ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାତି ବଢିଛି । ଏହାପରେ ଉଭୟ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ କାହାକୁ ପ୍ରାର୍ଥୀ କରିବେ, ସେନେଇ ମାନସମନ୍ଥନ ଚାଲିଛି । ଏମିତିରେ ବିଜେପି ନେତୃତ୍ବାଧୀନ ଏନଡିଏର ପଲ୍ଲା ଭାରି ରହିଛି। ତେବେ କେନ୍ଦ୍ର ସରକାରଙ୍କୁ ବାଟ ଛାଡିବା ମୁଡରେ ନାହାନ୍ତି ବିରୋଧୀ । ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗଷ୍ଟ ୭ତାରିଖରେ ମେଣ୍ଟ ନେତାଙ୍କ ସହ ଆଲୋଚନା କରିବେ । ସେପଟେ ଏନଡିଏ ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ଅନେକ ନାଁ ଚର୍ଚ୍ଚାରେ ରହିଛି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ଉପରାଷ୍ଟ୍ରପତି ପଦ ଖାଲି ପଡିଛି ।
କିଏ ହେବେ ଏନଡିଏ ପ୍ରାର୍ଥୀ?
ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବିଚାର ବିମର୍ଶ କରୁଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ନିଜ କ୍ୟାଡରର କୌଣସି ପ୍ରତିବଦ୍ଧ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି । ଅନ୍ଦର ମହଲରେ ଏନେଇ ଅନେକ ନାଁ ଚର୍ଚ୍ଚାରେ ରହିଛି । ଗୋଆର ପୂର୍ବତନ ରାଜ୍ୟପାଳ ପିଏସ ଶ୍ରୀଧରନ୍ ପିଲାଇଙ୍କ ନାଁ ରେସରେ ଆଗରେ ରହିଛି । ଏବିଭିପି ବ୍ୟାକଗ୍ରାଉଣ୍ଡ ସହ ସେ ସଂଘର ଗୁଡବୁକରେ ରହିଛନ୍ତି । ସେହିପରି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମଧ୍ୟପ୍ରଦେଶର ବରିଷ୍ଠ ନେତା ସତ୍ୟନାରାୟଣ ଜଟିୟା, ଥାବରଚନ୍ଦ ଗେହଲଟ୍, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନାଁ ରେସରେ ରହିଛି ।
ବିରୋଧୀଙ୍କ ବଡ଼ ରଣନୀତି !
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସହଯୋଗୀ ଦଳଙ୍କୁ ଅସୁବିଧାରେ ପକାଇବାକୁ ରଣନୀତି କରୁଛନ୍ତି ବିରୋଧୀ । କୁହାଯାଉଛି, ଦଳ ବିହାର କିମ୍ବା ଆନ୍ଧ୍ରପ୍ରଦେଶର କୌଣସି ନେତାଙ୍କୁ ପ୍ରାର୍ଥୀ କରି ଜେଡିୟୁ ଓ ଟିଡିପିକୁ ଧର୍ମସଂକଟରେ ପକାଇପାରେ। ଉଭୟ ରାଜ୍ୟରେ ଦୁଇ ସହଯୋଗୀଙ୍କ ବିନା ସମର୍ଥନର ଏକା ଜିତିବା ସ୍ଥିତିରେ ନାହିଁ ବିଜେପି । ତେଣୁ ବିରୋଧୀଙ୍କ ପ୍ରାର୍ଥୀ ବିହାର କିମ୍ବା ଆନ୍ଧ୍ରପ୍ରଦେଶରୁ ହେଲେ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିବାର ଧର୍ମସଂକଟ ସହ ଯୁଝିବେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ଓ୍ବାଇଏସଆରସିପିର ରାଜ୍ୟସଭାରେ ୭ଜଣ ସାଂସଦ ଥିବା ବେଳେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ।
କ’ଣ କହୁଛି ସଂଖ୍ୟା ଗଣିତ?
ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପଲ୍ଲା ଭାରି ରହିଛି । ଉଭୟ ଗୃହରେ ମିଶାଇ ଏନଡିଏ ପାଖରେ ୪୧୮ ସାଂସଦ ରହିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ୩୯୨ ସଦସ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ, ଏନଡିଏ ପାଖରେ ଏହାଠାରୁ ଅଧିକ ୨୬ ସାଂସଦ ଅଛନ୍ତି । ଏହାଛଡା ରାଜ୍ୟସଭାରେ ୭ଜଣ ମନୋନୀତ ଓ ୨ ସ୍ବାଧୀନ ସାଂସଦଙ୍କ ସମର୍ଥନ ବି ରହିଛି । ସେହିପରି ଲୋକସଭାରେ ବି ମେଣ୍ଟକୁ ଅକାଳୀ ଦଳର ସମର୍ଥନ ମିଳିପାରେ । ଏହାସହ ସେଠାରେ ୭ଦଣ ସ୍ବାଧୀନ ଓ ୪ଟି ଛୋଟ ଦଳର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି ।
୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଉପରାଷ୍ଟ୍ରପତି ନିର୍ବାଚନରେ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିଲେ ବିରୋଧୀ । ୨୦୧୭ରେ ତାଙ୍କ ସହ ମୁକାବିଲା କରି ଜିତିଥିଲେ ଏମ ଭେଙ୍କୟା ନାଇଡୁ । ୨୦୨୨ରେ କଂଗ୍ରେସ ମାର୍ଗେରେଟ୍ ଆଲଭାଙ୍କୁ ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିଲା । ତେବେ ଧନଖଡ଼ ବିଜୟୀ ହୋଇଥିଲେ । ଏଥର ଜଣେ ପ୍ରାର୍ଥୀଙ୍କ ନାଁରେ ସଂପୂର୍ଣ୍ଣ ବିରୋଧୀ ସହମତ ହେବା ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
Comments are closed.