ପୁରୀରୁ ସାଂଘାତିକ ଅଭିଯୋଗ: ପଇସା ନଦେଲେ ଜଳାଭିଷେକ କରିପାରିବନି; ପୂଜାରୀ ଓ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। କିନ୍ତୁ ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ଅବ୍ୟବସ୍ଥା ଓ ଅନୈତିକ କାର୍ଯ୍ୟକଳାପ ନେଇ ଭକ୍ତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମନ୍ଦିରର ପୂଜାରୀ ଓ ପୁଲିସ ଶିବଲିଙ୍ଗରେ ଜଳାଭିଷେକ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ଭକ୍ତଙ୍କୁ ମନ୍ଦିର ଭିତରେ ପୂଜା କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅନେକ।
ଜଣେ ଭକ୍ତ କହିଛନ୍ତି, “ମନ୍ଦିରରେ ପୂଜା ପାଇଁ ପୂଜାରୀମାନେ ହଳଦିଆ ଟିକେଟ ପାଇଁ ୩୦ ଟଙ୍କା, ଧଳା ଟିକେଟ ପାଇଁ ୧୦୦ ଟଙ୍କା ଓ ପୂଜାରୀଙ୍କ ପାଇଁ ଅତିରିକ୍ତ ୫୦ ଟଙ୍କା ଦାବି କରୁଛନ୍ତି। ଯେଉଁମାନେ ଏହି ଅର୍ଥ ଦେଇ ପାରୁ ନାହାନ୍ତି, ସେମାନଙ୍କୁ ବାହାରେ ପୂଜା କରିବାକୁ ବାଧ୍ୟ କରାଯାଉଛି।” ସେ ଆହୁରି କହିଛନ୍ତି, “ଏହା ଏକ ଅନ୍ୟାୟ। ଆମେ ବର୍ଷକୁ ଥରେ ଏଠାକୁ ଆସୁଛୁ, କିନ୍ତୁ ଏପରି ଅନୁଭବ ଆମ ଭକ୍ତିକୁ ବାଧା ଦେଉଛି। ଓଡ଼ିଶା ସରକାର ଏହା ନେଇ କଡ଼ା ପଦକ୍ଷେପ ନେବା ଉଚିତ।”
ଅନ୍ୟ ଜଣେ ଭକ୍ତଙ୍କ ଅଭିଯୋଗ ଅନୁସାରେ, ମନ୍ଦିର ଭିତରେ ପୂଜା ପାଇଁ ପୁଲିସ ମଧ୍ୟ ୧୦୦ ଟଙ୍କା ମାଗୁଛନ୍ତି। ସେ କହିଛନ୍ତି, “ମୁଁ ଗତକାଲି ରାତି ୯ଟା ସମୟରେ ଧାଡ଼ିରେ ଛିଡ଼ା ହୋଇଥିଲି। ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଅନେକ ଅସୁବିଧା ହେଲା। ଆଜି ସକାଳ ୮ଟା ୩୦ରେ ମନ୍ଦିର ଭିତରେ ପହଞ୍ଚିଥିଲି, କିନ୍ତୁ ପୁଲିସ ପୂଜା ପାଇଁ ୧୦୦ ଟଙ୍କା ମାଗିଥିଲେ। ଟଙ୍କା ନ ଥିବାରୁ ମୁଁ ଭିତରେ ଜଳାଭିଷେକ କରି ପାରିଲି ନାହିଁ।”
ସେ ଆହୁରି କହିଛନ୍ତି, “ଯେଉଁମାନେ ୫୦ ଟଙ୍କା ଦେଉଛନ୍ତି, ସେମାନଙ୍କ ପାଇଁ ପଛ ଦୁଆର ଦେଇ ପୂଜା କରାଯାଉଛି। ଧାଡ଼ିରେ ଛିଡ଼ା ହେବାର ଆବଶ୍ୟକତା ନାହିଁ। ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅପର୍ଯ୍ୟାପ୍ତ।”
ଏହି ଅଭିଯୋଗ ସମ୍ପର୍କରେ ମନ୍ଦିର ପ୍ରଶାସନ କିମ୍ବା ପୁରୀ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ଭକ୍ତମାନେ ଦାବି କରିଛନ୍ତି ଯେ, ଏପରି ଅନୁଚିତ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବା ଆବଶ୍ୟକ।
ପୁରୀର ଲୋକନାଥ ମନ୍ଦିର ଶିବ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥାନ। ଶ୍ରାବଣ ମାସରେ ଏହାର ମହତ୍ତ୍ୱ ଆହୁରି ବୃଦ୍ଧି ପାଇଥାଏ, ଯେତେବେଳେ ହଜାର ହଜାର ଭକ୍ତ ଶିବଲିଙ୍ଗରେ ଜଳାଭିଷେକ ପାଇଁ ଏଠାକୁ ଆସିଥାନ୍ତି। କିନ୍ତୁ ଏପରି ଅଭିଯୋଗ ଭକ୍ତଙ୍କ ଆସ୍ଥା ଓ ଶ୍ରଦ୍ଧା ଉପରେ ପ୍ରଭାବ ପକାଉଛି।
Comments are closed.