Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୧୬: ପରମ ଜ୍ଞାନୀ ପୁରୁଷ “ବ୍ୟାସ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା ସଂସାରକୁ ଉପହାର ଦେଲେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ପରଂବ୍ରହ୍ମଙ୍କର ଅନେକ ରୂପରେ ଅବତୀର୍ଣ ହେବାର କାହାଣୀ ବର୍ଣନା ଅବସରରେ ଆମେ ଏକ ଅତ୍ୟନ୍ତ ମନୋହର ରୂପ କଥା ଜାଣିଲେ, ଯାହା ପରମେଶ୍ୱରଙ୍କ ଭୁବନ ମୋହିନୀ (ପ୍ରକୃତି ସ୍ୱରୂପା )ମନ ମୋହିନୀ ବାରନାରୀ ରୂପ, ଅର୍ଥାତ ଜଗତ କଲ୍ୟାଣ ପାଇଁ ପ୍ରଭୁ ଜଣେ ବାରନାରୀ ରୂପେ ପ୍ରକଟିତ ହୋଇ ସମୁଦ୍ର ମନ୍ଥନରୁ ଉତ୍ପନ ଅମୃତକୁ ଛଳରେ ନେଇ ଦେବତା ମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ମାୟାବୀ ଦୈତ୍ୟ ରାହୁ ଓ କେତୁ ମାୟା ଶରୀର ଧାରଣ କରି ସେହି ଅମୃତ କିଛି ପାନ କରିବାକୁ ଚେଷ୍ଟା କରିବାରୁ ଶ୍ରୀବିଷ୍ଣୁ ତାଙ୍କର ମସ୍ତକ ଛେଦନ କରିଥିଲେ।

ପୁନଶ୍ଚ ସେଇଭଳି ଏକ ଚମତ୍କାର କାହାଣୀ (ପ୍ରସଙ୍ଗ କ୍ରମେ ସମ୍ପୂର୍ଣ କାହାଣୀ ଜାଣିବା )ବ୍ରହ୍ମାଙ୍କ ବରଦାନର ମହତ ରକ୍ଷା କରିବା ତଥା ନିଜ ପରମଭକ୍ତଙ୍କ ମାନ ଉଦ୍ଧାରଣ ନିମିତ୍ତ ଏକ ଅସମ୍ଭବ ରୂପକୁ ଧାରଣ କରିଲେ, ଯାହା ଥିଲା ବିଲକ୍ଷଣ ନର ଶରୀର ସହିତ ପଶୁରାଜ ସିଂହର ମସ୍ତକ ମିଶ୍ରିତ ଭୟଙ୍କର ରୂପ ନୃସିଂହ ଅବତାର ହୋଇଥିଲେ। ସେହିପରି ଅସୁରରାଜ ବଳି ଅତ୍ୟନ୍ତ ଧାର୍ମିଜ ଓ ଦାନୀ ହୋଇ ମଧ୍ୟ ନିଜର ଆସୁରିକ ଗୁଣର ପ୍ରଭାବରୁ ମୁକୁଳି ନପାରି ଶେଷରେ ଅହଂକାର ବଶତଃ ସ୍ୱର୍ଗ ଆକ୍ରମଣ କରି ତାହା ଦଖଲ କରିବା ସହିତ ଇନ୍ଦ୍ର ଆଦି ଦେବତା ମାନଙ୍କୁ ସ୍ୱର୍ଗରୁ ବହିଷ୍କାର କଲେ।

ଦେବମାତା ଅଦିତିଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସେ ଏକ ଅଦ୍ଭୁତ ତଥା ତେଜସ୍ୱୀ ବାମନ ରୂପ ଧାରଣ କରି ବଳି ସହିତ ଛଳନା କରି ତାକୁ ପାତାଳକୁ ଚାପି ଇନ୍ଦ୍ରଙ୍କୁ ସ୍ୱର୍ଗ ଫେରାଇ ଦେଲେ। ଅର୍ଥାତ ବଳିଙ୍କୁ ପାତାକେଶ୍ୱର ଓ ଇନ୍ଦ୍ରଙ୍କୁ ପୁଣି ସୁରେଶ୍ୱର ରୂପେ ଅଭିଷିକ୍ତ କରିଲେ। ପୃଥିବୀକୁ କ୍ଷତ୍ରୀୟ ରାଜା ମାନେ ଶାସନ କରୁଥିଲେ, କିନ୍ତୁ କାଳକ୍ରମେ ସେମାନେ ଐଶ୍ୱର୍ଯ୍ୟ ଓ କ୍ଷମତା ବଳରେ ଅହଙ୍କାରୀ ଓ ନିଷ୍ଠୁର ହୋଇଯିବାରୁ ପ୍ରଭୁ ସ୍ୱୟଂ ହାତରେ କୁଠାର ଧାରଣ କରି ବାମନ ଅବତାରରେ ଯେଉଁ ବ୍ରାହ୍ମଣ ରୂପେ ଧାରାବତରଣ କରିଥିଲେ ପୁନଶ୍ଚ ସେହି ବ୍ରାହ୍ମଣ ରୂପରେ ଅତ୍ୟନ୍ତ ବଳଶାଳୀ ତଥା ଭୟଙ୍କର ଯୋଦ୍ଧା ରୂପରେ କ୍ଷତ୍ରୀୟ ସଂହାର ସଂକଳ୍ପ ଧରି ଧାରାପୃଷ୍ଟକୁ ଆସିଲେ।

ଏ ଜଗତ ରୂପକ ଉଦ୍ୟାନର ସେ ଥିଲେ ମାଳି ସ୍ୱରୂପ, ତେଣୁ କେଉଁ ବୃକ୍ଷକୁ ସମ୍ପୂର୍ଣ କାଟିବେ, କାହାର ଶାଖା ଛେଦନ କରିବେ ତାହା ତାଙ୍କୁ ବେଶ ଜଣାଥିଲା। ପୁଣି ହାତରେ ଆୟୁଧ ଥିଲା କୁଠାର, ବାରମ୍ବାର ପୃଥିବୀ କୁ ପ୍ରଦକ୍ଷିଣ କରି ସେ ନିଜ ଦ୍ୱାରା ସୄଷ୍ଟ ଉଦ୍ୟାନ କୁ ପୁନଃ ସରଳ ଓ ସୁନ୍ଦର ଅବସ୍ଥା କୁ ଆଣିଥିଲେ, ଏହା ଥିଲା ପ୍ରଭୁଙ୍କର “ପର୍ଶୁରାମ “ଅବତାର। ସେତେବେଳେ ସଂସାରରେ ତ୍ରେତୟା ଯୁଗ ତେଣୁ ଭଗବାନଙ୍କର ପ୍ରଚଣ୍ଡ “ପର୍ଶୁରାମ “ଅବତାର ସହିତ ଆମେ ଦେଖିଲେ ସୌମ୍ୟ, ଶାନ୍ତ, ସତ୍ୱଗୁଣ ସମ୍ପନ୍ନ ସରଳ ତଥା କମନୀୟ ରୁପର ଅଧିକାରୀ ପ୍ରଭୁଙ୍କର ଏକ ମର୍ଯ୍ୟାଦା ସମ୍ପନ୍ନ ରୂପ “ଶ୍ରୀରାମ” ଅବତାର। ଅବଶ୍ୟ ଧର୍ମରକ୍ଷା ଲାଗି ଅନେକ ଅସୁରଙ୍କୁ ସେ ବଦ୍ଧ କରିଲେ ମହାଜ୍ଞାନୀ ରାବଣଙ୍କୁ ମାରିଲେ ତଥାପି ନିଜର ସୁ ଶାସନ ଓ ପ୍ରଜାନୁରଞ୍ଜନ ପାଇଁ ସେ କାଳ କାଳକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ହୋଇ ରହିଗଲେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-115-as-the-daughter-of-king-pruthu-our-mother-was-named-earth/

ଜଣେ ସୁଶାସନ ଦେଲେ ଯୁଗ ବଦଳିଲା ପରମେଶ୍ୱର ଦେଖିଲେ ମନ୍ୟୁଷ ମାନେ ଅଳ୍ପାୟୁ, ଜ୍ଞାନହୀନ, ସଦାଚାର ବିହୀନ ତଥା ଅହଙ୍କାରୀ ହୋଇ ଗଲେଣି। ସଂସାରକୁ ପରମଜ୍ଞାନର ଆବଶ୍ୟକତା ଅଛି, ତେଣୁ ଜଣେ ପରମ ଜ୍ଞାନୀ ପୁରୁଷ “ବ୍ୟାସ ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା ସଂସାରକୁ ଉପହାର ଦେଲେ। ଆଲୋଚିତ ଗ୍ରନ୍ଥ ଶ୍ରୀମଦ ଭାଗବତ ମଧ୍ୟ ତାଙ୍କରି ସୃଷ୍ଟି (ସମସ୍ତ ସୃଷ୍ଟି ଵିଷୟରେ ଅନ୍ୟତ୍ର ଆଲୋଚନା ହୋଇଛି)। ଜଗତ କଲ୍ୟାଣ ପାଇଁ ଏହି ସବୁ ଜ୍ଞାନର ପ୍ରୟୋଜନ କେତେ ତାହା ଆଜି ପ୍ରତ୍ୟେକ ଜ୍ଞାନୀ ମଣିଷ ଉପଲବ୍ଧି କରିଛି। ବେଦକୁ ବିଭାଗୀ କରଣ ସହିତ ଅଷ୍ଟାଦଶ ପୁରାଣ, ମହାଭାରତ ଓ ଶ୍ରୀମଦ ଭାଗବତ ରଚନା ତାଙ୍କୁ କାଳଜୟୀ କରି ରଖିବ। ଆଗାମୀ ଅଧ୍ୟାୟରେ ଆହୁରି ଅନେକ ଅବତାର ଓ ଶ୍ରୀହରିଙ୍କ ସ୍ୱରୂପ କଥା ଆଲୋଚନା କରିବା। ବର୍ତ୍ତମାନ ସେହି ଭାଗବତ ବାଣୀ ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ ସରଳ ପଦାବଳି ଆବୃତ୍ତି
ମୋହର ଗୁଣ କର୍ମ ଯଶ।
ଶ୍ରବଣେ ହୋଇବ ହରଷ।।
ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ।
ଅନୁଭବରେ ତା ପ୍ରମାଣ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.