ନୂଆଦିଲ୍ଲୀ: ରଖାଇନ୍ କରିଡରରେ ଦମ୍ ଦେଖାଇବାକୁ ବଡ଼ ଟକ୍କର । ଭାରତ, ଚୀନ୍, ଆମେରିକା ପରି ମହାଶକ୍ତି ମୁହାଁମୁହିଁ । ମିଆଁମାରରେ ବଙ୍ଗୋପସାଗର ଉପକୂଳରେ ଥିବା ମାନବୀୟ ସହାୟତା ମାର୍ଗ ରଖାଇନ୍ କରିଡ଼ର ଏବେ ବଡ଼ ଗେମପ୍ଲାନର କେନ୍ଦ୍ର ହୋଇଛି । ଏଠାରେ ଧୀରେ ଧୀରେ ଅରାକାନ ଆର୍ମିର ନିୟନ୍ତ୍ରଣ ବଢୁଥିବା ବେଳେ କରିଡରରେ ଆମେରିକା, ଚୀନ୍ ଓ ଅନ୍ୟ ଆଞ୍ଚଳିକ ଶକ୍ତି ନିଜ ପ୍ରଭୁତା ଦେଖାଇବାକୁ ଉଦ୍ୟମ କରୁଛନ୍ତି । ଏଭଳି ସ୍ଥିତିରେ ବାଂଲାଦେଶ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆଉ ଦେଶକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ଆମେରିକା ଓ ଚୀନ୍ ।
ମାନବିକତା ପଛରେ ଅସଲ ଉଦ୍ଦେଶ୍ୟ
ଉତ୍ତର ରଖାଇନରେ କରିଡର ମାଧ୍ୟମରେ ମାନବିକ ସହାୟତା ଯୋଗା ଯାଉଥିବା କୁହାଯାଉଛି । ତେବେ ଏହା ପଛରେ ରହିଛି ବଡ଼ ରଣନୀତି । ମିଆଁମାର ଗୃହଯୁଦ୍ଧ ସହ ଯୁଝୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଖାଦ୍ୟାଭାବ, ସଂଘର୍ଷ ଓ ବିସ୍ଥାପନର ସାମନା କରୁଛନ୍ତି । ତେବେ ସହଯୋଗ ବାହାନାରେ ବଙ୍ଗୋପସାଗର କ୍ଷେତ୍ରରେ ନିଜ ପ୍ରଭୁତ୍ବ ଜାହିର କରିବାକୁ ଅନେକ ଦେଶ ଚାହୁଁଛନ୍ତି । କରିଡର ଖୋଲିବା ନେଇ ଆମେରିକା ଓ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରସ୍ତାବ ବାଂଲାଦେଶ ସେନାର ଚିନ୍ତା ବଢାଇଛି । ଏହାକୁ ଖୁନୀ କରିଡର କହିବା ସହ ବାଂଲାଦେଶର ସଂପ୍ରଭୁତା ପାଇଁ ଏହା ବିପଦ ବୋଲି ଦେଶର ସେନାମୁଖ୍ୟ ଜେନରାଲ ବକାର ଉଜ ଜମାନ କହିଛନ୍ତି । ପଶ୍ଚିମ ଦେଶର ଗୁଇନ୍ଦା ଏଜେନ୍ସିଙ୍କ ପାଇଁ ମିଆଁମାରରେ ଚୀନ ସୀମାର ଠିକ ପାଖରେ ଏହା ଶକ୍ତି ବଢାଇବାକୁ ଆଧାର ହେବ ବୋଲି ସେ କହିଛନ୍ତି । ଆମେରିକାର ଏଣ୍ଟ୍ରି ପରେ ମିଆଁମାରରେ ଏକ ଛଦ୍ମ ଯୁଦ୍ଧରେ ଫସି ଯାଇପାରେ ବାଂଲାଦେଶ । ଏପରିକି ସେପ୍ଟେମ୍ବରରେ ଆମେରିକା ମିଆଁମାରରେ ଅପରେସନ୍ ଆରମ୍ଭ କରିପାରେ ବୋଲି କୁହାଯାଉଛି ।
କ’ଣ ରହିଛି ଚୀନର ଆଭିମୁଖ୍ୟ?
ରଖାଇନ୍ କରିଡର ଚୀନର କୁଟନୈତିକ ଆଭିମୁଖ୍ୟକୁ ଝଟକା ହୋଇପାରେ । ଚୀନ୍-ମିଆଁମାର ଇକୋନୋମିକ କରିଡର ଓ ଚୀନର ମଲକ୍କା ଷ୍ଟ୍ରେଟ୍ ବାଇପାସ ନୀତିର ଅଂଶ ଥିବା କ୍ୟୋକଫ୍ୟୁ ପୋର୍ଟ ରଖାଇନ୍ ଅଞ୍ଚଳ ସହ ଯୋଡି ହୋଇରହିଛି । ତେଣୁ ଯଦି ପଶ୍ଚିମ ଦେଶ ରଖାଇନ୍ ଅଞ୍ଚଳକୁ ଏଣ୍ଟ୍ରି କରନ୍ତି, ତେବେ ଚୀନର ମିଆଁମାର ନୀତି ଏକପ୍ରକାର ଫେଲ୍ ବୋଲି କୁହାଯିବ । ମିଆଁମାର ସେନା ସହ ଆରାକାନ ଆର୍ମି ଭଳି ଜାତୀୟ ସଂଗଠନ ସହ ଭଲ ସଂପର୍କ ସ୍ଥାପନ କରିଛି ଚୀନ୍ । ଆମେରିକା ପ୍ରଭାବ ରୋକିବା ଏବେ ଚୀନ ପାଇଁ ସବୁଠୁ ବଡ଼ ପ୍ରାଥମିକତା ।
କାହିଁକି ନିରବ ଭାରତ?
ରଖାଇନରେ ଭାରତ କଳାଦାନ ପ୍ରକଳ୍ପରେ ବଡ଼ ନିବେଶ କରିଛି । ଏହା ମିଆଁମାର ଦ୍ବାରା ଭାରତକୁ ଏହାର ଉତ୍ତରପୂର୍ବ ରାଜ୍ୟ ସହ ଯୋଡେ । ତେଣୁ ରଖାଇନରେ ସ୍ଥିରତା ଚାହୁଁଛି ଭାରତ । ତେଣୁ ଭାରତ ଚାହୁଁଛି, ରଖାଇନ ପଶ୍ଚିମ ଦେଶଙ୍କ ଗୁଇନ୍ଦା ଏଜେନ୍ସିର ଅଡ୍ଡା ନହେଉ । କାରଣ ପୂର୍ବୋତ୍ତର ରାଜ୍ୟରେ ସମ୍ବେଦନଶୀଳ ସ୍ଥିତି ନେଇ ଗୁପ୍ତଚରୀ ହେବାର ଆଶଙ୍କା ରହିଛି । ତେଣୁ ଭାରତ ଚୁପଚାପ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ବକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବା ଉଚିତ୍ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ତେବେ ଏପରି କଲେ ଆମେରିକାର ବିରୋଧର ସାମନା କରିବାକୁ ପଡିପାରେ । ଭାରତ ଏବେ ବାଂଲାଦେଶ ସେନା ସହ ରଣନୈତିକ ଭାବେ ତାଳମେଳ ରକ୍ଷା କରିବା ସହ ଆରାକାନ ଆର୍ମି ସହ ସଂପର୍କରେ ରହିଛି । ତେବେ ଏହି ସହଯୋଗ ଗୋପନୀୟ ଭାବେ କରାଯାଉଛି । ନିକଟରେ ଭାରତର ସୁରକ୍ଷା ଅଧିକାରୀ ରଖାଇନରେ ସକ୍ରିୟ ଆରାକାନ ଆର୍ମୀର ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି ।
ରଖାଇନର ୯୦ପ୍ରତିଶତ ଅଞ୍ଚଳରେ ଏବେ ଆରାକାନ ଆର୍ମିର ନିୟନ୍ତ୍ରଣ ରହିଛି । ଏପରିକି ଏଥିପାଇଁ ଏହାକୁ ବୈଧତା ମଧ୍ୟ ମିଳିପାରେ । ଏମିତି ହେଲେ ମିଆଁମାର ଦୁଇ ଭାଗ ହୋଇପାରେ । ତେଣୁ ରଖାଇନ୍ କରିଡର ଏବେ ଦକ୍ଷିଣ-ପୂର୍ବ ଏସିଆରେ ମହାଶକ୍ତିଙ୍କ ଟକ୍କରର ଆଡ୍ଡା ପାଲଟିଛି । ଆଉ ଏହି ମହାଯୁଦ୍ଧରେ ସବୁଠାରୁ ସମ୍ବେଦନଶୀଳ ସ୍ଥିତିରେ ରହିଛି ବାଂଲାଦେଶ ।
Comments are closed.