Latest Odisha News

BREAKING NEWS

ଟ୍ରମ୍ପଙ୍କ ନୂଆ ଭିିଡିଓ, ନୂଆ ବିବାଦ

ନୂଆଦିଲ୍ଲୀ: ଭିଡିଓ ପୋଷ୍ଟ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନିକଟରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ଏଆଇ ଜେନେରେଟେଡ୍ ଭିଡିଓ ସେୟାର କରିଛନ୍ତି । ୪୫ ସେକେଣ୍ଡର ଏହି ଡିପଫେକ୍ ଭିଡିଓରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏଫବିଆଇ ଏଜେଣ୍ଟ ଓଭାଲ ଅଫିସରୁ ଗିରଫ କରିବା ସହ ଜେଲରେ ବନ୍ଦ ରଖିଥିବା ଦେଖିବାକୁ ମିଳୁଛି । ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶ ତୁଲସୀ ଗାବାର୍ଡ ଓବାମାଙ୍କ ନାଁରେ ଅଭିଯୋଗ ଆଣିବା ପରେ ଏଭଳି ଭିଡିଓ ଜାରି କରିଛନ୍ତି ଟ୍ରମ୍ପ । ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ହେରଫେର ନେଇ ଓବାମା ଓ ତାଙ୍କ ଟିମ୍ ନାଁରେ ଅଭିଯୋଗ ଆଣିଛନ୍ତି ଗାବାର୍ଡ।

ଭି଼ଡିଓରେ କ’ଣ ରହିଛି?

ଟ୍ରମ୍ପଙ୍କ ସେୟାର କରିଥିବା ଏହି ଭିଡିଓରେ ପ୍ରଥମେ ଓଭାଲ ଅଫିସରେ ଗୋଟିଏ ସିଟରେ ଟ୍ରମ୍ପ ଓ ଅନ୍ୟ ଏକ ସିଟରେ ଓବାମା ବସିଥିବା ଦେଖିବାକୁ ମିଳୁଛି । ଭିଡିଓରେ ଟ୍ରମ୍ପ ହସୁଛନ୍ତି । ତେବେ ଏତିକି ବେଳେ କିଛି ଏଫବିଆଇ ଏଜେଣ୍ଟ ସେଠାରେ ପହଞ୍ଚି ଓବାମାଙ୍କ ହାତ ପଛଆଡୁ ବାନ୍ଧି ଦେଉଛନ୍ତି । ତାଙ୍କୁ ଟ୍ରମ୍ପଙ୍କ ପାଦ ତଳେ ମୁଣ୍ଡ ନୁଆଁଇଲା ଭଳି ଦେଖାଯାଇଛି । ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଉଛି । କେହି ବି ଆଇନରୁ ଉର୍ଦ୍ଧ୍ବରେ ନୁହନ୍ତି ବୋଲି କ୍ୟାପସନ୍ ଲେଖି ଭିଡିଓଟିକୁ ସେୟାର କରିଛନ୍ତି ଟ୍ରମ୍ପ । ଭିଡିଓ ଶେଷରେ ଓବାମାଙ୍କୁ ଜେଲର କମଳା ରଙ୍ଗ ୟୁନିଫର୍ମରେ ଜେଲ ଭିତରେ ଠିଆ ହୋଇଥିବା ଭଳି ଦେଖାଯାଉଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା କୌଣସି ଡିସକ୍ଲେମରରେ ଭିଡିଓକୁ ସେୟାର କରିଛନ୍ତି ଟ୍ରମ୍ପ ।

ସୀମା ଡେଇଁଲେ ରାଷ୍ଟ୍ରପତି ଟ୍ରମ୍ପ !

ଡୋନାଲଡ ଟ୍ରମ୍ପ ଏଭଳି ଭିଡିଓ ସେୟାର କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ୟୁଜର୍ସ । ଏହାକୁ ଦାୟିତ୍ବହୀନ ଓ ଉସୁକାଇବା ଭଳି ଭିଡିଓ କହିବା ସହ ସୋସିଆଲ୍ ମିଡିଆରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଅନେକ ଏପଷ୍ଟିନ ଫାଇଲରୁ ଦୃଷ୍ଟି ହଟାଇବାକୁ ଟ୍ରମ୍ପ ଏଭଳି ଭିଡିଓ ସେୟାର କରିଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ପ୍ରଥମେ ଭିଡିଓଟିକୁ ସେୟାର କରାଯାଇଥିଲା । ପରେ ଏହାକୁ ଟ୍ରୁଥ୍ ଆକାଉଣ୍ଟରେ ସେୟାର କରିଛନ୍ତି ଟ୍ରମ୍ପ ।

ତୁଲସୀ ଗାବାର୍ଡଙ୍କ ବିସ୍ଫୋରକ ବୟାନ

କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପରେ ମକଦ୍ଦମା ଚଳାଇବାକୁ ଦାବି କରିଥିଲେ ତୁଲସୀ ଗାବାର୍ଡ । ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କ ବିଜୟକୁ କ୍ଷତି କରିବା ସହ ପରେ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷମତାଚ୍ୟୁତ କରିବା ଓବାମାଙ୍କ ଲକ୍ଷ୍ୟ ଥିଲା । ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ସମସ୍ତ ବ୍ୟକ୍ତିଙ୍କୁ ନେଇ ଯାଞ୍ଚ ହେବା ଉଚିତ୍ । ୧୧୪ପୃଷ୍ଠାର ଏକ ଦସ୍ତାବିଜରେ ଗବାର୍ଡ ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କ୍ଲେପର, ପୂର୍ବତନ ସିଆଇଏ ନିର୍ଦ୍ଦେଶକ ଜନ ବ୍ରେନନ ଓ ପୂର୍ବତନ ଏଫବିଆଇ ନିର୍ଦ୍ଦେଶକ ଜେମସ କୋମିଙ୍କ ସମେତ ଅନେକ ଅଧିକାରୀଙ୍କ ନାଁ ନେଇଛନ୍ତି। ସେମାନେ ଓବାମା ସରକାରରେ ପ୍ରଭାବଶାଳୀ ଥିଲେ । ତୁଳସୀ ଗାବାର୍ଡଙ୍କ ଅଭିଯୋଗକୁ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଡେମୋକ୍ରାଟିକ ପାର୍ଟି ପକ୍ଷରୁ କୁହାଯାଇଛି ।

ତୁଳସୀ ଗବାର୍ଡଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ଏଆଇ ଭିଡିଓ ଜାରି କରି ଓବାମାଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । ଏହାସହ ପୂର୍ବତନ ଓବାମା ପ୍ରଶାସନର ନେତାଙ୍କୁ ଦେଖାଇ ଏକ ଇମେଜ ସେୟାର କରିଛନ୍ତି । ଏଥିରେ ସମନ୍ଥା ପାଓ୍ବର କେମିତି ଏତେ ଅର୍ଥ ରୋଜଗାର କଲେ ବୋଲି ପ୍ରଶ୍ନ କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି, ଏହି ବିବାଦକୁ ଏମିତି ଛାଡିବେନି ଟ୍ରମ୍ପ ପ୍ରଶାସନ।

Comments are closed.