ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନକଡ । ସୋମବାର ଏନେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇ ପଦରୁ ଓହରିଛନ୍ତି । ଇସ୍ତଫା ପତ୍ର ଦେବା ପରେ ସଂସଦରେ ମୌସୁମୀ ଅଧିବେଶନରେ ଆଜି ସେ ଯୋଗ ଦେଇନାହାନ୍ତି । ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦ ଛାଡିଛନ୍ତି ଧନକଡ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯଦି ତାଙ୍କର ସ୍ବାସ୍ଥ୍ୟଅବସ୍ଥା କାରଣ ହୋଇଥାନ୍ତା, ତେବେ ସେ ଅଧିବେଶନ ପୂର୍ବରୁ ହିଁ ଇସ୍ତଫା ପତ୍ର ଦେଇଥାନ୍ତେ । ହେଲେ ଅଧିବେଶନର ପ୍ରଥମ ଦିନରେ ହିଁ କାହିଁକି ଏପରି ପଦକ୍ଷେପ ନେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ । ବିଶେଷ କରି କଂଗ୍ରେସ ଏନେଇ କେନ୍ଦ୍ର ସରକାରଙ୍କୁ ଘେରିଛି ।
ଧନକଡଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଆଶ୍ବର୍ଯ୍ୟ କରିଥିବା ବେଳେ କଂଗ୍ରେସ ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରିଛି । କଂଗ୍ରେସ ଜେପି ନଡ୍ଡା ଏବଂ କିରନ ରିଜିଜୁ ବିଏସି ବୈଠକରେ ଯୋଗ ନଦେବା ପ୍ରସଙ୍ଗକୁ ଇସ୍ତଫା ସହ ଯୋଡିଛି । ଏନେଇ କଂଗ୍ରେସ ସାଂସଦ ସୁଖଦେବ ଭଗତ ଜେପି ନଡ୍ଡା ଏବଂ ରିଜିଜୁ ବିଏସି ବୈଠକରେ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫାର ସ୍କ୍ରିପ୍ଟ ପୂର୍ବରୁ ଲେଖା ହୋଇସାରିଛି । ଜେପି ନଡ୍ଡା ଗୃହରେ କହିଥିଲେ ଯେ ମୋର କଥା ରେକର୍ଡ କରାଯିବ, ଏହା ସିଧା ସିଧା ଅଧ୍ୟକ୍ଷଙ୍କ ପ୍ରତି ଅପମାନ ହୋଇଥିଲା । ଏଥିସହିତ କଂଗ୍ରେସ ମହାସଚିବ ଜୟରାମ ରମେଶ ବୈଠକରେ ଗୃହର ନେତା ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁଙ୍କ ଅଂଶଗ୍ରହଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଗୃହର କାର୍ଯ୍ୟକାଳ ସମୟରେ ଅପରାହ୍ନ ୪.୩୦ ରେ ବ୍ୟବସାୟ ପରାମର୍ଶଦାତା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଶାସକ ଦଳ ପକ୍ଷରୁ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ ଏଥିରେ ଯୋଗ ଦେଇଥିଲେ। ନଡ୍ଡା ଏବଂ ରିଜିଜୁ ଏହି ବୈଠକରେ ଯୋଗ ଦେଇ ନଥିଲେ। ମୁରୁଗନ ଅଧ୍ୟକ୍ଷ ଧନକଡଙ୍କୁ ପରଦିନ ଅର୍ଥାତ୍ ଆଜି ପାଇଁ ବୈଠକ ପୁନଃନିର୍ଦ୍ଧାରିତ କରିବାକୁ ଅନୁରୋଧ କରିଥିଲେ । ଯାହାକୁ ନେଇ କୁହାଯାଉଛି ଏନେଇ କାଳେ ଖପ୍ପା ଥିଲେ ଧନକଡ ।
ହେଲେ ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ନଡ୍ଡା । କହିଛନ୍ତି କିରନ ରିଜିଜୁ ଏବଂ ମୁଁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଉପରାଷ୍ଟ୍ରପତିଙ୍କ ବୈଠକରେ ଉପସ୍ଥିତ ନଥିଲୁ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ, ମୁଁ ରାଜ୍ୟସଭାରେ ଯାହା କହିଲି, ମୁଁ ଯାହା କହୁଛି, ତାହା ରେକର୍ଡରେ ରହିବ। ଏହା ବିରୋଧୀଙ୍କୁ ବାଧା ଦେଉଥିବା ସାଂସଦମାନଙ୍କ ପାଇଁ ଥିଲା, ଅଧ୍ୟକ୍ଷତା ପାଇଁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
Comments are closed.