ମୁମ୍ବାଇ: ଟିଭି ପରଦାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ରିଟର୍ଣ୍ଣ ହଲଚଲ ସୃଷ୍ଟି କରିଛି। ତାଙ୍କ ନୂଆ ସୋ Kyunki Saas Bhi Kabhi Bahu Thi 2 ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨’ ପ୍ରସାରଣ ହେବା ସହ ଦର୍ଶକଙ୍କ ମନ ଜିଣିଛି। ପ୍ରଥମ ସପ୍ତାହରେ ହିଁ ଏହି ସୋ ଟିଆରପିରେ ‘ଅନୁପମା’ ଓ ‘ତାରକ ମେହତା କା ଉଲଟା ଚଶମା’କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ସ୍ମୃତିଙ୍କ ଫ୍ୟାନ୍ସ ତାଙ୍କୁ ପୁଣି ଟିଭିରେ ଦେଖି ଖୁସିରେ ନିଜର ପ୍ରତିକ୍ରିୟା ସୋଶିଆଲ ମିଡିଆରେ ସେୟାର କରୁଛନ୍ତି।
ସୂଚନା ଅନୁସାରେ, ସ୍ମୃତି ଇରାନୀ ଏକ ଏପିସୋଡ ପାଇଁ ୧୪ ଲକ୍ଷ ଟଙ୍କା ଫି ନେଉଛନ୍ତି। ଏହା ତାଙ୍କୁ ଭାରତର ସବୁଠୁ ଅଧିକ ପାରିଶ୍ରମିକ ପାଉଥିବା ଟିଭି ଅଭିନେତ୍ରୀ କରିଦେଇଛି। ସିଏନଏନ ନ୍ୟୁଜ ୧୮ ସହ ସାକ୍ଷାତକାରରେ ସ୍ମୃତି ନିଜେ ଏହି ଫି ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ରେକର୍ଡ ଫି ସେ କଠିନ ପରିଶ୍ରମ ଓ ଟିଆରପି ଆଧାରରେ ହାସଲ କରିଛନ୍ତି।
ସ୍ମୃତି ଗର୍ବର ସହ କହିଛନ୍ତି, “ମୁଁ କେବଳ ପୁରୁଷ ଓ ମହିଳାଙ୍କୁ ନୁହେଁ, ସମସ୍ତଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି। ଏହା ମୋ ପାଇଁ ଗର୍ବର ବିଷୟ।” ସେ ଆହୁରି କହିଛନ୍ତି, ଏକ ପ୍ରଫେସନାଲ ଭାବେ ସେ ନିଜ କାମ ଓ ଆୟ ଦ୍ୱାରା ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତି।
ତୁଲସୀ ବିରାନୀ ଚରିତ୍ରରେ ଅଭିନୟ କରୁଥିବା ସ୍ମୃତି କହିଛନ୍ତି, ତାଙ୍କ ସହ କାମ କରୁଥିବା କଳାକାରମାନଙ୍କୁ ସେ ଷ୍ଟାର କରିବାରେ ସଫଳ ହୋଇଛନ୍ତି। “ମୁଁ କେବଳ ନିଜେ ଷ୍ଟାର ନୁହେଁ, ମୋ ସାଙ୍ଗରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଷ୍ଟାର କରିବାର କ୍ଷମତା ମୋ ପାଖରେ ରଖିଛି। ଏହି ସୋ ମାଧ୍ୟମରେ ମୁଁ ମୋ ସହ-କଳାକାରଙ୍କୁ ନୂଆ ଶିଖର ଛିଡ଼ା କରିଛି,” ବୋଲି ସେ କହିଛନ୍ତି।
Comments are closed.