Latest Odisha News

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା; ୧୦ ଡିଗ୍ରି ତଳେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପାରଦ ୧୦ଡିଗ୍ରି ତଳକୁ ଖସିଥିବା ବେଳେ ଅନୁଗୁଳରେ ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି, ଟିଟିଲାଗଡ (୬.୫), ସୋନପୁର (୫.୬), ଟିଟିଲାଗଡ (୮), ତାଳଚେର (୮.୬), ହୀରାକୁଦ (୯.୬), ସୁନ୍ଦରଗଡ(୯), ସମ୍ବଲପୁର (୮.୬), କେନ୍ଦୁଝର (୬.୨), ଝାରସୁଗୁଡା (୮), ବାଲେଶ୍ୱର (୯.୪), କଟକ (୯) ଓ ଭୁବନେଶ୍ୱର (୯.୮) ରେକର୍ଡ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ପିକେ ନାଖ କହିଛନ୍ତି, ଓଡିଶାରେ ଆଜି ପାଣିପାଗ ଶୁଖିଲା ରହିବ । ହେଲେ ଜାନୁଆରୀ ୧ ତାରିଖ ବେଳକୁ ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଏହାବ୍ୟତିତ ଜାନୁଆର ୩ ତାରିଖ ବେଳକୁ ସୁନ୍ଦରଗଡ, ଅନୁଗୁଳ, ସୋନପୁର, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲା ତଥା ଉପକୂଳ ଓ ଆଭ୍ୟନ୍ତରିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ଝିପଝିପ୍ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଜାନୁଆରୀ ୪ ତାରିଖ ବେଳକୁ ଉପକୂଳ ଜିଲ୍ଲାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନଳ, ନୟାଗଡ, କନ୍ଧମାଳ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ପବନ ସହ ବର୍ଷା ହେବାର ଅନୁମାନ କରାଯାଉଛି ।

ଏହାବ୍ୟତିତ ଶ୍ରୀ ନାଥ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ବର୍ଷା କାରଣରୁ ରାତିର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ପାଇବ, ତେବେ ଜାନୁଆରୀ ୪ ତାରିଖ ବେଳକୁ ପୁଣିଥରେ ଶୀତ ଫେରିବ ।

Comments are closed.