ନୂଆଦିଲ୍ଲୀ:ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ – ସୁଲେମାନ ଶାହ, ଆବୁ ହମଜା ଏବଂ ୟାସି ଜିବ୍ରାନଙ୍କୁ ୨୮ ଜୁଲାଇ ୨୦୨୫ରେ ଭାରତୀୟ ସେନା ହତ୍ୟା କରିଛନ୍ତି। ସେମାନେ ପାକିସ୍ତାନୀ ଥିଲେ ଏବଂ ଲସ୍କର ସହିତ ଜଡିତ ଥିଲେ। ସୂତ୍ର ଅନୁସାରେ ସେମାନଙ୍କ ନିକଟରୁ ପାକିସ୍ତାନୀ କାଗଜପତ୍ର ମିଳିଛି, ଯାହା ପ୍ରମାଣ କରେ ଯେ ଏହି ଆକ୍ରମଣ ସେଠାରୁ ଯୋଜନା କରାଯାଇଥିଲା।
ଜୁଲାଇ ୨୯ ତାରିଖରେ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଥିଲେ ଯେ ‘ଅପରେସନ ମହାଦେବରେ ନିହତ ତିନି ଜଣ ଆତଙ୍କବାଦୀଙ୍କର ପାକିସ୍ତାନ ସହିତ ସମ୍ପର୍କ ଥିବା ଜଣାପଡିଛି। ପ୍ରଥମ ଥର ପାଇଁ, ପାକିସ୍ତାନ ସରକାର ଦ୍ୱାରା ଆତଙ୍କବାଦୀମାନଙ୍କୁ ପ୍ରଦାନ କରାଯାଇଥିବା କାଗଜପତ୍ର ଆମ ପାଖରେ ଅଛି। ଯାହା ଫଳରେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଆତଙ୍କବାଦୀଙ୍କ ପାକିସ୍ତାନ ସହିତ ସମ୍ପର୍କ ସ୍ପଷ୍ଟ ହୋଇଯାଏ।
ନିହତ ଆତଙ୍କବାଦୀମାନେ ସୁଲେମାନ ଶାହ ଓରଫ ଫୈଜଲ ଜଟ୍ (ଏ ପ୍ଲସ୍ ପ୍ଲସ୍ ଗ୍ରେଡ୍ ଆତଙ୍କବାଦୀ), ଆବୁ ହମଜା ଓରଫ ଆଫଗାନ (ଏ ଗ୍ରେଡ୍ ଆତଙ୍କବାଦୀ) ଏବଂ ୟାସି ଓରଫ ଜିବ୍ରାନ (ଏ ଗ୍ରେଡ୍ ଆତଙ୍କବାଦୀ) ଭାବରେ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କଠାରୁ ପାକିସ୍ତାନୀ ଭୋଟର ପରିଚୟପତ୍ର, ପାକିସ୍ତାନ ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ସ୍ଲିପ୍, ଭୋଟର ସିରିଏଲ୍ ନମ୍ବର, କରାଚିରେ ତିଆରି ହୋଇଥିବା ଚକୋଲେଟ, ସାଟେଲାଇଟ୍ ଫୋନରୁ ମିଳିଥିବା ଏକ ମାଇକ୍ରୋ ଏସଡି କାର୍ଡ ଜବତ କରିଛି ଯେଉଁଥିରେ ଆତଙ୍କବାଦୀଙ୍କ ପରିବାର ବିଷୟରେ ସୂଚନା ଥିଲା। “କ୍ୟାଣ୍ଡିଲ୍ୟାଣ୍ଡ” ଏବଂ “ଚୋକୋମାକ୍ସ” ଚକୋଲେଟର ରାପର୍ ଏକ ରକସାକରୁ ମିଳିଥିଲା, ଯେଉଁଥିରେ ଏକ ମାଗାଜିନ ଥିଲା ।
ଫୋରେନସିକ୍ ତଦନ୍ତ ଏବଂ ବିଭିନ୍ନ ଲୋକଙ୍କ ସାକ୍ଷ୍ୟ ପ୍ରମାଣିତ କରିଛି ଯେ ଅପରେସନ୍ ମହାଦେବରେ ନିହତ ଆତଙ୍କବାଦୀମାନେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ଥିଲେ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀ ଥିଲେ। ପହଲଗାମ ଆକ୍ରମଣ ପରଠାରୁ ସେମାନେ ଦାଚିଗାମ-ହରୱାନର ଜଙ୍ଗଲରେ ଲୁଚି ରହିଥିଲେ। ସୁରକ୍ଷା ବାହିନୀ ଏବଂ ଗୁଇନ୍ଦା ବିଭାଗ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ବିଷୟରେ ସୂଚନା ପାଇଥିଲେ,ଯାହା ପରେ ଆତଙ୍କବାଦୀଙ୍କ ଉପସ୍ଥିତି ନିଶ୍ଚିତ କରିବା ପାଇଁ କିଛି ଦିନ ଧରି ଏକ ଗୁପ୍ତ ଅପରେସନ୍ କରାଯାଇଥିଲା। ଏହା ନିଶ୍ଚିତ ହେବା ପରେ, ଅପରେସନ୍ ମହାଦେବ ଆରମ୍ଭ କରାଯାଇଥିଲା।
ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ଗୁରେଜ୍ ସେକ୍ଟରରୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କ ରେଡିଓ ବାର୍ତ୍ତାଳାପକୁ ଟ୍ରାକ୍ କରିଥିଲା। ଏପ୍ରିଲ ୨୧ ତାରିଖରେ ଆତଙ୍କବାଦୀମାନେ ବୈସାରନରୁ ଦୁଇ କିଲୋମିଟର ଦୂରରେ ଢୋକ୍ ଅଞ୍ଚଳରେ ପହଞ୍ଚିଥିଲେ। ଦୁଇଜଣ କାଶ୍ମୀର ବାସିନ୍ଦା ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଖାଦ୍ୟ ଯୋଗାଇବା ସ୍ୱୀକାର କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଦିନ, ଆତଙ୍କବାଦୀମାନେ ଚାଲି ଚାଲି ବୈସାରନ ଘାଟିରେ ପହଞ୍ଚିଥିଲେ। ଆକ୍ରମଣ ପରେ, ଆତଙ୍କବାଦୀମାନେ ଉତ୍ତର-ପୂର୍ବ ଅଞ୍ଚଳର ଦାଚିଗାମ ଅଭିମୁଖେ ଚାଲିଯାଇଥିଲେ।
ସରକାର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟରେ ଫୁଟିଥିବା ଗୁଳି ଏବଂ ଅପରେସନ ମହାଦେବରେ ଆତଙ୍କବାଦୀମାନଙ୍କ ଦ୍ୱାରା ଫୁଟିଥିବା ଗୁଳିର ଫରେନସିକ୍ ପରୀକ୍ଷା ପାଇଁ ପଠାଇଥିଲେ,ଯେଉଁଠାରୁ ଏହା ନିଶ୍ଚିତ ହୋଇଥିଲା ଯେ ପହଲଗାମ ଆକ୍ରମଣ ଏବଂ ଅପରେସନ ମହାଦେବରେ ସାମିଲ ଆତଙ୍କବାଦୀମାନେ ସମାନ ରାଇଫଲରୁ ଗୁଳି ଚଳାଇଥିଲେ।
Comments are closed.