Latest Odisha News

BREAKING NEWS

ପାକିସ୍ତାନୀ ଧମକରେ ନାହିଁ ଦମ୍…

ନୂଆଦିଲ୍ଲୀ: ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ। ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଧମକ । ଭବିଷ୍ୟତରେ ଯଦି ଭାରତ ସହ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ବ ବିପଦରେ ପଡେ, ତେବେ ପରମାଣୁ ହତିଆର ବ୍ୟବହାର କରିବେ। ଅଧା ବିଶ୍ବକୁ ଧ୍ବଂସ କରିବାକୁ ଖୋଲା ଚେତାବନୀ ଦେଇଛନ୍ତି ମୁନିର। ତେବେ ମୁହଁ ଫୁଟାଣୀ ମାରୁଥିବା ପାକିସ୍ତାନର ସତ କଣ ସେକଥା ଅପରେସନ୍ ସିନ୍ଦୂର ବେଳେ ପଦାରେ ପଡିଛି। ଭାରତର ମଜବୁତ ପରମାଣୁ ଓ ସେନା ଶକ୍ତି, ଅନ୍ତର୍ଜାତୀୟ ସମର୍ଥନ ତୁଳନାରେ ପାକିସ୍ତାନ ଅନେକ ତଳେ ରହିଛି। ପୂର୍ବରୁ କାରଗିଲ ଓ ନିକଟରେ ଅପରେସନ୍ ସିନ୍ଦୂର ବେଳେ ଏକଥା ପ୍ରମାଣିତ ହୋଇସାରିଛି।

ମୁନିରଙ୍କ ପରମାଣୁ ଧମକ

ଆମେରିକାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତ ବିରୋଧରେ ପରମାଣୁ ଯୁଦ୍ଧ ନେଇ କହିଛନ୍ତି ଅସିମ ମୁନିର। ଯଦି ପାକିସ୍ତାନର ଅସ୍ତିତ୍ବ ଉପରେ ବିପଦ ଆସେ, ତେବେ ପଛକୁ ହଟିବେନି, ଅଧା ବିଶ୍ବ ଧ୍ବଂସ କରିଦେବେ ବୋଲି ମୁନିର କହିଛନ୍ତି। ଅପରେସନ୍ ସିନ୍ଦୂର ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଥିବା ବେଳେ ଏଭଳି ଚେତାବନୀ ଦେଇଛନ୍ତି ମୁନିର। ଆମେରିକା ମାଟିରୁ ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ପରମାଣୁ ଧମକ ଦେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

ପରମାଣୁ ଶକ୍ତି, କାହାର କେତେ ଦମ୍?

ପାକିସ୍ତାନୀ ସେନା ମୁଖ୍ୟ ପରମାଣୁ ଧମକ ତ ଦେଉଛନ୍ତି, ହେଲେ ଭାରତର ପରମାଣୁ ଶକ୍ତି ସଂପର୍କରେ ଜାଣିଛନ୍ତି ତ? ଭାରତ ପାଖରେ ପ୍ରାୟ 180ଟି ପରମାଣୁ ହତିଆର ରହିଛି। ଅଗ୍ନି-5 ପରି ଲମ୍ବା ଦୂରତାର ମିସାଇଲ ସାଙ୍ଗକୁ ବୁଡାଜାହାଜରୁ ଛଡା ଯାଇପାରୁଥିବା ମିସାଇଲ୍ ରହିଛି। ଭାରତର ପରମାଣୁ କାର୍ଯ୍ୟକ୍ରମ ଆତ୍ମନିର୍ଭରଶୀଳ ଓ ଦେଶ ନୋ ଫାଷ୍ଟ ୟୁଜ ନୀତିରେ ବିଶ୍ବାସ କରେ। ସେପଟେ ପାକିସ୍ତାନ ପାଖରେ ପ୍ରାୟ 170ଟି ପରମାଣୁ ହତିଆର ରହିଛି। ତେବେ ଏସବୁର ରେଞ୍ଜ ଓ ଟେକ୍ନୋଲୋଜି ଭାରତ ତୁଳନାରେ ଦୁର୍ବଳ। ପାକିସ୍ତାନ ଫାଷ୍ଟ ୟୁଜ୍ ନୀତିରେ ବିଶ୍ବାସ କରିବା ସହ ଧମକ ଦିଏ। ତେବେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଭାରତ ପରି ମଜବୁତ ନୁହେଁ। ଭାରତ ପାଖରେ ଆର୍ଥିକ ଓ ଟେକ୍ନୋଲୋଜି ଶକ୍ତି ରହିଛି, ଯାହା ଲମ୍ବା ସମୟ ଧରି ଯୁଦ୍ଧରେ ଦେଶକୁ ଫାଇଦା ଦେବ।

ମୁନିରଙ୍କ ଧମକରେ କେତେ ଦମ୍?

ଆମେରିକାରୁ ଭାରତକୁ ପରମାଣୁ ଧମକ ଦେଉଥିଲେ ମଧ୍ୟ ଏଥିରେ ଦମ୍ ନଥିବା ବିଶେଷଜ୍ଞ କହିଛନ୍ତି। କାରଣ ପାକିସ୍ତାନ ପରମାଣୁ ହତିଆର ବ୍ୟବହାର କଲେ, ଆମେରିକା, ଋଷ ଓ ଚୀନ ପରି ଦେଶ ହସ୍ତକ୍ଷେପ କରିବେ। ଫଳରେ ବ୍ୟାପକ କ୍ଷତି ସହିବ ପାକିସ୍ତାନ। ଅଧା ବିଶ୍ବକୁ ଧ୍ବଂସ କରିବାକୁ କହୁଥିବା ପାକିସ୍ତାନ ପରମାଣୁ ହତିଆର ବ୍ୟବହାର କଲେ ନିଜର ସବୁଠୁ ବଡ଼ କ୍ଷତି କରିପାରେ। ଅପରେସନ୍ ସିନ୍ଦୂରରେ ଭାରତ ସାମନାରେ ପାକିସ୍ତାନର ବାୟୁସେନା ଓ ସେନା ଶକ୍ତି ଦୁର୍ବଳ ପଡିଥିଲା। ତେଣୁ ପରମାଣୁ ଧମକ କେବଳ ଏହାର ଦୁର୍ବଳତାକୁ ହିଁ ଦେଖାଉଛି।

କେବଳ ଭାରତକୁ ଡରାଇବାକୁ ଓ ଅନ୍ତର୍ଜାତୀୟ ମଞ୍ଚରେ ଧ୍ୟାନ ଆକର୍ଷଣ କରିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ପରମାଣୁ ଧମକ ଦେଇଥିବା କୁହାଯାଉଛି। ଆମେରିକାରେ ଏଭଳି ବୟାନ ଦେଇ ସେ ପାକ୍ ସେନାର ଦୁର୍ବଳତା ଲୁଚାଇବା ସହ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛନ୍ତି। ତେବେ ଏଭଳି ଧମକର ଜବାବ ବାଲାକୋଟ ଓ ଅପରେସନ୍ ସିନ୍ଦୂର ପରି ସେନା କାର୍ଯ୍ୟାନୁଷ୍ଠାନରେ ଦେଇଆସିଛି ଭାରତ।

Comments are closed.