ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍ ସେନାମୁଖ୍ୟ ଅସିମ ମୁନିରଙ୍କ ବ୍ରୋମାନ୍ସ ଏବେ ସାରା ବିଶ୍ବରେ ଚର୍ଚ୍ଚା ବଢାଇଛି। ଅପରେସନ୍ ସିନ୍ଦୂର ପରେ ଦୁଇ ଥର ଆମେରିକା ଯାଇଛନ୍ତି ମୁନିର। ପାକିସ୍ତାନର ନିର୍ବାଚିତ ସରକାରଙ୍କଠାରୁ ଅଧିକ ସେନା ମୁଖ୍ୟଙ୍କ ସହ ସଂପର୍କ ସ୍ଥାପନରେ ଲାଗିଛି ଆମେରିକା। ଏହା ମଧ୍ୟରେ ପାକିସ୍ତାନର ଆଇରନ ବ୍ରଦର ଚୀନ ସହ ସଂପର୍କ କିଭଳି ରହିବ, ତାକୁ ନେଇ ଚର୍ଚ୍ଚା ହେଉଛି। ପାକିସ୍ତାନର ନୂଆ ବସ୍ ଆମେରିକାକୁ ସ୍ବୀକାର କରିବ କି ଡ୍ରାଗନ?
ସରପ୍ରାଇଜ ସହଯୋଗୀ ପାକିସ୍ତାନ
ପାକିସ୍ତାନକୁ ନେଇ ଟ୍ରମ୍ପଙ୍କ ରଣନୀତିରେ ୟୁଟର୍ଣ୍ଣ ଦେଖିବାକୁ ମିଳିଛି। ନିଜ ପ୍ରଥମ କାର୍ଯ୍ୟକାଳରେ ପାକିସ୍ତାନକୁ ନେଇ ଭିନ୍ନ ଆଭିମୁଖ୍ୟ ରଖିଥିବା ଟ୍ରମ୍ପଙ୍କ ରଣନୀତିରେ, ଏଥର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବ କାର୍ଯ୍ୟକାଳରେ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଥିବା ଟ୍ରମ୍ପ ଏଥର ପାକିସ୍ତାନୀ ସାମଗ୍ରୀ ଉପରେ 29ପ୍ରତିଶତ ଟାରିଫ କମାଇ 19ପ୍ରତିଶତ କରିଛନ୍ତି। ଖାଲି ସେତିକି ନୁହେଁ ତେଲ ଖନନକୁ ଆଗକୁ ନେବାକୁ ବି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନୀତିକୁ ଚୀନକୁ ଘେରିବା ସହ ମଧ୍ୟପ୍ରାଚ୍ୟରେ ଇରାନର ପ୍ରଭାବ କମ୍ କରିବା ରଣନୀତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ।
କଣ କହୁଛି ଚୀନ୍?
ଆମେରିକା ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ବଡ଼ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛି ଚୀନ। ଟ୍ରମ୍ପଙ୍କ ସାମୟିକ ରାଜନୈତିକ କୋଳାହଳ ପାଇଁ ପାକିସ୍ତାନ ସହ ନିଜ ସଂପର୍କରୁ ଓହରିବନି ବୋଲି ଡ୍ରାଗନ କହିଛି। କାରଣ ଚୀନ ଓ ପାକିସ୍ତାନ ମଧ୍ୟରେ ବର୍ଷ ବର୍ଷ ଧରି ଆର୍ଥିକ, ପ୍ରତିରକ୍ଷା ଓ ରଣନୈତିକ ସହଯୋଗ ରହିଆସିଛି। ସିପିଇସି ପରି ପ୍ରକଳ୍ପରେ ନିବେଶ କରିବା ସହ ପାକିସ୍ତାନକୁ ସବୁ ସ୍ଥିତିରେ କୁଟନୈତିକ ସହଯୋଗ କରିଆସିଛି। ଚୀନ୍ ପାକିସ୍ତାନର ଦୋମୁହାଁ ନୀତିକୁ ଏବେ ବରଦାସ୍ତ କରୁଛି। କାରଣ ଏବେବି ବେଜିଂ ଉପରେ ଇସଲାମାବାଦର ଆର୍ଥିକ ଓ ସାମରିକ ନିର୍ଭରଶୀଳତା ବଜାୟ ରହିବ। ତେବେ ଯଦି ପାକିସ୍ତାନର ସେନା ଠିକଣାରେ ଆମେରିକା ପହଞ୍ଚିଲେ ଏହାକୁ ଚୀନ ସ୍ବୀକାର କରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି। ସେହିପରି ପାକିସ୍ତାନ ଓ ଆମେରିକାର ସଂପର୍କ ଯୋଗୁଁ ସିପିଇସି ପରି ପ୍ରକଳ୍ପରେ ଚୀନ ନିବେଶ ବିପଦରେ ପଡିଲେ ମଧ୍ୟ ଚୀନ୍ ସ୍ବୀକାର କରିବନି।
ବିଗିଡିବ ଦକ୍ଷିଣ ଏସିଆରେ ଶକ୍ତି ସନ୍ତୁଳନ !
ଟ୍ରମ୍ପଙ୍କ ଇସାରାରେ ଏବେ ପରିଚାଳିତ ହେଉଛନ୍ତି ପାକିସ୍ତାନ ନେତୃତ୍ବ। ଯେପର୍ଯ୍ୟନ୍ତ ଆମେରିକାର ସମର୍ଥନ ସିଧା ସଳଖ ଭାବେ ଚୀନର ରାଷ୍ଟ୍ରହିତକୁ କ୍ଷତି ନକରିଛି, ସେପର୍ଯ୍ୟନ୍ତ ଡ୍ରାଗନ ଏହାକୁ ସହ୍ୟ କରିବ। ପାକିସ୍ତାନୀ ନେତୃତ୍ବ ଯେତେ ଆମେରିକା-ଚୀନ୍ ସନ୍ତୁଳନ ଖେଳ ଖେଳିଲେ ମଧ୍ୟ ପାକିସ୍ତାନର ନିର୍ଭରଶୀଳତା ଚୀନ ଉପରେ ହିଁ ରହିବ। ତେଣୁ ଟ୍ରମ୍ପଙ୍କ ରଣନୀତି କିଛି ସମୟ ପାଇଁ ହଲଚଲ ସୃଷ୍ଟି କଲେ ମଧ୍ୟ କ୍ଷମତା ସନ୍ତୁଳନ ବିଗାଡି ପାରିବନି ବୋଲି କୁହାଯାଉଛି। ଚୀନ୍ ନିଜ ଆର୍ଥିକ ଓ ରଣନୈତିକ କ୍ଷମତା ଦ୍ବାରା ପାକିସ୍ତାନକୁ ନିଜ ପାଖରେ ରଖିବାକୁ ଚାହିଁବ। ତେବେ ଏଭଳି ସମ୍ବେଦନଶୀଳ ସମୟରେ ପାକିସ୍ତାନର ନୀତି ଉତ୍ତେଜନା ବଢାଇପାରେ ।
Comments are closed.