ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରେ ସାରା ବିଶ୍ବରେ ଦମ୍ ଦେଖାଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ବସ୍ତ କରିଥିଲା ଭାରତୀୟ ସେନା । ପୂରା ଅପରେସନରେ କମାଲ କରିଥିଲା ବ୍ରହ୍ମୋସ ମିସାଇଲ୍, ଆକାଶ ପ୍ରତିରକ୍ଷା ପ୍ରଣାଳୀ ପରି ସ୍ବଦେଶୀ ହତିଆର ଓ ଡ୍ରୋନ । ଏଥିରେ ଶହେରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଟି ପାକିସ୍ତାନୀ ଏୟାରବେସ ଓ ରାଡାର ସିଷ୍ଟମ ଧ୍ବସ୍ତ ହୋଇଥିଲା । ସବୁଠୁ ବଡ଼ କଥା ହେଲା ଭାରତୀୟ ସେନାର କୌଣସି କ୍ଷତି ହୋଇନଥିଲା । ତେବେ ଅପରେସନ୍ ସିନ୍ଦୂର କେବଳ ଝଲକ ଥିଲା । ପାକିସ୍ତାନ ଓ ଚୀନ ଆଡୁ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏବେ ଶକ୍ତିଶାଳୀ ହତିଆର ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଛି ଭାରତ ।
ବଢିବ ଶକ୍ତି, ବଢିଲା ଶତ୍ରୁଙ୍କ ବିପଦ
ଅପରେସନ୍ ସିନ୍ଦୂର ପରେ ନିଜ ସେନା ଶକ୍ତି ବଢାଇବାକୁ ନିଷ୍ପତ୍ତି ନେଇଛି ଭାରତ । ଡିଆରଡିଓ, ଭାରତୀୟ ନୌସେନା ଓ ଘରୋଇ କମ୍ପାନୀ ମିଶି ଏଭଳି ହତିଆର ପ୍ରସ୍ତୁତ କରୁଛନ୍ତି, ଯାହା ଭବିଷ୍ୟତରେ ଯୁଦ୍ଧ ହେଲେ ଗେମଚେଞ୍ଜର ସାବ୍ୟସ୍ତ ହେବ । ଡିଆରଡିଓ ଓ ଭାରତୀୟ ନୈସେନା ମିଶି ବନାଇଛନ୍ତି କ୍ୟାରିୟର କିଲର । ଏହା ସମୁଦ୍ର ମଧ୍ୟରେ ହଜାରେ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଶତ୍ରୁର ଯୁଦ୍ଧପୋତ ଓ ଏୟାରକ୍ରାଫ୍ଟ କ୍ୟାରିୟରକୁ ନଷ୍ଟ କରିପାରିବ । ସେହିପରି ହାଇପରସୋନିକ ମିସାଇଲ୍ ବ୍ରହ୍ମୋସ-୨ କିଛି ସେକେଣ୍ଡରେ ଦିଲ୍ଲୀରୁ ଇସଲାମାବାଦକୁ ଟାର୍ଗେଟ୍ କରିପାରିବ । ସମୁଦ୍ରରେ ମଧ୍ୟ ବଢୁଛି ଭାରତର ଦବଦବା । ନୂଆ ବୁଡ଼ାଜାହାଜ ଓ ଯୁଦ୍ଧପୋତ ପ୍ରସ୍ତୁତ କରୁଛି ଭାରତୀୟ ନୌସେନା । ଆରବ ସାଗରରେ ଭାରତର ଶକ୍ତି ବଢାଉଛି ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ । କେବଳ ସେତିକି ନୁହେଁ ଶତ୍ରୁ ଉପରେ ସବୁଆଡୁ ନଜର ରଖିବାକୁ ରାଡାର ସିଷ୍ଟମକୁ ଅଧିକ ପ୍ରଭାବଶାଳୀ କରାଯାଉଛି ।
ଯୁଦ୍ଧର ଭବିଷ୍ୟତ…କିଲର ଡ୍ରୋନ୍
ବେଙ୍ଗାଳୁରୁର ଡିଆରଡିଓ-ଏଡିଇ ଲ୍ୟାବରେ ପ୍ରସ୍ତୁତ ହେଉଥିବା ସ୍ବିଫ୍ଟ-କେ କାମିକେଜ ଡ୍ରୋନ୍ ଘଣ୍ଟାକୁ ୭୩୫କିଲୋମିଟର ବେଗରେ ଉଡିପାରିବ। ଷ୍ଟିଲଥ ଟେକ୍ନୋଲୋଜି ପାଇଁ ଏହାକୁ ଧରିପାରିବନି ଶତ୍ରୁର ରାଡାର । ଶତ୍ରୁର ବାୟୁସେନା ପ୍ରତିରକ୍ଷା ବ୍ୟବସ୍ଥାକୁ ଏହା ନଷ୍ଟ କରିବାରେ ସକ୍ଷମ । ଆମେରିକାଠାରୁ ୩୧ଟି ହଣ୍ଟର-କିଲର ଡ୍ରୋନ କିଣିଛି ଭାରତ । ଏସବୁ ଡ୍ରୋନ ଲଦାଖ, ଅରୁଣାଚଳ ପ୍ରଦେଶ ଓ ଭାରତ ମହାସାଗର କ୍ଷେତ୍ରରେ ନଜର ରଖିବା ସହ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବେ । ସେହିପରି ସ୍ମାର୍ଟ ଯୁଦ୍ଧ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେନିଜେନ୍ସର ବ୍ୟବହାର ମଧ୍ୟ କରାଯିବ । ଭାରତ ଏଆଇ ଥିବା ଟ୍ୟାଙ୍କ ଓ ଡ୍ରୋନ୍ ପ୍ରସ୍ତୁତ କରୁଛି । ଏଆଇ ସହାୟତାରେ ଡ୍ରୋନ୍ ଓ ସାଟେଲାଇଟ୍ ରିୟଲ-ଟାଇମରେ ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବ । ଫଳରେ ସେନା ସଠିକ ଓ ତୁରନ୍ତ ଆକ୍ରମଣ କରିପାରିବ । ଅପରେସନ୍ ସିନ୍ଦୂର ସମୟରେ ଇସ୍ରୋର ସାଟେଲାଇଟର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା ।
କାହିଁକି ଆବଶ୍ୟକ ନୂଆ ହତିଆର?
ଅପରେସନ୍ ସିନ୍ଦୂରରେ ଦମ୍ ଦେଖାଇଛି ଭାରତୀୟ ସେନା । ତେବେ ଚୀନର ସୁପରସୋନିକ୍ ମିସାଇଲେ ହେଉ କିମ୍ବା ପାକିସ୍ତାନର ଡ୍ରୋନ୍, ଭାରତ ପାଇଁ ବିପଦ ରହିଛି । ଦେଶର ସୁରକ୍ଷା ପାଇଁ ନୂଆ ହତିଆର ଆବଶ୍ୟକ । ବ୍ରହ୍ମୋସ-୨ ଓ ଏସ୍-୪୦୦ ଭଳି ହତିଆର ଶତ୍ରୁ ପକ୍ଷର ଯେକୈଣସି ହରକତର ଜବାବ ଦେବାକୁ ପ୍ରସ୍ତୁତ ରହିବେ । ଭାରତ ଏବେ ବିଦେଶୀ ହତିଆର ଉପରେ କମ୍ ନିର୍ଭର କରିବା ସହ ସ୍ବଦେଶୀ ହତିଆର ନିର୍ମାଣକୁ ଜୋର ଦେଉଛି । ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ଡ୍ରୋନ୍, ଏଆଇ ଓ ଲେଜର ହତିଆର ଗେମଚେଞ୍ଜର ହେବେ । ତେଣୁ ଏସବୁର ବ୍ୟବହାର କରି ବିଶ୍ବର ଶ୍ରେଷ୍ଠ ସେନା ଶକ୍ତିଙ୍କ ତାଲିକାରେ ସାମିଲ ହେଉଛି ଭାରତ ।
ବ୍ରହ୍ମୋସ, ସ୍ବିଫ୍ଟ-କେ, ଏସ୍-୪୦୦ ଓ ଏଆଇ ପରି ହତିଆର ଭାରତକୁ ସୁରକ୍ଷିତ ରଖିବା ସହ ବିଶ୍ବରେ ଅନ୍ୟତମ ସେନା ଶକ୍ତି ଭାବେ ସ୍ଥାପିତ କରିବ । ଆଗକୁ ଯେବେବି ଶତ୍ରୁ ଭାରତ ଆଡକୁ ଆଖି ଉଠାଇ ଦେଖିବ, ତାକୁ ଜବାବ ଦେବା ପାଇଁ ଭାରତୀୟ ହତିଆର ପ୍ରସ୍ତୁତ ରହିବ ।
Comments are closed.