ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଆଗରୁ ବିରୋଧୀଙ୍କ ବଡ଼ ରଣନୀତି। ଆସନ୍ତା 17ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୋଟର ଅଧିକାର ଯାତ୍ରା। ପ୍ରାୟ ଦୁଇ ସପ୍ତାହ ଧରି ପ୍ରସ୍ତାବିତ ଏହି ଯାତ୍ରା ନେଇ ନିକଟରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୋଟ ଚୋରିକୁ ଅସ୍ତ୍ର କରି କେନ୍ଦ୍ରର ଏନଡିଏ ସରକାରଙ୍କୁ ଲଗାତର ଟାର୍ଗେଟ୍ କରୁଛନ୍ତି ବିରୋଧୀ। ଏବେ ଏହାକୁ ବିହାରରେ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ସହ ଯୋଡି ଜନ ସମର୍ଥନ ଯୋଗାଡ କରିବାକୁ ଉଦ୍ୟମ କରିବେ। ତେବେ ପ୍ରଶ୍ନ ଉଠୁଛି, କେତେ କାମ ଦେବ ବିରୋଧୀଙ୍କ ଭୋଟର ଅଧିକାର ଯାତ୍ରା?
ବିରୋଧୀଙ୍କ ହାତରେ ଏସଆଇଆର ଅସ୍ତ୍ର !
କର୍ଣ୍ଣାଟକର କେସଷ୍ଟଡିକୁ ଅସ୍ତ୍ର କରି ଭୋଟ୍ ଚୋରି ଅଭିଯୋଗରେ ନିର୍ବାଚନ କମିଶନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସଂସଦରୁ ସଡ଼କ ପର୍ଯ୍ୟନ୍ତ ବିରୋଧୀ ଇଣ୍ଡିଆ ମେଣ୍ଟ ଏହି ପ୍ରସଙ୍ଗରେ ଜୋରଦାର ବିକ୍ଷୋଭ କରୁଛି। ଭୋଟ ଚୋରି ପ୍ରସଙ୍ଗକୁ ବିହାରର ଏସଆଇଆର ସହ ଯୋଡି ଏବେ ନିର୍ବାଚନୀ ମାହୋଲକୁ ସରଗରମ କରିବାକୁ ଉଦ୍ୟମ କରିବେ ବିରୋଧୀ। ଅନେକ ଦିନ ଧରି ଇଣ୍ଡିଆ ମେଣ୍ଟରେ ଫାଟ ନେଇ ଆଲୋଚନା ହେଉଥିବା ବେଳେ ଏବେ ଭୋଟ ଚୋରି ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକାଠି ନଜର ଆସୁଛନ୍ତି। ତେଣୁ ଏସଆଇଆରକୁ ପ୍ରସଙ୍ଗ କରି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କ ପାଖରେ ପହଞ୍ଚିବ ଇଣ୍ଡିଆ ମେଣ୍ଟ।
ଭୋଟର ଅଧିକାର ଯାତ୍ରା
ବିହାରର ରୋହତାସର ସାସାରାମ ରେଲଓ୍ବେ ଷ୍ଟାଡିୟମରୁ ଆରମ୍ଭ ହେବାକୁ ଥିବା ଭୋଟର ଅଧିକାର ଯାତ୍ରା ପାଟନାର ଗାନ୍ଧୀ ମଇଦାନରେ ଶେଷ ହେବ। ବିହାରର ପ୍ରାୟ ଦୁଇ ଡର୍ଜନ ଜିଲ୍ଲା ଦେଇ ଯିବାକୁ ଥିବା ଏହି ଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବି ସାମିଲ ହେବେ। ଏହାସହ ବିହାରରୁ ଇଣ୍ଡିଆ ବ୍ଲକରେ ସାମିଲ ଥିବା 6ଟି ଦଳର ନେତା ଏଥିରେ ଯୋଗଦେବେ। ଯାତ୍ରା ସମୟରେ ଲୋକଙ୍କୁ ନିର୍ବାଚନ କମିଶନଙ୍କ ଏସଆଇଆର କିପରି ବିଜେପି ଫାଇଦା ପାଇଁ କରାଯାଉଛି, ସେନେଇ ସଚେତନ କରାଯିବ।
ବିହାରରେ କମାଲ କରିବ ଇଣ୍ଡିଆ ବ୍ଲକ !
2024 ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ବ୍ଲକକୁ ମିଳିତ ବିରୋଧୀ ସ୍ବର ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରାଯାଇଥିଲା। ଏହାର ଆରମ୍ଭ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେତେବେଳେ ସେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ଠିକ୍ ନିର୍ବାଚନ ପୂର୍ବରୁ ଏନଡିଏକୁ ଫେରି ଯାଇଥିଲେ ନୀତିଶ। ଏବେ ସେଇ ଇଣ୍ଡିଆ ମେଣ୍ଟ ନୀତିଶ ସରକାରଙ୍କ ବିରୋଧରେ ଭୋଟର ଅଧିକାର ଯାତ୍ରା କରିବାକୁ ଯାଉଛି। କର୍ଣ୍ଣାଟକରେ ଭୋଟ ଚୋରି ଅଭିଯୋଗ ପରେ ବିହାରରେ ଏସଆଇଆର ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଇଣ୍ଡିଆ ମେଣ୍ଟର ନେତା। ଏଥିରେ ଯଦିଓ ଶ୍ରେୟ ରାଜନୀତିକୁ ନେଇ କେଁ ରହିଛି, ତେବେ ମହାଗଠବନ୍ଧନ ଏକଜୁଟ ହୋଇ ଜନତାଙ୍କୁ ବଡ଼ ସନ୍ଦେଶ ଦେବାକୁ ଯାଉଛନ୍ତି। ଆଉ ଜନତାଙ୍କ ସମର୍ଥନ ମିଳିଲେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ କମାଲ କରିପାରେ ବିରୋଧୀ ମେଣ୍ଟ।
Comments are closed.