Latest Odisha News

BREAKING NEWS

ବିଜେପିର ନୂଆ ଅଧ୍ୟକ୍ଷ ଘୋଷଣାକୁ ଅପେକ୍ଷା, ହଠାତ ଦିଲ୍ଲୀରେ ୩ ଶୀର୍ଷ ନେତାଙ୍କୁ ଯୋଗୀଙ୍କ ସାକ୍ଷାତ ବଢ଼ାଇଲା ଭିନ୍ନ ଚର୍ଚ୍ଚା

ନୂଆଦିଲ୍ଲୀ: ସାରା ଦେଶ ଅପେକ୍ଷା କରିଛି ଶାସକ ଦଳ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ? ତାରିଖ ପରେ ତାରିଖ ଗଡ଼ି ଚାଲିଛି ହେଲେ କିଏ ହେବେ ଅଧ୍ୟକ୍ଷ ସେ ନେଇ କୌଣସି ନିର୍ଯାସକୁ ଆସିପାରିନି କି ମୋହର ମାରିପାରୁନି ବିଜେପିର କୋର କମିଟି। ସେହିପରି ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଏହାରି ଭିତରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ନୂଆଦିଲ୍ଲୀରେ ଦେଶର ଶୀର୍ଷ ନେତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ରାସାୟନିକ, ସାର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ପରେ ଯୋଗୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ବିଶ୍ୱର ସର୍ବାଧିକ ଲୋକପ୍ରିୟ ରାଜନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଆଜି ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କର ମାର୍ଗଦର୍ଶନ ପାଇଲି। ଆପଣଙ୍କ ମୂଲ୍ୟବାନ ସମୟ ପାଇଁ ହୃଦୟତଳୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ଜୀ।”

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ୍ସରେ ଏହି ସାକ୍ଷାତର କେତେକ ଫଟୋ ସେୟାର କରି ଏହା ସମ୍ପର୍କରେ ସୂଚନା ଦେଇଛି। ଫଟୋରେ ମୋଦୀ ଓ ଯୋଗୀଙ୍କ ମଧ୍ୟରେ ଆଲୋଚନାର ମୁହୂର୍ତ୍ତକୁ ଦେଖାଯାଇଛି, ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଗସ୍ତ ଅବସରରେ ଯୋଗୀ ଆଦିତ୍ୟନାଥ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ନୂଆଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପାଇଁ ସେ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମ୍ପର୍କରେ ଯୋଗୀ ଏକ୍ସରେ ଲେଖିଛନ୍ତି, “ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଜୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲି। ଆପଣଙ୍କ ମୂଲ୍ୟବାନ ସମୟ ପାଇଁ ହାର୍ଦିକ ଧନ୍ୟବାଦ।”

ଏହି ସାକ୍ଷାତଗୁଡ଼ିକରେ କେଉଁ ବିଷୟରେ ଆଲୋଚନା ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଉଚ୍ଚସ୍ତରୀୟ ଭେଟଘାଟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଉତ୍ତର ପ୍ରଦେଶରେ ରାଜନୈତିକ ଗତିବିଧି ଓ ଆଗାମୀ ଦିନରେ ବିଜେପିର ରଣନୀତିକୁ ନେଇ ଏହି ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁମାନ କରାଯାଉଛି।

Comments are closed.