Latest Odisha News

BREAKING NEWS

ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଛି । ସ୍କୁଟି ପାର୍କିଂକୁ ନେଇ ଏକ ସାମାନ୍ୟ ବିବାଦ ବଢ଼ି ଯାଇଥିଲା ଏବଂ ଅଭିଯୁକ୍ତମାନେ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା କରିଥିଲେ । ପୋଲିସ ହତ୍ୟା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏହା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି ।

ଆସିଫ୍ କୁରେଶୀଙ୍କ ବୟସ ୪୨ ବର୍ଷର ଏବଂ ସେ ଚିକେନ ସପ୍ଲାଇ କାମ କରୁଥିଲେ । ନିଜାମୁଦ୍ଦିନ ଥାନା ଅଞ୍ଚଳର ଜଙ୍ଗପୁରା ଭୋଗଲ ବଜାର ଲେନରେ ଗୁରୁବାର ବିଳମ୍ବିତ ରାତିରେ ପାର୍କିଂକୁ ନେଇ ବିବାଦ ହୋଇଥିଲା । ଆକ୍ରମଣରେ ଆସିଫ୍ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ଆସିଫ୍‌ଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ହୁମା କୁରେଶୀଙ୍କ ପିତା ସଲିମ କୁରେଶୀ କହିଛନ୍ତି, “ଦୁଇ ବ୍ୟକ୍ତି ଆମ ଘର ଆଗରେ ସ୍କୁଟର ପାର୍କ କରିଥିଲେ । ଆସିଫ ସେମାନଙ୍କୁ ଏହାକୁ ଅନ୍ୟତ୍ର ପାର୍କ କରିବାକୁ କହିଥିଲେ, କାରଣ ଏହା ଘରର ପ୍ରବେଶ ପଥରେ ହିଁ ପାର୍କିଂ ହୋଇଥିଲା । ହେଲେ ଏହାକୁ ନେଇ ବଚସା ଆରମ୍ଭ ହୋଇଗଲା ପରେ ପରେ ଶାରୀରିକ ହିଂସାରେ ବଦଳିଗଲା । ସେ ଦୁଇ ଅଭିଯୁକ୍ତ ମିଳିତ ଭାବେ ମୋ ପୁତୁରାକୁ ହତ୍ୟା କଲେ।”

ତେବେ ହୁମା କୁରେଶୀ ଦିଲ୍ଲୀର ବାସିନ୍ଦା । ସେ ଏଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଏଠାରେ ବଢ଼ିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାର୍ଗୀ କଲେଜରୁ ମଧ୍ୟ ପାଠ ପଢ଼ିଛନ୍ତି । କିନ୍ତୁ ସେ ଅଭିନୟରେ କ୍ୟାରିଅର କରିବା ପାଇଁ ମୁମ୍ବାଇ ଆସିଥିଲେ । ତାଙ୍କ ବାପା ସଲିମ କୁରେଶୀ ପ୍ରସିଦ୍ଧ ସଲିମ ରେଷ୍ଟୁରାଣ୍ଟ ଚେନ୍ ଚଲାନ୍ତି ।

Comments are closed.