Latest Odisha News

ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା

ଭୁବନେଶ୍ବର: ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା। ଚିଠି ପ୍ରତ୍ୟାହାର ବଢ଼ାଇଲା ଚିନ୍ତା। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍‌(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା ଏବଂ ବିଦ୍ୟାଳୟରେ ଖାଲି ପଡ଼ିଥିବା ୪୪ ହଜାର ଶିକ୍ଷକ ପଦବି ପୂରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଏବେ ବଦଳିଯାଇଛି।

ସୂଚନା ଅନୁସାରେ ଏପ୍ରିଲ ମାସ‌ରେ ଅନୁଷ୍ଠିତ ବୈଠକ ଆଧାରରେ ଅଗଷ୍ଟ ୨ ତାରିଖରେ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍‌(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି ନେଇ ଚିଠି ଲେଖାଯାଇଥିଲା। ମାତ୍ର ଏବେ ପୁଣିଥରେ ବିଭାଗ ନିଷ୍ପତ୍ତି ବଦଳାଇଛି। ବିଭାଗୀୟ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଲେଖି ଅଗଷ୍ଟ ୨ରେ ଜାରି ହୋଇଥିବା ଚିଠିକୁ ପ୍ରତ୍ୟାହାର କରି ନିଆଗଲା ବୋଲି ଦର୍ଶାଇଛନ୍ତି।

ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ତାହା ଅନୁମୋଦିତ ହୋଇ ନ ଥିବାରୁ ତାହାକୁ ପ୍ରତ୍ୟାହାର କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବାକୁ ଦୁର୍ଗା ପ୍ରସାଦ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ହଠାତ୍‌ ଚିଠି ପ୍ରତ୍ୟାହାର ନିଷ୍ପତ୍ତିକୁ ଶିକ୍ଷକ ସଂଘଗୁଡ଼ିକ ସହଜରେ ଗ୍ରହଣ କରିପାରି ନାହାଁନ୍ତି।

 

Comments are closed.