Latest Odisha News

BREAKING NEWS

କଡ଼ା ନଜରରେ ରହିବେ କଏଦୀ, ୫ଟି ଜେଲ୍‌ରେ ଉଡ଼ିବ ଡ୍ରୋନ୍

କଟକ: ଏଣିକି କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍‌ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ପାଚେରି ଦେଇ ନିଶା ସାମଗ୍ରୀ ଜେଲ୍ ଭିତରକୁ ଆସୁଛି। ଏହାକୁ ରୋକିବା ପାଇଁ ଜେଲ୍ ବିଭାଗ ଜେଲ୍ ପରିସରରେ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ନେଇଛି।

ପ୍ରଥମ ପର୍ଯ୍ୟାୟରେ ୫ଟି ଜେଲ୍‌ରେ ଡ୍ରୋନ୍ ଉଡ଼ାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜେଲ୍‌ରେ ଡ୍ରୋନ୍ ଉଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୭ ହଜାର ୪୯୭ କଏଦୀ ବିଭିନ୍ନ ଜେଲ୍‌ରେ ଅଛନ୍ତି। ଜେଲ୍ ଭିତରେ ଗଞ୍ଜେଇ, ବ୍ରାଉନ୍‌ସୁଗାର୍‌, ମୋବାଇଲ୍ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଜେଲ୍ ପାଚେରି। କଏଦୀଙ୍କ ସହଯୋଗୀମାନେ ଜେଲ୍‌ର ଉଚ୍ଚା ପାଚେରି ଦେଇ ପୁଡ଼ିଆଗୁଡ଼ିକ ଜେଲ୍ ଭିତରକୁ ଫିଙ୍ଗୁଛନ୍ତି। ଏହାକୁ ରୋକିବା ଉଦ୍ଦେଶ୍ୟରେ କଟକରେ ଥିବା ଚୌଦ୍ବାର ସର୍କଲ ଜେଲ୍, କୋରାପୁଟ ସର୍କଲ ଜେଲ୍‌, ସମ୍ବଲପୁର ସର୍କଲ ଜେଲ୍, ବ୍ରହ୍ମପୁର ସର୍କଲ ଜେଲ୍, ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଛି।

ଏହି ଜେଲ୍‌ଗୁଡ଼ିକ ମୁଖ୍ୟତଃ ସମ୍ବେଦନଶୀଳ ହୋଇଥିବା ବେଳେ ଏଠି ହାଇପ୍ରୋଫାଇଲ୍ ଅପରାଧୀମାନେ କଏଦୀ ଭାବେ ରହୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଏହି ପ୍ରମୁଖ ଜେଲ୍‌ରେ ଡ୍ରୋନ୍ ଉଡ଼ାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ଜେଲ୍‌ଗୁଡ଼ିକରେ ଡ୍ରୋନ୍ ଉଡ଼ାଯିବାକୁ ଯୋଜନା କରାଯାଉଛି। ଓଡ଼ିଶାର ଜେଲ୍‌ଗୁଡ଼ିକର ଆଧୁନିକୀକରଣ କରିବା ପାଇଁ ୭ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଉଛି। ଏହି ଅର୍ଥରାଶିରୁ ହିଁ ଡ୍ରୋନ୍‌ କିଣା ପାଇଁ ଖର୍ଚ୍ଚ କରାଯିବ। ଡ୍ରୋନ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏଥିରେ ୨୦ଟି ଡ୍ରୋନ୍ କିଣାଯିବ। ପ୍ରତି ଡ୍ରୋନ୍ ପିଛା ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଉଛି।

Comments are closed.