ଶ୍ରୀହରିକୋଟା: ବିଶ୍ୱ ଦେଖିଲା ଭାରତର ସାଟେଲାଇଟ ପାୱାର। ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍ରୁ ଲଞ୍ଚ୍ ହେଲା ଭାରତ-ଆମେରିକାର ଐତିହାସିକ ମିଳିତ ମିଶନ। ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ରଖିବ ତୀକ୍ଷ୍ଣ ନଜର। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି।
ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ଏହାକୁ ସୂର୍ଯ୍ୟ ସମକାଳୀନ ଧ୍ରୁବୀୟ କକ୍ଷରେ ସ୍ଥାପନ କରାଯିବ, ଯେଉଁଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର, ଅର୍ଥାତ ପ୍ରାୟ ୧୩,୧୨୦ କୋଟି ଟଙ୍କା। ନିସାର ମିଶନ ହେଉଛି ଇସ୍ରୋ ଓ ନାସାର ଏକ ମିଳିତ ପ୍ରୟାସ, ଯାହାକୁ ଉଭୟ ସଂସ୍ଥା ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ସଫଳ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ GSLV-F୧୬ ମାଧ୍ୟମରେ ଲଞ୍ଚ କରିଛି। ଏହା ଏକ ଏକ୍ସପେଣ୍ଡେବଲ ନନ-ରିୟୁଜେବଲ ତିନି-ପର୍ଯ୍ୟାୟ ଲଞ୍ଚ ଭେଇକିଲ।
ଏହା ନାସା ଓ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ। ଏହା ବିଭିନ୍ନ ପରିବେଶଗତ ଏବଂ ଭୂ-ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ। ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ। ଏହି ସାଟେଲାଇଟ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ। ଏହା ବରଫ ଢ଼ାଙ୍କିଥିବା ପାହାଡ଼ର ସଠିକ ଅଧ୍ୟୟନ, ଭୂମି ଧସିବା, ଜ୍ୱାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ। ଏହା ସହ ନିସାର କୃଷି, ମାଟିର ଆର୍ଦ୍ରତା ଏବଂ ଅବସଂରଚନା ଉପରେ ମଧ୍ୟ ନଜର ରଖିବ।
Comments are closed.