Latest Odisha News

BREAKING NEWS

ଟ୍ରମ୍ପଙ୍କୁ ମହଙ୍ଗା ପଡିବ ଟାରିଫ୍ ଛାଟ !

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଡୋନାଲଡ ଟ୍ରମ୍ପ। ଏମିତି ହେଲେ ଅଧିକ କ୍ଷତି ସହିବ ଆମେରିକା, କାରଣ ସେଠାରେ ଭାରତୀୟ ଉତ୍ପାଦ ମହଙ୍ଗା ହୋଇଯିବ। ହେଲେ ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଭାରତ ଉପରେ ଟାରିଫ ଘୋଷଣା ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ଚୀନ୍ ଓ ଋଷ। ଏଭଳି ସ୍ଥିତିରେ ହାତ ମିଳାଇବେ କି ବିଶ୍ବର ତିନି ମହାଶକ୍ତି ଭାରତ, ଚୀନ୍ ଓ ଋଷ? ଏମିତି ହେଲେ ଶେଷ ହୋଇଯିବ କି ଡଲାର ରାଜ୍? ଫସିିଯିବ କି ସୁପରପାଓ୍ବାର ଆମେରିକା?

ଟ୍ରମ୍ପଙ୍କୁ ମୋଦିଙ୍କ ଖୋଲା ଚ୍ୟାଲେଞ୍ଜ

ଭାରତକୁ ଟ୍ରମ୍ପ ଟାରିଫ୍ ଧମକ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଯାତ୍ରା ଟ୍ରମ୍ପଙ୍କୁ ସିଧା ସନ୍ଦେଶ ଦେବ। ଅଗଷ୍ଟ ଶେଷ ଭାଗରେ ଜାପାନ ଓ ଚୀନ ଗସ୍ତରେ ଯିବେ ମୋଦି। ସାଂଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହେବେ। 2019 ପରେ ପ୍ରଥମ ଥର ପାଇଁ ଚୀନ ଯାତ୍ରାରେ ଯିବେ ମୋଦି। 2020 ଗଲଓ୍ବାନ ସଂଘର୍ଷକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଅଶାନ୍ତି ବଢିବା ପରେ ଡ୍ରାଗନଠାରୁ ଦୂରତା ରକ୍ଷା କରୁଥିଲା ଭାରତ। ହେଲେ ହଠାତ ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ବଡ଼ ଦିଗ ଆଡକୁ ସଙ୍କେତ କରୁଛି। ଭାରତ, ଚୀନ୍ ଓ ଋଷ ଉପରେ ଟ୍ରମ୍ପଙ୍କ କଡା ଆଭିମୁଖ୍ୟ ପରେ ତିନି ଦେଶ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଟ୍ରମ୍ପଙ୍କୁ ସିଧା ସନ୍ଦେଶ !

ଟ୍ରମ୍ପଙ୍କ ଚାପର ଜବାବ ଦେବାକୁ ଭାରତ ଚୀନ ଓ ଋଷ ଭଳି ଦେଶଙ୍କ ସହ ସଂପର୍କର ଉପଯୋଗ କରିବା ଆବଶ୍ୟକ ବୋଲି ବିଦେଶ ନୀତି ବିଶେଷଜ୍ଞ ଶ୍ୟାମ ସରନ କହିଛନ୍ତି। ମୋଦିଙ୍କ ଚୀନ୍ ଯାତ୍ରା ସିଡ୍ୟୁଲ ଜାରି କରିବା କେନ୍ଦ୍ର ସରକାରଙ୍କ ରଣନୈତିକ ସ୍ବାୟତ୍ତତାକୁ ଦର୍ଶାଉଛି। ଏଥିରୁ ଆମେରିକାକୁ ଭାରତ ସିଧା ସନ୍ଦେଶ ଦେଇଥିବା କୁହାଯାଉଛି। କାରଣ ଚୀନ୍ ଓ ଋଷ ସହ ଭାରତ ଖୋଲାଖୋଲି ଆସିଲେ ଆମେରିକା ପାଇଁ ସମସ୍ୟା ହୋଇପାରେ। ଋଷ, ଚୀନ୍, ବ୍ରାଜିଲ ଓ ଭାରତ ମିଶି ଡଲାର ଜାଗାରେ ଏକ ଅନ୍ୟ କରେନ୍ସି ଆରମ୍ଭ କଲେ, ଆମେରିକାର ପ୍ରଭୁତା ଶେଷ ହୋଇପାରେ।

ଏମିତି ବଦଳିଯିବ ଦୁନିଆ !

ଏପର୍ଯ୍ୟନ୍ତ ଆମେରିକା ଓ ୟୁରୋପର ଦବଦବା ସାରା ଦୁନିଆ ଉପରେ ରହିଛି। ଯଦି ଭାରତ, ଚୀନ୍ ଓ ଋଷ ଏକାଠି ହୁଅନ୍ତି, ତେବେ ଆମେରିକା ଓ ୟୁରୋପର ଅସ୍ତିତ୍ବକୁ ଚ୍ୟାଲେଞ୍ଜ କରିପାରିବେ। ବିଶ୍ବସ୍ତରରେ ଏସିଆ ବଜାରର ଦବଦବା ଦେଖିବାକୁ ମିଳିବ। ତିନି ଦେଶ ଏସିଆନ୍ ଟ୍ରେଡ ନେଟଓ୍ବର୍କ ବନାଇପାରିବେ। ଏଥିରେ କଞ୍ଚାମାଲ, ଉତ୍ପାଦନ ଓ ଟେକ୍ନୋଲୋଜି ସେୟାର କରାଯାଇପାରିବ। ବିଶ୍ବ ଯୋଗାଣ ଶୃଙ୍ଖଳ ବଦଳିବ। ବିଶ୍ବର ଅନ୍ୟ ଦେଶ ପଶ୍ଚିମ ଦେଶ ଉପରେ କମ ନିର୍ଭରଶୀଳ ହେବେ। ଭାରତ, ଋଷ ଓ ଚୀନ ସହ ବାଣିଜ୍ୟ କରିବାକୁ ଅଧିକ ଆଗ୍ରହ ଦେଖାଇବେ। ଫଳରେ ପୂରା ଦୁନିଆର ଅର୍ଥନୀତି ବଦଳି ଯାଇପାରେ। ସେହିପରି ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ତିନିଦେଶ ବଡ଼ ଶକ୍ତି ଭାବେ ଉଭା ହେବେ।

ଋଷ, ଚୀନ୍ ଓ ଭାରତ ଏକାଠି ଆସିବା ବର୍ତ୍ତମାନର ରାଜନୈତିକ, ସାମାଜିକ ଓ ଭୌଗଳିକ କାରଣ ଯୋଗୁଁ ସମ୍ଭାବନା କମ୍। କାରଣ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଓ ଅବିଶ୍ବାସ ଏପର୍ଯ୍ୟନ୍ତ ଶେଷ ହୋଇନି। ଋଷ ସହ ପଶ୍ଚିମ ଦେଶର ଲଢେଇ ସମସ୍ୟା ସୃଷ୍ଟି କରିପାରେ। ସେପଟେ ଭାରତ ସାରା ବିଶ୍ବକୁ ଏକ ନଜରରେ ଦେଖେ। ଆମେରିକା, ୟୁରୋପ ଓ ଅନ୍ୟ ଦେଶ ସହ ଭାରତ ବାଣିଜ୍ୟ ସହଯୋଗୀ ରହିଛି। ଏହାଛଡା ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ଭାରତଠୁ ଅଧିକ ଆମେରିକା କ୍ଷତି ସହିବ।

Comments are closed.