ଗୁରୁଗାଓଁ: ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛରେ କଲେଜର ଏଚଓଡିଙ୍କ ଦ୍ୱାରା ଫେଭର ମାଗିଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଦେଶରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଥିବା ବେଳେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି, ଯାହାକି ଉତ୍ତର ପ୍ରଦେଶର। ଶାରଦା ବିଶ୍ୱବିଦ୍ୟାଳୟରେ ଶନିବାର ମଧ୍ୟରାତ୍ରିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବିଡିଏସ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ହରିୟାଣାର ଗୁରୁଗ୍ରାମର ଜ୍ୟୋତି ନାମକ ଛାତ୍ରୀ, ବିଶ୍ୱବିଦ୍ୟାଳୟର ମାଣ୍ଡେଲା ଗାର୍ଲସ ହଷ୍ଟେଲରେ ନିଜ ରୁମରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ସୁଇସାଇଡ ନୋଟରେ ଦୁଇ ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟ ପରିଚାଳନା ବିରୁଦ୍ଧରେ ମାନସିକ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ଦୁଇ ଅଧ୍ୟାପକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଜ୍ୟୋତିଙ୍କ ସୁଇସାଇଡ ନୋଟରେ ଲେଖାଯାଇଛି, “ଯଦି ମୁଁ ମରେ, ତେବେ ଏଥିପାଇଁ ପିସିପି ଓ ଡେଣ୍ଟାଲ ମେଟେରିଆଲର ଶିକ୍ଷକମାନେ ଦାୟୀ। ମହିନ୍ଦର ସାର ଓ ଶାୟରକ ମାମ୍ ମୋ ମୃତ୍ୟୁର କାରଣ। ମୁଁ ଚାହୁଁଛି ସେମାନେ ଜେଲରେ ରୁହନ୍ତୁ। ସେମାନେ ମୋତେ ମାନସିକ ନିର୍ଯାତନା ଦେଇଛନ୍ତି, ଅପମାନ କରିଛନ୍ତି। ମୁଁ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲି। ମୁଁ ଚାହୁଁଛି ସେମାନେ ମଧ୍ୟ ଏହା ଅନୁଭବ କରନ୍ତୁ। ମୁଁ ଦୁଃଖିତ। ମୁଁ ଆଉ ଏମିତି ବଞ୍ଚି ପାରୁନାହିଁ।”
ପୁଲିସ ସୂଚନା ଅନୁସାରେ, ଶନିବାର ମଧ୍ୟରାତ୍ରି ୨ଟା ୫୪ରେ ହଷ୍ଟେଲରେ ଜ୍ୟୋତିଙ୍କ ଆତ୍ମହତ୍ୟା ଘଟଣା ଜଣାପଡ଼ିବା ପରେ ନୋଲେଜ ପାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଫୋରେନ୍ସିକ ତଦନ୍ତ ସମୟରେ ଜ୍ୟୋତିଙ୍କ ରୁମରୁ ସୁଇସାଇଡ ନୋଟ ମିଳିଥିଲା, ଯେଉଁଥିରେ ସେ ଦୁଇ ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟ ପରିଚାଳନା ବିରୁଦ୍ଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହା ଆଧାରରେ ପୁଲିସ ଦୁଇ ଅଧ୍ୟାପକଙ୍କୁ ହେପାଜତରେ ନେଇ ଜେରା କରୁଛି।
ଏହି ଘଟଣା ପରେ ହଷ୍ଟେଲ ପରିସରରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିଚାଳନା ବିରୁଦ୍ଧରେ ପ୍ରତିବାଦ କରି ହଙ୍ଗାମା କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଜ୍ୟୋତିଙ୍କୁ ଜାଲି କହିବା ସହି ଅପମାନିତ କରାଯାଇଥିଲା, ଯାହା ତାଙ୍କୁ ପ୍ରବଳ ମାନସିକ ଚାପରେ ରଖିଥିଲା। ଏହି ସମୟରେ ପୁଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ତର୍କବିତର୍କ ହୋଇଥିଲା, କିନ୍ତୁ ପୁଲିସ ପରିସ୍ଥିତିକୁ ଆଲୋଚନା ମାଧ୍ୟମରେ ନିୟନ୍ତ୍ରଣକୁ ଆଣିଥିଲେ।
ଗ୍ରେଟର ନୋଏଡାର ଏଡିସିପି ସୁଧୀର କୁମାର କହିଛନ୍ତି, “ଝିଅଟିର ପରିବାରଙ୍କ ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ବିରୁଦ୍ଧରେ ବିଏନଏସ ଧାରା ୧୦୮, ୨୩୮, ୭୯, ୩୫୨ ଓ ୩୫୧(୨) ଅନୁସାରେ ଏକ ଏଫଆଇଆର ଦାୟର କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇଛି।”
ଏହି ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଜ୍ୟୋତିଙ୍କ ପରିବାର ଓ ସାଙ୍ଗମାନେ ନ୍ୟାୟ ଦାବି କରୁଛନ୍ତି, ଯେଉଁଥିରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କୁହାଯାଇଛି।
Comments are closed.