ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ବିଶ୍ୱସ୍ତରରେ ବିବାଦ ସୃଷ୍ଟି କରିଛି। ଅନେକ ଦେଶ ଆମେରିକାର ଏପରି ନିଷ୍ପତ୍ତିକୁ ଭୁଲ ବୋଲି କହୁଛନ୍ତି। ଅର୍ଥନୀତିଜ୍ଞମାନେ ଏହାକୁ ବଡ଼ ବିପଦ ବୋଲି ବିଚାର କରୁଛନ୍ତି। ତଥାପି ଟ୍ରମ୍ପ ନିଜ ନୀତିରୁ ପଛଘୁଞ୍ଚା ଦେଉନାହାନ୍ତି। ନିକଟରେ ସେ ଭାରତୀୟ ଜିନିଷ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି।
ଆମେରିକାର ଜଣାଶୁଣା ଅର୍ଥନୀତିଜ୍ଞ ତଥା ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ଟିଭ୍ ହାଙ୍କେ କହିଛନ୍ତି, ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶମାନଙ୍କ ବିରୋଧରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରି ନିଜକୁ ଧ୍ୱଂସ କରୁଛନ୍ତି। ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଭାରତ ଉପରେ ୫୦% ଶୁଳ୍କକୁ “ପୂରା ଅବାସ୍ତବ” ବୋଲି କହିଛନ୍ତି। ଏହା କେବଳ “ବାଲି ଉପରେ ଛିଡ଼ା ହୋଇଥିବା ଗୋଟେ ତାସର ଘର” ବୋଲି ସେ ମନ୍ତବ୍ୟ ଦେଇଛନ୍ତି।
ପ୍ରଫେସର ହାଙ୍କେ ଭାରତକୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଶାନ୍ତ ରହି ଅପେକ୍ଷା କରିବା ଉଚିତ। ଟ୍ରମ୍ପଙ୍କ ଏହି ଅର୍ଥନୀତି ମଡେଲ ଶୀଘ୍ର ଭାଙ୍ଗିପଡ଼ିବ ବୋଲି ସେ ଦାବି କରିଛନ୍ତି। ଆମେରିକାରେ ବାଣିଜ୍ୟିକ କ୍ଷତି ବଢ଼ୁଛି କାରଣ ଆମେରିକୀୟମାନଙ୍କ ଖର୍ଚ୍ଚ ଜାତୀୟ ଉତ୍ପାଦଠାରୁ ଅଧିକ। ଏହା ଅର୍ଥନୀତିର ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି।
ଚୀନର ଭାରତସ୍ଥିତ ରାଜଦୂତ ଶୂ ଫେଇହୋଙ୍ଗ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟାରିଫକୁ ଅସ୍ତ୍ର ଭାବେ ବ୍ୟବହାର କରି ଅନ୍ୟ ଦେଶମାନଙ୍କୁ ଦବାଇବା ଜାତିସଂଘ ନିୟମର ଉଲ୍ଲଂଘନ। ଏହା ବିଶ୍ୱ ବାଣିଜ୍ୟ ସଂଗଠନର ନିୟମକୁ ଦୁର୍ବଳ କରୁଛି। ରୁଷିଆ ମଧ୍ୟ ଟ୍ରମ୍ପଙ୍କ ଏହି ନୀତିକୁ ନିନ୍ଦା କରିଛି।
Comments are closed.