Latest Odisha News

BREAKING NEWS

କ’ଣ ସତରେ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ଟଳିଛି?, ସ୍ପଷ୍ଟିକରଣ ରଖିଲା ବିଦେଶ ମନ୍ତ୍ରଣାଳୟ……

ନୂଆଦିଲ୍ଲୀ: କେରଳର ଜଣେ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା, ହେଲେ ଗତ ୧୬ ତାରିଖରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହାରି ଭିତରେ ଖବର ସାମ୍ନାକୁ ଆସିଥିଲା ଯେ ନିମିଷାଙ୍କ ମୃତ୍ୟୁଦଣ୍ଡ ବାତିଲ କରାଯାଇଛି । ଏନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଏବେ ସ୍ପଷ୍ଟିକରଣ ରଖିଛି ବୈଦେଶିକ ମନ୍ତ୍ରଣାଳୟ । ବିଦେଶ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ନିମିଷାଙ୍କ ଫାଶୀ ବିଷୟରେ ପ୍ରଚାର ହେୁଥିବା ଖବର ଭୁଲ, ତାଙ୍କ ଦଣ୍ଡ ବାତିଲ ହୋଇନାହିଁ । କେରଳର ଏହି ନର୍ସଙ୍କୁ ୟେମେନରେ ତାଙ୍କ ବ୍ୟବସାୟିକ ଅଂଶୀଦାରଙ୍କୁ ହତ୍ୟା କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ତେବେ ଭାରତୀୟ ଗ୍ରାଣ୍ଡ ମୁଫ୍ତି କନ୍ଥାପୁରମ୍ ଅବୁବକର ମୁସଲିୟାରଙ୍କ କାର୍ଯ୍ୟାଳୟ, ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ନିମିଶା ପ୍ରିୟାଙ୍କ ଦଣ୍ଡକୁ ବାତିଲ କରାଯାଇଥିବା ନେଇ କହିଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟର ଦେଇଥିବା ସୂଚନା ଅନୁଯାୟୀ, କିଛି ଲୋକ ନିମିଶାଙ୍କ ବିଷୟରେ ଭୁଲ ସୂଚନା ଦେଇଛନ୍ତି । ନିମିଶା ତାଙ୍କ କାମ ପାଇଁ ଭାରତରୁ ୟେମେନ ଯାଇଥିଲେ । ସେ ୨୦୧୫ରେ ଏକ କ୍ଲିନିକ୍ ସ୍ଥାପନ କରିଥିଲେ । ନିମିଶା ତଲାଲ ଅବଦୋ ମହଦିଙ୍କ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରେ ତାଙ୍କ ହତ୍ୟା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ପୂର୍ବରୁ ନିମିଶାଙ୍କ ଫାଶୀ ତାରିଖ ୧୬ ଜୁଲାଇ ୨୦୨୫ରେ ସ୍ଥିର କରାଯାଇଥିଲା, କିନ୍ତୁ ଭାରତ ସରକାର, କେରଳର ଧାର୍ମିକ ନେତା ଏବଂ ସାମାଜିକ କର୍ମୀଙ୍କ ପ୍ରୟାସ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଭାରତର ଗ୍ରାଣ୍ଡ ମୁଫ୍ତି, ଅବୁବାକର ମୁସଲିୟାର ୟେମେନର ପ୍ରମୁଖ ସୁଫି ବିଦ୍ୱାନ ଶେଖ ଉମର ବିନ୍ ହାଫିଜଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆବେଦନ କରିଥିଲେ। ଶେଖ ଉମର ତଲାଲଙ୍କ ପରିବାର ସହିତ କଥା ହୋଇଥିଲେ, ଯାହା ପରେ ଦଣ୍ଡ ସ୍ଥଗିତ ରଖାଯାଇଥିଲା।

ରିପୋର୍ଟ ଅନୁଯାୟୀ, ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ଏପର୍ଯ୍ୟନ୍ତ ବାତିଲ ହୋଇନାହିଁ, କିନ୍ତୁ ୟେମେନର ଆଇନ ଅନୁଯାୟୀ, କ୍ଷମା ଦେବାର ବ୍ୟବସ୍ଥା ଅଛି। ୟେମେନରେ ଶରିଆ ଆଇନ ପ୍ରଯୁଜ୍ୟ, ଯାହା ଅନୁଯାୟୀ ହତ୍ୟା ମାମଲାରେ, ମୃତକଙ୍କ ପରିବାରର ସମ୍ମତିରେ ବ୍ଲଡ ମନି(କ୍ଷତିପୂରଣ) ମାଧ୍ୟମରେ ଦୋଷୀଙ୍କୁ କ୍ଷମା କରାଯାଇପାରିବ । ଯାହାକୁ ନେଇ ଏବେ ଆଲୋଚନା ଚାଲିଥିବା ବେଳେ ଏନେଇ କୌଣସି ଆଶ୍ବସ୍ତିକର ଖବର ସାମ୍ନାକୁ ଆସିନି ।

Comments are closed.