ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସମୁଦ୍ର ଭିତରକୁ ଯାଇ ନିଖୋଜ ଥିବା ୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିବାକୁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
ଓଡିଶା ପୋଲିସ ନିଜର ତିନୋଟି ଅତ୍ୟାଧୁନିକ ବୋଟକୁ ତଲାସୀ କାର୍ଯ୍ୟରେ ମୁତୟନ କରିଛି। ଏହା ସହ ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ସାଗର ମିତ୍ର ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଓଡ଼ିଶା ପୋଲିସର ତଟ ସୁରକ୍ଷା ବାହିନୀର ଡ୍ରୋନ ସହାୟତାରେ ମତ୍ସଜୀବୀଙ୍କ ଅବସ୍ଥିତି ସମ୍ପର୍କରେ ଆକାଶ ମାର୍ଗରୁ ନିରୀକ୍ଷଣ କରାଯାଉଛି।
ରାଜ୍ୟ ପୋଲିସର ଅନୁରୋଧ କ୍ରମେ ଭାରତୀୟ ତଟ ସୁରକ୍ଷା ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଏହାବ୍ୟତୀତ ସମୁଦ୍ର ଉପକୂଳରେ ପୋଲିସ କର୍ମଚାରୀଙ୍କ ଦ୍ୱାରା ପଇଁତରା ବ୍ୟବସ୍ଥାକୁ ଜୋରଦାର କରିବା ସହ ପଡୋଶୀ ରାଜ୍ୟର ସାମୁଦ୍ରିକ ଥାନା ସହ ମଧ୍ୟ ଯୋଗାଯୋଗ କରାଯାଇ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।
ରିପୋର୍ଟ ଅନୁଯାୟୀ, ବାଲିଆପାଳ ବ୍ଲକ ଅନ୍ତର୍ଗତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବୀନ୍ଦ୍ର ଗିରି ଏବଂ ଜଗନ୍ନାଥ ପାଲ ନାମକ ଏକ ପରିବାରର ଚାରି ଜଣ ସଦସ୍ୟ ଶନିବାର ସକାଳ ପ୍ରାୟ ୮ଟା ସମୟରେ ଏକ ମୋଟରବୋଟ୍ ଯୋଗେ ମାଛ ଧରିବାକୁ ବାହାରିଥିଲେ। ସେମାନେ ମଧ୍ୟାହ୍ନ ସୁଦ୍ଧା ଘରକୁ ଫେରିବାର ଆଶା କରାଯାଉଥିଲା। କିନ୍ତୁ ସେମାନେ ଅପରାହ୍ନ ୩-୪ଟା ସୁଦ୍ଧା ମଧ୍ୟ ଫେରିନଥିଲେ। ଯାହାପରେ ସେମାନଙ୍କ ପରିବାରର ସଦସ୍ୟମାନେ ଅଘଟଣ ଆଶଙ୍କା କରି ବାଲିଆପାଳ ଅଗ୍ନିଶମ ବିଭାଗ ଏବଂ ବାଲିଆପାଳ ପୋଲିସକୁ ସୂଚନା ଦେଇଥିଲେ।
Comments are closed.