Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ ଶୁଣିଥିବାର ସୂଚନା ଦେଇଛନ୍ତି, ଶ୍ରୀଶୁକଦେବ ମହାରାଜ ଏହି ପରମ ଶାସ୍ତ୍ର କଥା ତାଙ୍କର ପିତା ବ୍ୟାସ ଦେବଙ୍କ ଠାରୁ ଶୁଣି ଥିବାର ପ୍ରମାଣ ମିଳେ। କିନ୍ତୁ ଏଠାରେ ଏକ ରୋଚକ କାହାଣୀ ମଧ୍ୟ ଶ୍ରୀଶୁକଦେବଙ୍କ ଵିଷୟରେ ଶୁଣାଯାଏ। ଆଗରୁ ଆମେ ଶ୍ରୀଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ଆଲୋଚନା କରିଥିଲେ ବର୍ତ୍ତମାନ କେବଳ ସେହି ରୋଚକ ତଥା ପରମ ତାତ୍ୱିକ ବିଷୟଟି ଆଲୋଚନା କରିବା।

ଶାସ୍ତ୍ର କହେ ଶ୍ରୀ ଶୁକଦେବ ମାତୃ ଗର୍ଭରେ ଦୀର୍ଘ ଷୋଳ ବର୍ଷ ରହିଥିଲେ କାରଣ ସେ ଜନ୍ମ ନେଇ ସାଂସାରିକ ବିଷୟ ଜଞ୍ଜାଳରେ ପତିତ ହେବାକୁ ଚାହୁଁ ନଥିଲେ। ପିତା ବ୍ୟାସଦେବ ଏଥିରେ ଅତ୍ୟନ୍ତ ବିବ୍ରତ ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀଶୁକଦେବଙ୍କୁ ସଂସାର ବନ୍ଧନରୁ ମୁକ୍ତ ରହିବାର ପ୍ରତିଶୃତି ଦେବାରୁ ସେ ଜନ୍ମ ନେଲେ। ଜନ୍ମ ନେଉ ନେଉ ଶ୍ରୀକୃଷ୍ଣଙ୍କ ଆଶୀଷରୁ ଯୌବନ ପ୍ରାପ୍ତ ହୋଇ ଷୋଳ ବର୍ଷ ବୟସର ହୋଇଗଲେ। ତଥାପି ତାଙ୍କର ସାଂସାରିକ ମୋହ ମାୟା ବନ୍ଧନ ପ୍ରତି ଆଗ୍ରହ ନଥିଲା ଓ ସେ ତପସ୍ୟା ଉଦେଶ୍ୟରେ ବନକୁ ଗମନ କଲେ। ବ୍ୟାସ ଦେବ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ତାଙ୍କ ପଛରେ ପଛରେ ଚାଲିଥାନ୍ତି। ଦୁହେଁ ପବିତ୍ର ଗଙ୍ଗା ନଦୀ କୂଳରେ ପହଁଚିଲେ ସେହି ସମୟରେ ଏକ ଅଲୌକିକ କାହାଣୀ ସୃଷ୍ଟି ହେଲା।

ସେହି ଗଙ୍ଗା ନଦୀରେ ସ୍ବର୍ଗର ଅପସରା ମାନେ ସମ୍ପୂର୍ଣ ଉଲଗ୍ନ ହୋଇ ସ୍ନାନ କରୁଥିଲେ, ପରମ ତ୍ୟାଗୀ ଶ୍ରୀଶୁକଦେବ ବନର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରିବା ପରି ଅପସରା ମାନଙ୍କୁ ସାମାନ୍ୟ ଦୃଷ୍ଟି ନିକ୍ଷେପ କରି ଅବିଚଳିତ ଭାବେ ଗମନ କରିବାକୁ ଲାଗିଲେ, ଅପସରା ମାନଙ୍କ ଠାରେ ଶ୍ରୀଶୁକଦେବଙ୍କ ଉପସ୍ଥିତି କୌଣସି ପ୍ରତିକ୍ରିୟା ସୃଷ୍ଟି କଲାନାହିଁ, ଏହା ବ୍ୟାସଦେବ ଲକ୍ଷ୍ୟ କରିଥିଲେ, କିନ୍ତୁ ସେ ଅପସରା ମାନଙ୍କ ନିକଟବର୍ତ୍ତୀ ହେଉ ହେଉ ଅପସରା ମାନେ ବ୍ୟସ୍ତ ହୋଇ ନିଜ ନିଜ ବସ୍ତ୍ର ଧାରଣ କଲେ ଓ ଲଜ୍ୟା ବଶତଃ ଅଧୋମୁଖ ହୋଇ ରହିଲେ। ଏହା ଦେଖି ବ୍ୟାସଦେବ ଖୁବ ଚକିତ ହୋଇ ପଚାରିଲେ ହେ ଦେବକନ୍ୟା ଗଣ ତୁମମାନଙ୍କ ବ୍ୟବହାର ମୋତେ ଚକିତ କରିଛି ଦୟାକରି ମୋ ପ୍ରଶ୍ନର ଉତ୍ତର ଦିଅ।

ଏହାମଧ୍ୟ ପଢନ୍ତୁhttps://odishasambad.in/shrimad-bhagwat-katha-116-the-supreme-wise-man-vyasa-incarnated-as-srihari/

ସଦ୍ୟ ଯୌବନ ପ୍ରାପ୍ତ ମୋ ପୁତ୍ରକୁ ଦେଖି ତୁମେ ଅବିଚଳିତ ରହିଲ କିନ୍ତୁ ମୋ ପରି ଜଣେ ବୃଦ୍ଧଙ୍କୁ ଦେଖି ସଂକୋଚ କଲ କାହିଁକି? ଯଦି ନାରୀର ସ୍ୱାଭାବିକ ଗୁଣ ଲଜ୍ୟା ତେବେ ତାହା ମୋ ପୁତ୍ର ପ୍ରତି ପ୍ରକଟ ହେଲା ନାହିଁ କାହିଁକି। ଏହାର ଉତ୍ତରରେ ଅପସରା ମାନେ କହିଲେ ମନରେ ବିକାର ସୃଷ୍ଟି ହେଲେ ଲଜ୍ୟା ଜନ୍ମେ, କିନ୍ତୁ ଆପଣଙ୍କ ପୁତ୍ରଙ୍କ ଠାରେ ସେପରି କିଛି ସାଂସାରିକ ବିକାର ଆମେ ଲକ୍ଷ୍ୟ କରିନଥିଲୁ ସେ ବନ ମଧ୍ୟରେ ବିଚରଣ କରୁଥିବା ପଶୁ ପକ୍ଷୀ ଆଦିଙ୍କ ପରି ଆମ ମାନଙ୍କୁ ଦେଖି ନିର୍ବିକାରରେ ଚାଲିଗଲେ। ସେ ନିଜେ ମଧ୍ୟ ଦିଗମ୍ବର ଥିଲେ, ତେଣୁ ଆମ ମାନଙ୍କ ଏ ଅବସ୍ଥା ତାଙ୍କ ଠାରେ କୌଣସି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ ପ୍ରତିକ୍ରିୟା ନଥିବାରୁ ଆମ ମନରେ ମଧ୍ୟ ବିକାର ଆସିଲା ନାହିଁ ତେଣୁ ଲଜ୍ୟା ସୃଷ୍ଟି ହେବ କାହିଁକି। ବ୍ୟାସ ଆଶ୍ଚର୍ଯ୍ୟ ହେଲେ ଓ ନିଜ ପୁତ୍ରଙ୍କର ବ୍ରହ୍ମଚର୍ଯ୍ୟ ଦେଖି ଭାବିଲେ ସତରେ ମୋ ମନରେ ଏହି ନଗ୍ନ ଅପସରା ମାନଙ୍କୁ ଦେଖି ସ୍ତ୍ରୀ ପୁରୁଷ ଭେଦର ଭାବନା ନିଶ୍ଚିତ ଭାବରେ ଆସିଛି ଯାହା ଏହି କନ୍ୟା ମାନଙ୍କ ମନରେ ବିକାର ସୃଷ୍ଟି କରିଛି ଓ ସେମାନେ ଲଜ୍ୟା ପ୍ରକଟ କରିଛନ୍ତି।

ଏହାହିଁ ବିଷୟା ବନ୍ଧନ, କିନ୍ତୁ ଶ୍ରୀଶୁକଦେବ ଏହି ବନ୍ଧନର ଉର୍ଦ୍ୱରେ ଅଛନ୍ତି ତେଣୁ ସେ ସ୍ତ୍ରୀ ପୁରୁଷ ଭେଦ କରି ନାହାନ୍ତି ଶାସ୍ତ୍ର କହେ ଯେତେବେଳେ ମଣିଷ ସାଧାରଣ ଦେହ ଭାବରୁ ଉର୍ଦ୍ୱକୁ ଉଠି ଆତ୍ମ ଭାବରେ ପ୍ରତିଷ୍ଠିତ ହୁଏ। ସେତେବେଳେ ସମଗ୍ର ସ୍ଥାବର ଜଙ୍ଗମ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବ ଠାରେ ସେହି ଏକ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ। ସେଭଳି ସେହି ବ୍ରହ୍ମ ପୁରୁଷଙ୍କ ଚାରିପାଖରେ ଥିବା ଵସ୍ତୁ ଓ ଜୀବ ମଧ୍ୟ ଏକ ଭାବରେ ପ୍ରତିଭାତ ହୁଅନ୍ତି, ଯାହା ଶ୍ରୀଶୁକଦେବଙ୍କ କ୍ଷେତ୍ରରେ ମଧ୍ୟ ହୋଇଥିଲା, ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ସେହି ଶ୍ରୀଜଗନ୍ନାଥ ଦାସଙ୍କ ଭାଗବତ
ସାଧୁଙ୍କ ଶ୍ରେଷ୍ଠ ସେହୁ ନର।
ସୁଖ ଦୁଃଖରୁ ସେ ବାହାର।।
କ୍ଷଣେ ଆୟୁଷ ଭାରତରେ।
ମନ ଯାହାର କୃଷ୍ଣ ଠାରେ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.