Latest Odisha News

BREAKING NEWS

ମଝି ଆକାଶରେ ଲାଗିଗଲା ନିଆଁ, ବିମାନ ଭିତରେ କମ୍ପିଲେ ଯାତ୍ରୀ… ଦେଖନ୍ତୁ ଭିଡିଓ

ଲସ ଏଞ୍ଜେଲସ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ସାରା ବିଶ୍ୱରେ ବିମାନ ଯାତ୍ରାକୁ ନେଇ ସମସ୍ତେ ଚିନ୍ତିତ। ଏହାରି ଭିତରେ ଶୁକ୍ରବାର ଡେଲଟା ଏୟାର ଲାଇନ୍ସର ଏକ ବିମାନ (ଫ୍ଲାଇଟ ଡିଏଲ ୪୪୬) ଆଟଲାଣ୍ଟା ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଯିବା ପରେ ଲସ ଏଞ୍ଜେଲସ ଆନ୍ତର୍ଜାତୀୟ ବିମାନବନ୍ଦର (ଏଲଏଏକ୍ସ)ରେ ଜରୁରୀ ଅବତରଣ କରିଛି। ଏହି ଘଟଣାରେ କୌଣସି ଆହତ ହୋଇନଥିବା ଖବର ମିଳିଛି। ବିମାନବନ୍ଦରରେ ଅଗ୍ନିଶମ ଟିମ୍ ରନୱେରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। କିନ୍ତୁ ନିଆଁ ଲାଗିବାର ଖବର ଆସିବା ପରେ ଭିତରେ ଥିବା ଯାତ୍ରା ଜୋରଦାର ଚିତ୍କାର କରିଥିବା ଖବର ସାମ୍ନାକୁ ଆସିଛି।

ଏହି ବିମାନ, ଏକ ବୋଇଙ୍ଗ ୭୬୭-୪୦୦, ଲସ ଏଞ୍ଜେଲସରୁ ଉଡ଼ାଣ ଭରିବା ମାତ୍ରେ ଏହାର ବାମ ଇଞ୍ଜିନରେ ନିଆଁ ଦେଖାଦେଇଥିଲା। ଏକ ଭିଡିଓରେ ବିମାନଟି ଆକାଶରେ ଉଡ଼ୁଥିବା ବେଳେ ଇଞ୍ଜିନରୁ ଜ୍ୱଳନ୍ତ ଅଗ୍ନିଶିଖା ବାହାରୁଥିବା ଦୃଶ୍ୟ ଦେଖାଯାଇଛି। ଫ୍ଲାଇଟ କ୍ରୁ ତୁରନ୍ତ ଜରୁରୀ ଅବସ୍ଥା ଘୋଷଣା କରି ବିମାନବନ୍ଦରକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ବିମାନକୁ ନିରାପଦରେ ଫେରାଇ ଆଣିବା ପାଇଁ ମାର୍ଗଦର୍ଶନ କରିଥିଲେ।

ଫ୍ଲାଇଟରାଡାର୨୪ ତଥ୍ୟ ଅନୁସାରେ, ବିମାନଟି ପ୍ରଥମେ ପ୍ରଶାନ୍ତ ମହାସାଗର ଉପରେ ଉଡିଥିଲା, ପରେ ଡାଉନି ଓ ପାରାମାଉଣ୍ଟ ଅଞ୍ଚଳ ଉପରେ ଘୂରି ଲ୍ୟାଣ୍ଡ ପାଇଁ ଫେରିଥିଲା। ଏହି ସମୟରେ କ୍ରୁ ସଦସ୍ୟମାନେ ସୁରକ୍ଷିତ ଅବତରଣ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଥିଲେ।

ଯାତ୍ରୀମାନେ ଜଣାଇଛନ୍ତି ଯେ, କ୍ୟାପଟେନ ଘୋଷଣା କରିଥିଲେ ଯେ ଅଗ୍ନିଶମ ଟିମ୍ ଇଞ୍ଜିନରେ ଲାଗିଥିବା ନିଆଁ ଲିଭାଇବା ପାଇଁ କାମ କରୁଛନ୍ତି। ଡେଲଟା ଏୟାର ଲାଇନ୍ସର ଜଣେ ମୁଖପାତ୍ର ବିବିସିକୁ କହିଛନ୍ତି, “ଡେଲଟା ଫ୍ଲାଇଟ ୪୪୬ ଉଡ଼ାଣ ଭରିବା କିଛି ସମୟ ପରେ ବାମ ଇଞ୍ଜିନରେ ସମସ୍ୟାର ସଙ୍କେତ ମିଳିବା ପରେ ଲସ ଏଞ୍ଜେଲସକୁ ଫେରିଥିଲା।”

ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯୁକ୍ତରାଷ୍ଟ୍ରର ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ବିମାନଟି ପ୍ରାୟ ୨୫ ବର୍ଷ ପୁରୁଣା ଏବଂ ଏହା ଦୁଇଟି ଜେନେରାଲ ଇଲେକ୍ଟ୍ରିକ ସିଏଫ୬ ଇଞ୍ଜିନ ଦ୍ୱାରା ଚାଲିଥାଏ।

ଏହା ଡେଲଟା ଏୟାର ଲାଇନ୍ସ ପାଇଁ ଏହି ବର୍ଷର ପ୍ରଥମ ଏଭଳି ଘଟଣା ନୁହେଁ। ଗତ ଏପ୍ରିଲରେ ଡେଲଟାର ଅନ୍ୟ ଏକ ବିମାନ (ଫ୍ଲାଇଟ ୧୨୧୩), ଏକ ଏୟାରବସ ଏ୩୩୦, ଅର୍ଲାଣ୍ଡୋ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆଟଲାଣ୍ଟା ଅଭିମୁଖେ ଯାତ୍ରା ପୂର୍ବରୁ ରନୱେରେ ଇଞ୍ଜିନରେ ନିଆଁ ଲାଗିଥିଲା। ସେହି ବିମାନରେ ୨୮୨ ଜଣ ଯାତ୍ରୀ, ୧୦ ଜଣ ଫ୍ଲାଇଟ ଆଟେଣ୍ଡାଣ୍ଟ ଓ ଦୁଇ ପାଇଲଟ ଥିଲେ, କିନ୍ତୁ ସେହି ଘଟଣାରେ ମଧ୍ୟ କୌଣସି ଆହତ ହୋଇନଥିଲେ।

Comments are closed.