ନୂଆଦିଲ୍ଲୀ: ଆଜି ଭୋରରୁ ରୁଷିଆର କାମଚଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ସୃଷ୍ଟି ପରେ ଏହାର ପ୍ରଭାବ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୮ ମାପ କରାଯାଇଛି । ରୁଷ ଏବଂ ଜାପାନ ସହିତ, ଆମେରିକାର ହାୱାଇ, ଆଲାସ୍କା ଏବଂ କାନାଡାର ପଶ୍ଚିମ ଉପକୂଳରେ ମଧ୍ୟ ସୁନାମି ଚେତାବନୀ ଜାରି କରାଯାଇଛି । ରିପୋର୍ଟ ଅନୁସାରେ, ୮.୮ ତୀବ୍ରତାର ଭୂମିକମ୍ପ ପରେ, ରୁଷର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ବିଶାଳ ଉତ୍ତର ଦ୍ୱୀପ ହୋକାଇଡୋର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି ।
ବିପର୍ଯ୍ୟୟ ମୁହଁରେ ସବୁବେଳେ ଜାପାନ…
ରୁଷୀୟ ଅଞ୍ଚଳରେ ଗତ ୧୧ ବର୍ଷରେ ଏପରି ଏକ ଭୟଙ୍କର ଭୂମିକମ୍ପ ଆସିଥିବା ବେଳେ ଜାପାନ ପାଇଁ ଏହି ବିପର୍ଯ୍ୟୟ କିଛି ନୂଆ ନୁହେଁ । କାରଣ ଜାପାନ ବିଶ୍ୱର ଏପରି ଏକ ଦେଶ ଯାହା ବାରମ୍ବାର ଭୂମିକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ। କେତେବେଳେ ବଡ଼ ଏବଂ ଶକ୍ତିଶାଳୀ ଭୂମିକମ୍ପ ଏବଂ କେତେବେଳେ ଉଚ୍ଚ ସମୁଦ୍ର ତରଙ୍ଗ, ଏହି ଦେଶ ସର୍ବଦା କୌଣସି ନା କୌଣସି ବିପଦରେ ଘେରି ରହିଥାଏ। ଆଉ ଏବେ ରୁଷ ନିକଟରେ ସମୁଦ୍ର ତଳେ ୮.୮ ତୀବ୍ରତାର ଏକ ବଡ଼ ଭୂମିକମ୍ପ, ଯାହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି, ସେଥିରେ ବି ବେହାଲ ହୋଇପଡିଛି ଜାପାନ । ଯାହାପରେ ଜାପାନର ଉତ୍ତରରେ ଥିବା ହୋକାଇଡୋ ଏବଂ ରୁଷିଆର କୁରିଲ ଦ୍ୱୀପପୁଞ୍ଜରେ ବିଶାଳ ସମୁଦ୍ର ତରଙ୍ଗ ଉଠିଥିଲା। ଫୁକୁସିମାରେ ଥିବା ପରମାଣୁ କେନ୍ଦ୍ରରୁ କର୍ମଚାରୀମାନଙ୍କୁ ହଟାଇ ଦିଆଯାଇଥିଲା ଏବଂ ୯ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ଯିବାକୁ ପରାମର୍ଶ ଦିଆଯାଇଥିଲା। ଏପରି ପରିସ୍ଥିତିରେ, ଏବେ ପ୍ରଶ୍ନ ଉଠୁଛି, କାହିଁକି ସବୁବେଳେ ଜାପାନ? ଜାପାନରେ ଏତେ ବିପର୍ଯ୍ୟୟ କାହିଁକି ଘଟୁଛି? ଏବଂ ଏପର୍ଯ୍ୟନ୍ତ କେଉଁ ବିପର୍ଯ୍ୟୟ, ଯାହା ଜାପାନକୁ ସର୍ବାଧିକ କ୍ଷତି ପହଞ୍ଚାଇଛି?
ଜାପାନରେ ବିପର୍ଯ୍ୟୟର ମୁଖ୍ୟ କାରଣ ହେଉଛି ଏହାର ଅବସ୍ଥିତି । ଜାପାନ ଯେଉଁ ସ୍ଥାନରେ ଅବସ୍ଥିତ ତାହା ଟେକ୍ଟୋନିକ୍ ପ୍ଲେଟ୍ର ଏକ ଅଂଶ ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ । ଏଗୁଡ଼ିକ ପୃଥିବୀ ପୃଷ୍ଠରେ ଥିବା ଏପରି ପ୍ଲେଟ୍ ଯାହା ନିରନ୍ତର ଗତି କରେ। ଜାପାନ ଚାରୋଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଯାହା ପ୍ରଶାନ୍ତ ମହାସାଗର, ଫିଲିପାଇନ୍ସ, ୟୁରେସିଆନ୍ ଏବଂ ଉତ୍ତର ଆମେରିକୀୟ ପ୍ଲେଟ୍, ମିଳନ ବିନ୍ଦୁରେ ଅବସ୍ଥିତ । ଆଉ ସର୍ବାଦା ଗତିଶୀଳ ଥିବା ଏହି ପ୍ଲେଟଗୁଡିକ ଯେତେବେଳେ ପରସ୍ପର ସହ ଧକ୍କା ହୁଅନ୍ତି କିମ୍ବା ନିଜ ସ୍ଥାନରୁ ଖସିଯାଆନ୍ତି, ସେତେବେଳେ ଭୂମିକମ୍ପ ସୃଷ୍ଟି ହୁଏ ଏବଂ ଯଦି ଏହା ସମୁଦ୍ର ତଳେ ହୁଏ, ତେବେ ଏହା ସୁନାମି ମଧ୍ୟ ସୃଷ୍ଟି କରିପାରେ । ଯାହା ବର୍ତ୍ତମାନ ଘଟିଛି । ପ୍ରଶାନ୍ତ ମହାସାଗର ତଳେ ସୃଷ୍ଟି ହୋଇଥିବା ଆଜିର ଭୂମିକମ୍ପ, ସୁନାମିର ଆତଙ୍କ ଆଣିଛି । ଏହି କାରଣରୁ ପ୍ରତିବର୍ଷ ଜାପାନରେ ୧୫ ହଜାରରୁ ଅଧିକ ଛୋଟ ବଡ଼ ଭୂମିକମ୍ପ ରେକର୍ଡ କରାଯାଏ ।
ସବୁଠାରୁ ଭୟଙ୍କର ସୁନାମୀ ଦେଖିଛି ଜାପାନ୍…..
୧୧ ମାର୍ଚ୍ଚ ୧ ତାରିଖ, ଜାପାନ ଇତିହାସରେ ସବୁଠାରୁ ଭୟଙ୍କର ସୁନାମି ଆସିଥିଲା । ଏହି ଦିନ ୯.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ପରେ ସମୁଦ୍ରରୁ ପ୍ରବଳ ସୁନାମି ତରଙ୍ଗ ଉଠିଥିଲା । ଏହା ଯୋଗୁଁ ପ୍ରାୟ ୨୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା, ହଜାର ହଜାର ଲୋକ ଆହତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଥିଲେ। ଏହା ବ୍ୟତୀତ, ଏହି ବିପର୍ଯ୍ୟୟରେ ଫୁକୁସିମା ପରମାଣୁ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ନଷ୍ଟ ହୋଇଯାଇଥିଲା, ଯାହା ଯୋଗୁଁ ବିକିରଣର ବିପଦ ବ୍ୟାପକ ବ୍ୟାପିଥିଲା । ଯାହା ଏବେ ପର୍ଯ୍ୟନ୍ତର ସବୁଠୁ ଭୟଙ୍କର ଥିଲା । ଏହା ପୂର୍ବରୁ କାଳର କରାଲ ରୂପ ନେଇ ଆସିଥିଲା, ୧୮୯୬ ମେଇଜି ସାନରିକୁ ସୁନାମି । ୧୮୯୬ରେ ମେଇଜି ସାନରିକୁ ସୁନାମି ଦ୍ୱାରା ଜାପାନ ଧ୍ୱଂସ ପାଇଥିଲା କହିଲେ ଅତ୍ୟକ୍ତି ହେବ ନାହିଁ । ଏହି ସୁନାମିରେ ପ୍ରାୟ ୨୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସୁନାମିର ଉଚ୍ଚତା ୩୮.୨ ମିଟର ପର୍ଯ୍ୟନ୍ତ ମାପ କରାଯାଇଥିଲା । ଏହି ସୁନାମି ଏତେ ଧୀରେ ଆସିଥିଲା ଯେ ପ୍ରଥମେ ଭୂମିକମ୍ପ ଅନୁଭବ ହିଁ ହୋଇନଥିଲା, କିନ୍ତୁ କିଛି ସମୟ ମଧ୍ୟରେ ସମୁଦ୍ରର ବିଶାଳ ତରଙ୍ଗ ସହରଗୁଡ଼ିକୁ ଭସାଇ ନେଇଯାଇଥିଲା । ଏହାପରେ ଥିଲା ୧୯୩୩ ସୋୱା ସାନରିକୁ ସୁନାମି ।୧୯୩୩ ମସିହାରେ ଏହି ସୁନାମୀ ମଧ୍ୟ ଜାପାନକୁ କିଛ କମ୍ ଦୁଃଖ ଦେଇନି । ଏକ ଭୂମିକମ୍ପ ପରେ ହଠାତ୍ ଏକ ବଡ଼ ସୁନାମି ମାଡି ଆସିଥିଲା । ଏଥିରେ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା । ଯାହା ଏବେ ବି ଜାପାନବାସୀଙ୍କ ରୁମ ଟାଙ୍କୁରାଇ ଦିଏ ।
ଦୁନିଆର କିଛି ଭୟଙ୍କର ସୁନାମୀ…
୨୬ ଡିସେମ୍ବର ୨୦୦୪ର ସେହି ଦିନକୁ କେହି ଭୁଲିପାରିବେ ନାହିଁ ଯେତେବେଳେ ଭାରତ ମହାସାଗରରେ ହୋଇଥିବା ପ୍ରାୟ ୨.୫ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ନେଇଥିଲା । ଏହି ସୁନାମି ଆଣ୍ଡାମାନ ଏବଂ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଘଟିଥିଲ । ଏଥିରେ ଦକ୍ଷିଣ ଭାରତ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପୁଦୁଚେରୀ ଭଳି ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଥିଲା । ଏହାପ ପୂର୍ବରୁ ୧୭୫୫ ମସିହାର ୧ ନଭେମ୍ବରରେ ପର୍ତ୍ତୁଗାଲର ଲିସବନରେ ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ସ୍ପେନ ନିକଟରେ ସମୁଦ୍ରରେ ୩୦ ମିଟର ଗଭୀରତାରେ ୮.୫ ତୀବ୍ରତାର ଏକ ଭୂମିକମ୍ପ ସୃଷ୍ଟି ହୋଇଥିଲା, ପ୍ରଭାବରେ ଉଚ୍ଚ ସୁନାମି ତରଙ୍ଗ ଉଠିଥିଲା। ଏଥିରେ ପ୍ରାୟ ୬୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୧୮୮୩ ମସିହାର ୨୭ ଅଗଷ୍ଟରେ ଇଣ୍ଡୋନେସିଆର କ୍ରାକାଟାଉ କାଲଡେରା ଜ୍ୱାଳାମୁଖୀ ଫାଟି, ସମୁଦ୍ରରେ ୩୭ ମିଟର ଉଚ୍ଚ ତରଙ୍ଗ ଉଠିଥିଲା ଯାହା ଯୋଗୁଁ ୪୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ୨୭ ମାର୍ଚ୍ଚ ୧୯୬୪ରେ ଆଲାସ୍କାରେ ୯.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଏତେ ବିପଜ୍ଜନକ ଥିଲା ଯେ ଏହା ପ୍ରାୟ ସାଢ଼େ ଚାରି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି କାରଣରୁ ଏକ ବଡ଼ ଧରଣର ସୁନାମି ଆସିଥିଲା ଏବଂ ଧ୍ୱଂସ ମଧ୍ୟ ଭୟଙ୍କର ଥିଲା।
Comments are closed.