Latest Odisha News

BREAKING NEWS

ପିଲାମାନଙ୍କ ହାଡ଼ ଦୁର୍ବଳ ହେବାର କାରଣ କ’ଣ…?

ଭୁବନେଶ୍ବର: ପୂର୍ବରୁ ପିଲାମାନେ ସାରା ଦିନ ବାହାରେ ଖେଳୁଥିଲେ, ଗଛ ଚଢ଼ୁଥିଲେ, ଡିଆଁକୁଦା କରୁଥିଲେ ; ସେମାନଙ୍କର ହାଡ଼ ମଜବୁତ ରହୁଥିଲା। କିନ୍ତୁ ଏବେ ସାମାନ୍ୟ ଆଘାତରେ କେତେବେଳେ ହାତରେ, ଗୋଡରେ ପ୍ଲାଷ୍ଟର ଲାଗୁଛି । ବାପାମାଆମାନେ ପ୍ରାୟତଃ ଭାବନ୍ତି ଯେ ଏପରି କାହିଁକି ହେଉଛି, ସେମାନେ ସେମାନଙ୍କ ପିଲାମାନଙ୍କୁ ଭଲ ଖାଦ୍ୟ ଏବଂ କ୍ଷୀର ଖାଇବାକୁ ଦିଅନ୍ତି।

ପିଲାମାନଙ୍କ ହାଡ଼ ଦୁର୍ବଳ ହେବା ସବୁବେଳେ ସିଧାସଳଖ ଜଣାପଡ଼େ ନାହିଁ। ପ୍ରାରମ୍ଭରେ, ଏହା କେବଳ ଥକ୍କାପଣ, ଯନ୍ତ୍ରଣା କିମ୍ବା ଖେଳିବା ସମୟରେ ଶୀଘ୍ର ଥକ୍କା ଲାଗିବା ଲକ୍ଷଣ ଦେଖାଯାଇପାରେ। ଅନେକ ସମୟରେ ପିଲାମାନେ ସେମାନଙ୍କ ଗୋଡ଼ କିମ୍ବା ଆଣ୍ଠୁରେ ଯନ୍ତ୍ରଣା ଅଭିଯୋଗ କରନ୍ତି ଏବଂ ପିତାମାତା ଏହାକୁ ଥକ୍କାପଣ ଭାବି ଅଣଦେଖା କରନ୍ତି।
କିନ୍ତୁ ଯେତେବେଳେ ଆଘାତ ପରେ ହାଡ଼ ଜଲଦି ଭାଙ୍ଗି ଯାଏ, ସେତେବେଳେ ଅନୁଭବ କରନ୍ତି ଯେ ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଉଛି।

ତେବେ କାହିଁକି କମ୍ ବୟସରେ ହାଡ ଦୁର୍ବଳ ହେଇଛି ଆସନ୍ତୁ ଜାଣିବା..

ପ୍ରକୃତ କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୂର୍ବରୁ ପିଲାମାନେ ସକାଳ ଏବଂ ସନ୍ଧ୍ୟାରେ ବାହାରେ ଖେଳୁଥିଲେ ଯାହା ଫଳରେ ସେମାନେ ସୂର୍ଯ୍ୟ କିରଣରୁ ପର୍ଯ୍ୟାପ୍ତ ଭିଟାମିନ୍ ଡି ପାଉଥିଲେ। ଏହି ଭିଟାମିନ୍ ହାଡ଼କୁ ମଜବୁତ କରିବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ବର୍ତ୍ତମାନ ପିଲାମାନେ ପ୍ରାୟତଃ ମୋବାଇଲ୍ ଫୋନ୍, ଟିଭି କିମ୍ବା ଗେମ୍ ରେ ଘର ଭିତରେ ସମୟ ବିତାଉଛନ୍ତି, ଯାହା ଫଳରେ ସେମାନଙ୍କୁ ସୂର୍ଯ୍ୟ କିରଣର ଲାଭ ମିଳୁନାହିଁ।

ଏଥିସହିତ ଖାଇବା ଅଭ୍ୟାସ ମଧ୍ୟ ବଦଳି ଯାଇଛି। ଆଜିକାଲି ପିଲାମାନେ ଶାଗ, ପନିପରିବା, କ୍ଷୀର ଏବଂ ଦହି ଖାଉ ନାହାଁନ୍ତି । ଜଙ୍କଫୁଡ୍, ଥଣ୍ଡା ପାନୀୟ ଏବଂ ପ୍ୟାକେଜ୍ ହୋଇଥିବା ଖାଦ୍ୟ ପିଲାମାନଙ୍କ ଦୈନନ୍ଦିନ ଖାଦ୍ୟର ଏକ ଅଂଶ ପାଲଟିଯାଇଛି, ଯେଉଁଥିରେ କ୍ୟାଲସିୟମ ଏବଂ ଆବଶ୍ୟକୀୟ ପୋଷକତତ୍ତ୍ୱର ଅଭାବ ରହିଛି।

ସେହିପରି ଶରୀର ଯେତେ ସକ୍ରିୟ ହେବ, ହାଡ଼ ସେତେ ମଜବୁତ ହେବ। କିନ୍ତୁ ଆଜିକାଲି ପାଠପଢ଼ା ଚାପ, ଟ୍ୟୁସନ୍ ଏବଂ ସ୍କ୍ରିନ୍ ଟାଇମ ଯୋଗୁଁ ପିଲାମାନଙ୍କ ଖେଳିବା ପାଇଁ ସମୟ କମ୍ ହୋଇଯାଇଛି । ଏହା ବ୍ୟତୀତ କିଛି ପିଲାଙ୍କ ଜନ୍ମରୁ କ୍ୟାଲସିୟମର ଅଭାବ କିମ୍ବା ହରମୋନ୍ ସମସ୍ୟା ହୋଇପାରେ ଯାହା ହାଡ଼କୁ ଦୁର୍ବଳ କରିଦିଏ।

ତେଣୁ ପିଲାଙ୍କ ଖାଦ୍ୟରେ କ୍ୟାଲସିୟମ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ, ୧ ରୁ ୩ ବର୍ଷ ବୟସର ପିଲାକୁ ଦୈନିକ ୭୦୦ ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକ ହୁଏ। ୪ ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ କ୍ୟାଲସିୟମର ପରିମାଣ ୧୦୦୦ ମିଲିଗ୍ରାମ ,୯ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ୧୩୦୦ ମିଲିଗ୍ରାମ କ୍ୟାଲସିୟମ ଦେବା ଆବଶ୍ୟକ।

ସୂଚନାଥାଉକି ପିଲାକୁ କେବଳ କ୍ଷୀର ଖାଇବାକୁ ଦେଲେ ତା’ର ଦୈନିକ କ୍ୟାଲସିୟମ ଆବଶ୍ୟକତା ପୂରଣ ହୁଏ ନାହିଁ। କ୍ଷୀର ବ୍ୟତୀତ ତାକୁ ବାଦାମ, ଅମୃତଭଣ୍ଡା, ସବୁଜ ପନିପରିବା, ବିନ୍ସ, ବ୍ରୋକୋଲି, ଟୋଫୁ ଓ କମଳା ଖାଇବାକୁ ଦିଅନ୍ତୁ।

ପିଲାମାନେ ପ୍ରତିଦିନ ଅତି କମରେ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଖେଳିବା ଉଚିତ।ସେମାନଙ୍କୁ ଶାରୀରିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଉତ୍ସାହିତ କରନ୍ତୁ । ସାଇକେଲ ଚଲାଇବା, ଦୌଡ଼ିବା କିମ୍ବା ଯେକୌଣସି ଖେଳ ଖେଳିବାକୁ କୁହନ୍ତୁ ।

Comments are closed.