ନୂଆଦିଲ୍ଲୀ: ଚଢାଉର ପ୍ରାୟ ସପ୍ତାହ ପରେ ଏବେ ଋଣ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ଇଡି । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି । ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇଡି ତାଙ୍କୁ ଅଗଷ୍ଟ ୫ ତାରିଖରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ଏଥିସହିତ ଆଜି ଓଡିଶା ଏବଂ ପଶ୍ଚିମବଙ୍ଗରେ ଚଢାଉ ଆରମ୍ଭ କରିଛି ଇଡି ।
ଗତ ସପ୍ତାହରେ, ଇଡି ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ପ୍ରାୟ ୩୫ ଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ, ଅନେକ ଡକ୍ୟୁମେଣ୍ଟ, ଆର୍ଥିକ କାରବାର, ଡିଜିଟାଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଜବତ କରାଯାଇଥିଲା। ବର୍ତ୍ତମାନ ଏକ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ ଇଡି ଓଡ଼ିଶା ଏବଂ କୋଲକାତାରେ ତଲାସ କରୁଛି। ଇଡି ଅଭିଯୋଗ କରିଛି ଯେ ଏହି ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଆଧାରରେ ଅନିଲ ଅମ୍ବାନୀଙ୍କ ଫାର୍ମକୁ ଚୁକ୍ତିନାମା ଦିଆଯାଇଥିଲା।
ପୂର୍ବରୁ, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ୧୦ ହଜାର କୋଟି ଟଙ୍କାର କଥିତ ପାଣ୍ଠି ସ୍ଥାନାନ୍ତର ସମ୍ପର୍କରେ ଇଡି ଏବଂ ଅନ୍ୟ ଦୁଇଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଅଭିଯୋଗ କରାଯାଇଛି ଯେ ଋଣ ରାଶିକୁ ଅନ୍ୟ କମ୍ପାନୀଗୁଡ଼ିକୁ ପଠାଯାଇଥିଲା ଏବଂ ନିର୍ଦ୍ଧାରିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା, ଯାହା ମନି ଲଣ୍ଡରିଂ ପରିସରଭୁକ୍ତ।
କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଭିଯୋଗ କରିଛି ଯେ ରିଲାଏନ୍ସ ଗ୍ରୁପ୍ ର ଅନେକ କମ୍ପାନୀ କୌଣସି ପର୍ଯ୍ୟାପ୍ତ ଗ୍ୟାରେଣ୍ଟି ବିନା ୟେସ୍ ବ୍ୟାଙ୍କରୁ ବଡ଼ ଋଣ ନେଇଥିଲେ ଏବଂ ସେହି ଟଙ୍କା ସେଲ୍ କମ୍ପାନୀ ମାଧ୍ୟମରେ ଅନ୍ୟ କାମରେ ଖର୍ଚ୍ଚ କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ୱାରା ଦୁଇଟି ଏଫଆଇଆର ଦାୟର କରାଯାଇଥିଲା, ଯାହା ପରେ ଇଡି ତଦନ୍ତ ଆରମ୍ଭ କରିଥିଲା।
ତେବେ ବ୍ୟାଙ୍କ ଋଣ ଠକେଇ ଅଭିଯୋଗ ପରେ, ରିଲାଏନ୍ସ ପାୱାର ଏବଂ ରିଲାଏନ୍ସ ଇନଫ୍ରାଷ୍ଟକ୍ଚର ସେମାନଙ୍କର ସ୍ପଷ୍ଟୀକରଣରେ କହିଛନ୍ତି ଯେ ସେମାନଙ୍କର ରିଲାଏନ୍ସ କମ୍ୟୁନିକେସନ୍ସ (ଆରକମ୍) କିମ୍ବା ଆରଏଚ୍ଏଫଏଲ୍ ସହିତ କୌଣସି ବ୍ୟବସାୟିକ କିମ୍ବା ଆର୍ଥିକ ସମ୍ପର୍କ ନାହିଁ। ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅନିଲ ଅମ୍ବାନୀ ଏହି କମ୍ପାନୀଗୁଡ଼ିକର ବୋର୍ଡରେ ଅନ୍ତର୍ଭୁକ୍ତ ନୁହଁନ୍ତି। ଏହା ଉଲ୍ଲେଖନୀୟ ଯେ ଏସବିଆଇ ଅନିଲ ଅମ୍ବାନୀ ଏବଂ ଆରକମ୍କୁ ଠକ ବୋଲି ଘୋଷଣା କରିଛି।
Comments are closed.