ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ହୋଇଛି। ଲୋକସଭାରେ ବିତର୍କ ଶେଷ ହୋଇଛି, କିନ୍ତୁ ରାଜ୍ୟସଭାରେ ଏହା ଜାରି। ମହାରାଷ୍ଟ୍ରର ସୋଲାପୁରରୁ କଂଗ୍ରେସ ସାଂସଦ ପ୍ରଣୀତି ଶିନ୍ଦେ ଏହି ଅଭିଯାନକୁ ‘ତାମସା’ ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏହା ସରକାରଙ୍କ ଅଭିଯାନ ପରିଚାଳନାକୁ ପ୍ରଶ୍ନବାଚୀ କରିଛି।
ଲୋକସଭାରେ ପ୍ରଣୀତି କହିଥିଲେ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ହମଲା ପରେ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ଏକ ପ୍ରଚାରମୂଳକ ତାମସା। ଏହି ମନ୍ତବ୍ୟ ସଂସଦରେ ହଙ୍ଗାମା ସୃଷ୍ଟି କରିଥିଲା। ପରେ ଏହା ସଂସଦୀୟ ରେକର୍ଡରୁ ହଟାଯାଇଥିଲା। ତଥାପି, ପ୍ରଣୀତି ନିଜ ବକ୍ତବ୍ୟରେ ଅଟଳ। ସେ କହିଛନ୍ତି, ବିଜେପି ଏହି ଅଭିଯାନକୁ ନିଜର ଭାବମୂର୍ତ୍ତି ଚମକାଇବା ପାଇଁ ବ୍ୟବହାର କରିଛି।
ବିବାଦ ଉପରେ ପ୍ରଣୀତି କହିଛନ୍ତି, “୨୬ ଜଣଙ୍କ ପରିବାର ଯଦି ଆଘାତ ପାଇଛନ୍ତି, ଆମେ ହଜାରେ ଥର କ୍ଷମା ମାଗିବୁ। କିନ୍ତୁ ବିଜେପିର ଅନ୍ଧ ସମର୍ଥକ ଓ ଟ୍ରୋଲଙ୍କ ଆଗରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ।” ସେ ସରକାରଙ୍କୁ ପହଲଗାମ ଆକ୍ରମଣର ଦୋଷୀଙ୍କୁ ଧରିବାରେ ବିଫଳତା ଓ ଠୋସ ସୂଚନା ନ ଦେଇ ପାରିବାରେ ସମାଲୋଚନା କରିଛନ୍ତି। ତାଙ୍କ ଅସନ୍ତୋଷ ଅଭିଯାନ ନୁହେଁ, ସରକାରର ନିଷ୍କ୍ରିୟତା ବିରୁଦ୍ଧରେ।
ପ୍ରଣୀତି ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। କିନ୍ତୁ ସେ କହିଛନ୍ତି, ଅପରେସନ୍ ସିନ୍ଦୂର ସରକାରର ମିଡିଆ ଦ୍ୱାରା ପରିଚାଳିତ ଏକ ପ୍ରଦର୍ଶନ। ତାଙ୍କ ମନ୍ତବ୍ୟ ହଟାଯାଇଥିଲେ ମଧ୍ୟ ରାଜନୈତିକ ବାକ୍ ଯୁଦ୍ଧ ବଢାଇଛି।
ପ୍ରଣୀତି ଶିନ୍ଦେ ମହାରାଷ୍ଟ୍ର ରାଜନୀତିର ଜଣାଶୁଣା ଚେହେରା। ସେ ପୂର୍ବତନ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେଙ୍କ ଝିଅ। ୨୦୨୪ରେ ସେ ସୋଲାପୁରରୁ ଲୋକସଭା ସାଂସଦ ହୋଇଛନ୍ତି। ଏହା ପୂର୍ବରୁ ସେ ସୋଲାପୁର ସିଟି ସେଣ୍ଟ୍ରାଲରୁ ତିନି ଥର ମହାରାଷ୍ଟ୍ର ବିଧାନସଭା ସଦସ୍ୟ ହୋଇଥିଲେ।
ତେବେ ପ୍ରଧାନମନ୍ତ୍ରୀ ଏହି ଯୁବ ସାଂସଦଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁବ ସାଂସଦ ହୋଇଥିବାରୁ ସେ ତାଙ୍କୁ କ୍ଷମା ଦେଇଛନ୍ତି ବୋଲି କହିଥିଲେ। ହେଲେ କଂଗ୍ରେସର ସାହାସ ଅଛି ଯଦି ସେ ଏପରି ମନ୍ତବ୍ୟ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ।
Comments are closed.