Latest Odisha News

BREAKING NEWS

ସର୍ଫ- ସାବୁନ ତିଆରି କମ୍ପାନୀ ୩ମାସରେ ଲାଭ କଲା ୨୭୩୨ କୋଟି

ନୂଆଦିଲ୍ଲୀ: ଏଫଏମସିଜି(Fast-Moving Consumer Goods) କ୍ଷେତ୍ରର ସର୍ବବୃହତ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ଗୁରୁବାର ଦିନ ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ତ୍ରୈମାସିକ (ଏପ୍ରିଲ ରୁ ଜୁନ୍ 2025)ର ରେଜଲ୍ଟ ଜାରି କରିଛି। ପ୍ରଥମ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୨,୭୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ୭.୬% ଅଧିକ।

ଏହା ବ୍ୟତୀତ, କମ୍ପାନୀର ଅପରେସନ ରାଜସ୍ୱ ମଧ୍ୟ ୩.୮% ବୃଦ୍ଧି ପାଇ ୧୫,୭୪୭ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ୧୫,୧୬୬ କୋଟି ଟଙ୍କା ଥିଲା।

ଡୋଭ୍ ସାବୁନ୍ ଏବଂ ସର୍ଫ ଏକ୍ସେଲ୍ ଭଳି ବ୍ରାଣ୍ଡର ମାଲିକ ହିନ୍ଦୁସ୍ତାନ ୟୁନିଲିଭର କହିଛି ଯେ, ଜୁନ୍ ୨୦୨୫ ରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ଏହାର ମୋଟ ଖର୍ଚ୍ଚ ୧୨,୮୦୭ କୋଟି ଟଙ୍କା ଥିଲା। ଏହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୨,୧୧୬ କୋଟି ଟଙ୍କା ତୁଳନାରେ YoY (year-on-year) ୫.୭% ବୃଦ୍ଧି ହୋଇଛି ।

ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା କ୍ଷେତ୍ର ଭଲ ପ୍ରଦର୍ଶନ କରିଛି, ରାଜସ୍ୱ ୪.୭% ବୃଦ୍ଧି ପାଇ ୩,୩୪୯ କୋଟି ଟଙ୍କା ହୋଇଛି। ଖାଦ୍ୟ କ୍ଷେତ୍ର ମଧ୍ୟ କିଛି ଅଭିବୃଦ୍ଧି ଦେଖାଇଛି, ରାଜସ୍ୱ ୪.୩% ବୃଦ୍ଧି ପାଇ ୪,୦୧୬ କୋଟି ଟଙ୍କା ହୋଇଛି।

ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ରୋହିତ ଜାଭା କହିଛନ୍ତି ଯେ, ଏଫଏମସିଜି ଚାହିଦା ସ୍ଥିର ରହିଛି ଏବଂ ସାମ୍ପ୍ରତିକ ସମୟରେ ଏଥିରେ ସାମାନ୍ୟ ବୃଦ୍ଧି ମଧ୍ୟ ହୋଇଛି। କମ୍ପାନୀ ସାମଗ୍ରିକ ଭାବରେ ୫% ବିକ୍ରୟ ବୃଦ୍ଧି ଏବଂ ୪% ପରିମାଣ ବୃଦ୍ଧି ରେକର୍ଡ କରିଛି।

ଗୁରୁବାର ଦିନ ଏହାର ତ୍ରୈମାସିକ ରେଜଲ୍ଟ ପରେ BSEରେ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ୩.୫୦% ବୃଦ୍ଧି ପାଇ ୨,୫୨୨ ଟଙ୍କାରେ ପହଞ୍ଚିଛି।

Comments are closed.