Latest Odisha News

BREAKING NEWS

ଟ୍ରମ୍ପଙ୍କ ଟାରିଫ୍ ମାଡ଼…ସଂକଟରେ ବି ଭାରତ ପାଇଁ ସୁଯୋଗ !

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଗଷ୍ଟ ୧ତାରିଖରୁ ଭାରତରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ପ୍ରତିଶତ ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି । ଋଷଠାରୁ ତୈଳ ଓ ସାମରିକ ସାମଗ୍ରୀ କିଣିବା ନେଇ ବି ଭାରତୀୟ କମ୍ପାନୀ ଉପରେ ଜରିମାନା ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ଟାରିଫ ପ୍ରହାର କେତେକ କ୍ଷେତ୍ରରେ ଭାରତ ପାଇଁ ସୁଯୋଗ ବି ହୋଇପାରେ । ଟ୍ରମ୍ପଙ୍କ ଏଭଳି ଘୋଷଣା ଭାରତ ପାଇଁ ସମ୍ଭାବନାର ନୂଆ ଦ୍ବାର ଖୋଲିପାରେ ବୋଲି ଉଦ୍ୟୋଗପତି ହର୍ଷ ଗୋୟେଙ୍କା କହିଛନ୍ତି । ଟାରିଫ ମାଡ଼ ପରେ ଫାର୍ମା ଓ ଷ୍ଟିଲ କ୍ଷେତ୍ର ସୁରକ୍ଷିତ ରହିବ । ଆଇଟି କ୍ଷେତ୍ରକୁ ମଧ୍ୟ ଛୁଇଁନି ଆମେରିକା। କାରଣ କେବଳ ସାମଗ୍ରୀ ଉପରେ ଟାରିଫ ଲଗାଯାଇଥିବା ବେଳେ ସେବା ଉପରେ ଲାଗିନଥିବା ସେ କହିଛନ୍ତି ।

ନୂଆ ବଜାର ସନ୍ଧାନ

ଟାରିଫ ଲାଗୁ ହେବା ପରେ ଆମେରିକା ବଜାରରେ ଭାରତୀୟ ଉତ୍ପାଦ ମହଙ୍ଗା ହେବ । ତେଣୁ ଭାରତ ବିଶ୍ବର ଅନ୍ୟ ବିକଳ୍ପ ବଜାର ଉପରେ ଧ୍ୟାନ ଦେବ । ଏଭଳି ସ୍ଥିତିରେ ୟୁରୋପ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକା ବଜାର ନେଇ ଚିନ୍ତା କରାଯାଇପାରିବ । ହର୍ଷ ଗୋଏଙ୍କା ଏନେଇ ଇସାରା କରିଛନ୍ତି । ଏହାଦ୍ବାରା ରପ୍ତାନୀରେ ବିବିଧକରଣ ବଢିବ । ଯାହା ଭାରତର ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଦିଗରେ ଲାଭପ୍ରଦ ହେବ । ଭାରତକୁ ଏବେ ପୂରା ୟୁରୋପ ଓ ଏସିଆନ୍ ଦେଶ ସହ ବାଣିଜ୍ୟ ବଢାଇବା ଉଚିତ୍ ବୋଲି ହର୍ଷ ଗୋଏଙ୍କା କହିଛନ୍ତି । ସେପଟେ ଭାରତ ପାଖରେ ଅଧିକ ମାନବ ସମ୍ବଳ, ଟେକ୍ନୋଲୋଜି ଦକ୍ଷତା ରହିଛି । ତେଣୁ ଭାରତ ଏହାକୁ ସୁଯୋଗ ଭାବେ ନେବାକୁ ବାଣିଜ୍ୟ ସଂଗଠନ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ମହାସଚିବ ରଂଜୀତ ମେହେତା କହିଛନ୍ତି ।

ଭାରତୀୟ କମ୍ପାନୀଙ୍କୁ ସୁଯୋଗ

ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଭାରତୀୟ କମ୍ପାନୀ ଆମେରିକାରେ ଉତ୍ପାଦନ ପାଇଁ ପ୍ରେରିତ ହୋଇପାରନ୍ତି । ଫଳରେ ଭାରତୀୟ କମ୍ପାନୀଙ୍କ ପାଖରେ ଟ୍ରମ୍ପଙ୍କ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ଅଭିଯାନରେ ସାମିଲ ହେବାକୁ ସୁଯୋଗ ମିଳିବ । ଏଥିପାଇଁ ଟ୍ରମ୍ପ ମଧ୍ୟ ନିଜେ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତୀୟ କମ୍ପାନୀ ଆମେରିକୀୟ କମ୍ପାନୀଙ୍କ ସହ ମିଳିତ ଭାବେ ଆମେରିକାରେ ଉତ୍ପାଦନ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଏମିତି ହେଲେ ଭାରତୀୟ କମ୍ପାନୀଙ୍କୁ ଆମେରିକା ବଜାର ସହ ଟେକ୍ନୋଲୋଜି ବି ମିଳିବ ।

ମେକ୍ ଇନ୍ ଇଣ୍ଡିଆକୁ ବୁଷ୍ଟର ଡୋଜ୍

ଟାରିଫର ପ୍ରଭାବରୁ ଭାରତରେ ଆମେରିକୀୟ ଓ ବିଶ୍ବର ଅନ୍ୟ କମ୍ପାନୀ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ ହେବେ । ଫଳରେ ଚାକିରି, ନିବେଶ ଓ ପ୍ରଯୁକ୍ତି ବିଦ୍ୟାର ଆଦାନପ୍ରଦାନ ବଢିବ । ଭାରତରେ ବିଦେଶୀ କମ୍ପାନୀ ଆସିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଅଧିକ ଜନସଂଖ୍ୟା ପାଇଁ ଭାରତ ଏବେବି ଉପଭୋକ୍ତା ଆଧାରିତ ବଜାର। ତେଣୁ ଏଭଳି ସମୟରେ ସରକାର ସ୍ବଦେଶୀ ବଜାର ଉପରେ ଧ୍ୟାନ ଦେଇପାରନ୍ତି । ଯଦି ଭାରତ ଅଧିକ ଉତ୍ପାଦନ କରେ, ତେବେ ଆମେରିକା ନହେଲେ ବି ଅନ୍ୟ ଦେଶ ମଧ୍ୟ ଏହାକୁ କିଣିବାକୁ ଆଗ୍ରହ ଦେଖାଇବେ । ଟ୍ରମ୍ପ କେବଳ ଭାରତ ନୁହେଁ ବରଂ ବିଶ୍ବର ପ୍ରାୟ ସବୁ ଦେଶ ଉପରେ ଟାରିଫ ଲଗାଇଛନ୍ତି। ଏଭଳି ସ୍ଥିତିରେ ଆମେରିକା ସହ ବାଣିଜ୍ୟ କରିବା ଗ୍ଲୋବାଲ କମ୍ପାନୀଙ୍କ ପାଇଁ କଷ୍ଟକର ହେବ ।

ବଢିବ ପ୍ରତିଯୋଗିତା, ଆସିବ ନୂଆ ଟେକ୍ନୋଲୋଜି

ଟ୍ରମ୍ପ ୨୫ପ୍ରତିଶତ ଟାରିଫ ଲଗାଇବା ପରେ ଆମେରିକାରେ ଭାରତୀୟ ଉତ୍ପାଦ ମହଙ୍ଗା ହୋଇଯିବ । ଏହା ପରେ କମ୍ପାନୀ ଆମେରିକାକୁ ଉତ୍ପାଦ ରପ୍ତାନୀ କଲେ ବଜାରରେ ପ୍ରତିଯୋଗିତାକୁ ଆଖିରେ ରଖି ଦର କମ୍ ରଖିବାକୁ ପଡିବ । ଆମେରିକା ବଜାରରେ ପ୍ରତିଦ୍ବନ୍ଦ୍ବୀ ରହିବା ପାଇଁ କମ୍ପାନୀଙ୍କୁ କମରୁ କମ୍ ଦରରେ ଉତ୍ପାଦ ରପ୍ତାନୀ କରିବାକୁ ପଡିବ । ଆଉ ଏଥିପାଇଁ ଭାରତୀୟ କମ୍ପାନୀ ନୂଆ ଟେକ୍ନୋଲୋଜି ସହ ଉତ୍ପାଦନର ନୂଆ ତରିକା ଉପରେ ଫୋକସ୍ କରିପାରନ୍ତି । ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଭାରତୀୟ କମ୍ପାନୀଗୁଡିକରେ କଣ ପରିବର୍ତ୍ତନ ଆବଶ୍ୟକ, ତାଉପରେ ସରକାର ଦୃଷ୍ଟି ଦେବେ। ଏହାପରେ ଭାରତ ଲଜିଷ୍ଟିକ୍ସ ଭିତ୍ତିଭୂମି, ଟ୍ୟାକ୍ସ ଆଶ୍ବସ୍ତି ଓ ମୁକ୍ତ ବାଣିଜ୍ୟ ବୁଝାମଣାରେ ପରିବର୍ତ୍ତନ ଆଣିପାରେ ।

Comments are closed.