ…. ପାକିସ୍ତାନର ରକ୍ତଚାପ ବଢାଇଛନ୍ତି । ମାତ୍ର ଗୋଟିଏ ଦିନ ପୂର୍ବରୁ ଆମେରିକା ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଛାମୁଆ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ଟିଆରଏଫକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିବା ବେଳେ, ଏବେ ଚୀନ୍ ମଧ୍ୟ ଆମେରିକାର ଏହି ପଦକ୍ଷେପକୁ ଯଥାର୍ଥ ବୋଲି କହିଛି । ଯାହା ଏବେ ପାକିସ୍ତାନକୁ ଶକ୍ତ ଆଘାତ ଦେଇଛି । ଯାହାକୁ ନେଇ ଏବେ ସଫେଇ ଦେଇଛି ପାକିସ୍ତାନ ।
ପାକିସ୍ତାନ ବିରୁଦ୍ଧରେ ଘନିଷ୍ଠ ବନ୍ଧୁ ଚୀନ
ଚୀନ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କ ବିରୁଦ୍ଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହିତ, ଚୀନ୍ ଟିଆରଏଫ ବିରୁଦ୍ଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ କହିଛି । ଏହା ପାକିସ୍ତାନର ଅବଶିଷ୍ଟ ଆଶାକୁ ମଧ୍ୟ ଧୂଳିସାତ୍ କରିଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଛାମୁଆ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଏବଂ ବିଶେଷ ଭାବରେ ନାମିତ ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ଉପରେ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଚୀନ ସମସ୍ତ ପ୍ରକାରର ଆତଙ୍କବାଦକୁ ଦୃଢ଼ ଭାବରେ ବିରୋଧ କରେ ଏବଂ ଏପ୍ରିଲ୍ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବରେ ନିନ୍ଦା କରୁଛି । ଚୀନ୍ ଆଞ୍ଚଳିକ ଦେଶଗୁଡ଼ିକୁ ଆତଙ୍କବାଦ ବିରୋଧୀ ସହଯୋଗ ବୃଦ୍ଧି କରିବା ଏବଂ ମିଳିତ ଭାବରେ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବାକୁ ଆହ୍ୱାନ କରୁଛି ।
ଟିଆରଏଫକୁ ଆତଙ୍କବାଦୀ ସଂଗଠନ କହିଲା ଆମେରିକା
ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ପାକିସ୍ତାନ ସମର୍ଥିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’କୁ ଆମେରିକା ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ଆମେରିକାର ବୈଦେଶିକ ବିଭାଗ ଲସ୍କର-ଏ-ତୈବାର ପ୍ରକ୍ସି ସଂଗଠନ ଟିଆରଏଫକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଏବଂ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀଙ୍କ ତାଲିକାରେ ସାମିଲ କରିଛି । ଯିଏ ଗତ ଏପ୍ରିଲ ମାସରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା । ଆମେରିକା ମଧ୍ୟ ସ୍ୱୀକାର କରିଛି ଯେ ଟିଆରଏଫ ହେଉଛି ଲସ୍କର-ଏ-ତୈବାର ଏକ ଫ୍ରଣ୍ଟ ସଂଗଠନ, ଯାହାକୁ ପୂର୍ବରୁ ଜାତିସଂଘ ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ଏବଂ ନିଷିଦ୍ଧ କରାଯାଇଛି । ଯାହା ଜାତୀୟ ସୁରକ୍ଷା ସ୍ୱାର୍ଥକୁ ସୁରକ୍ଷା ଦେବା, ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ପହଲଗାମ ଆକ୍ରମଣ ପାଇଁ ନ୍ୟାୟ ପ୍ରଦାନ କରିବା ପାଇଁ ଟ୍ରମ୍ପ ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି କହିଛି ଆମେରିକା । ଯାହା ଆତଙ୍କବାଦ ବିରୋଧରେ ଭାରତର ଅନ୍ତର୍ଜାତୀୟ ଅଭିଯାନକୁ ବଡ଼ ସଫଳତା ଦେଇଛି । ଆଉ ପାକିସ୍ତାନର ସବୁ ପ୍ରୟାସକୁ ଶକ୍ତ ଝଟକା ।
ଆତଙ୍କିତ ଅବସ୍ଥାରେ ପାକିସ୍ତାନ!
ଆମେରିକାର ଏବଂ ଚୀନର ପଦକ୍ଷେପ ପରେ ଏବେ ଭୟଭୀତ ଥିବା ପାକିସ୍ତାନ ସଫେଇ ଦେଇଛି । ପାକିସ୍ତାନ ଲସ୍କର ସହିତ ଟିଆରଏଫର ସମ୍ପର୍କକୁ ଅସ୍ୱୀକାର କରିଛି । ପାକିସ୍ତାନ ଦାବି କରିଛି ଯେ ସେ ତାଙ୍କ ଦେଶରେ ଉପସ୍ଥିତ ଆତଙ୍କବାଦୀ ନେଟୱାର୍କକୁ ସଫଳତାର ସହ ଭାଙ୍ଗି ଦେଇଛି । ଆଉ ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣକୁ ଲସ୍କର-ଏ-ତୈବା (LeT) ସହିତ ଯୋଡ଼ିବାର ଯେକୌଣସି ପ୍ରୟାସକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ଏଥିସହିତ ପାକିସ୍ତାନକୁ ବଦନାମ କରିବା ପାଇଁ ଭାରତ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହାର କରିବାର ଏକ ପ୍ରୟାସ କରିଛି ବୋଲି ଆରୋପ ଲଗାଇଛି । ଏହାକୁ ନେଇ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି, ପାକିସ୍ତାନ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନଗୁଡ଼ିକର ନେଟୱାର୍କକୁ ବ୍ୟାପକ ଭାବରେ ଭାଙ୍ଗି ଦେଇଛି । ସେମାନଙ୍କର ସଦସ୍ୟମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
Comments are closed.