ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ନିଆଁ। ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ନମ୍ବର AI ୩୧୫ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ହିଁ ଏହାର ସହାୟକ ପାୱାର ୟୁନିଟ୍ରେ ନିଆଁ ଲାଗିଯାଇଥିଲା।
ତେବେ ଅବତରଣ ପରେ ଏପିୟୁ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିଲେ ମଧ୍ୟ ବିମାନଟି କିଛି ପରିମାଣରେ କ୍ଷତି ହୋଇଥିବା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଏହି ଘଟଣାଟି ମଙ୍ଗଳବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ୍ ଏହାର ତଦନ୍ତ କରାଯିବା ସହ ବେସାମରିକ ବିମାନ ଚଳାଚଳ ସୁରକ୍ଷା ନିୟାମକ ଡିଜିସିଏକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଡିଜିସିଏ ଜୁଲାଇ ୨୧ ସୁଦ୍ଧା ତାର ଫ୍ଲିଟରେ ଥିବା ବୋଇଂ ୭୮୭ ଏବଂ ୭୩୭ ବିମାନର ଇନ୍ଧନ ସ୍ୱିଚ୍ର ଲକିଂ ସିଷ୍ଟମ ତଦନ୍ତ କରିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା। ତେବେ ବର୍ତ୍ତମାନ ଏହାର ଡିଭାଇସ ଗୁଡିକରେ କୌଣସି ତ୍ରୁଟି ନଥିବା ମଧ୍ୟ କମ୍ପାନୀ ତରଫରୁ କୁହାଯାଇଛି। ଏହା ପୂର୍ବରୁ ଅହମ୍ମଦାବାଦରେ ହୋଇଥିବା ଦୁର୍ଘଟଣାର ତଦନ୍ତ କରି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ତାର ପ୍ରାଥମିକ ରିପୋର୍ଟରେ କହିଥିଲା ଯେ ଦୁର୍ଘଟଣା ପୂର୍ବରୁ ବିମାନର ଇନ୍ଧନ ସ୍ୱିଚ୍ ଗୁଡ଼ିକ ବନ୍ଦ କରିଦିଆଯାଇଥିଲା।
Comments are closed.