Latest Odisha News

BREAKING NEWS

୩୭ ଦିନ ପରେ ଘର ବାହୁଡିଲା ବ୍ରିଟେନ୍ ଫାଇଟର ଜେଟ୍ ଏଫ୍-୩୫ବି

ତିରୁଅନନ୍ତପୁରମ: ଶେଷରେ ଅପେକ୍ଷାର ଅନ୍ତ ହେଲା । ସ୍ବଦେଶ ବାହୁଡିଲା ବ୍ରିଟିଶର ‘ରୟାଲ ନୌସେନା’ ଯୁଦ୍ଧ ବିମାନ F-35B ଲାଇଟନିଂ । ଏକ ମାସରୁ ଅଧିକ ସମୟ ଧରି କେରଳରେ ରହି ସମ୍ପୂର୍ଣ୍ଣ ମରାମତି ହେବା ପରେ ଆଜି ନିଜ ଦେଶକୁ ଉଡାଣ କରିଛି ବ୍ରିଟେନ ଲଢୁଆ ବିମାନ ।  ମଙ୍ଗଳବାର ସକାଳେ ବିମାନଟି କେରଳର ତିରୁଅନନ୍ତପୁରମ ବିମାନବନ୍ଦରରୁ ବ୍ରିଟେନ ଅଭିମୁଖେ ଉଡ଼ାଣ ଭରିଛି । ବିମାନବନ୍ଦର ସୂତ୍ର ଅନୁସାରେ, ବ୍ରିଟିଶ ଲଢ଼ୁଆ ବିମାନ F-35B ଏକ ମାସରୁ ଅଧିକ ସମୟ ପୂର୍ବରୁ ଏଠାରେ ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏକ ମାସରୁ ଅଧିକ ସମୟ ଧରି ମରାମତି କାର୍ଯ୍ୟ ପରେ, ଆଜି ପୁଣି ଯୁଦ୍ଧ ବିମାନଟି ନିଜ ଘର ବାହୁଡିଛି ।

ସୂତ୍ର ଅନୁସାରେ, F-35B ଲାଇଟନିଂ ଲଢ଼ୁଆ ବିମାନ ସକାଳ ୧୦.୫୦ରେ ଅଷ୍ଟ୍ରେଲିଆର ଡାରୱିନ୍ ପାଇଁ ଉଡ଼ାଣ ଭରିଛି । ପୂର୍ବରୁ ସୋମବାର ବିମାନଟିକୁ ହ୍ୟାଙ୍ଗରରୁ ବାହାର କରି ବିମାନବନ୍ଦର ବେରେ ରଖାଯାଇଥିଲା । ତେବେ କହିରଖୁଛୁ, ବ୍ରିଟିଶ ରୟାଲ ନୌସେନାର F-35B ଲାଇଟନିଂ ଲଢ଼ୁଆ ବିମାନ ବ୍ରିଟେନର ସବୁଠାରୁ ଉନ୍ନତ ଗୁପ୍ତ ନୌବାହିନୀର ଅଂଶ। ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ମଧ୍ୟରୁ ଗୋଟିଏ ।

୧୧୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ଏହି ବିମାନଟି ଜୁନ୍ ୧୪ ତାରିଖରୁ ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଯାନ୍ତ୍ରିକ ତ୍ରୁଟି ପରେ ପାର୍କିଂ କରାଯାଇଥିଲା । ବ୍ରିଟେନ୍ ରୁ ବିମାନ ଇଞ୍ଜିନିୟରମାନଙ୍କର ଏକ ଦଳ ଏହାକୁ ମରାମତି କରିବା ପାଇଁ ଏଠାରେ ପହଞ୍ଚିଥିଲେ । ଏହା ପରେ, ଏହାର ମରାମତି ପ୍ରାୟ ଗୋଟିଏ ମାସ ଧରି ଚାଲିଥିଲା। ସୂତ୍ରରୁ ଜଣାପଡ଼ିଛି ଯେ ଏଠାରେ ବିମାନର ଅବତରଣ ଶୁଳ୍କ ବ୍ୟତୀତ, ବିମାନବନ୍ଦରରେ ବିମାନର ଦୈନିକ ଭଡ଼ା ଏବଂ ପାର୍କିଂ ଶୁଳ୍କ ମଧ୍ୟ ଦେବାକୁ ପଡିବ । ଏହାର ରକ୍ଷଣାବେକ୍ଷଣ ପାଇଁ ଅଣାଯାଇଥିବା ଉପକରଣ ଏବଂ କର୍ମଚାରୀ ଅନ୍ୟ ଏକ ବିମାନ ଦ୍ୱାରା ଫେରିଛନ୍ତି ।

Comments are closed.