ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି।
ଡ଼ ମହାନ୍ତି କହିଛନ୍ତି, ଦେଶର ବିକଶିତ ରାଜ୍ୟ ମାନଙ୍କରେ ମେଟ୍ରୋ ଚଳାଚଳ ଏକ ସାଧାରଣ ଘଟଣା ହୋଇଥିବା ବେଳେ, ଓଡିଶା ଭଳି ବିକାଶଶୀଳ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ। ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେବା ସହିତ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହିତ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ଚୁକ୍ତି ହୋଇଥିଲା ଓ ଏହି ପ୍ରକଳ୍ପ ପାଇଁ ରାଜ୍ୟ ତହବିଲ୍ରୁ ୬୦୦୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। କିନ୍ତୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନାହାଁନ୍ତି। ବରଂ ଏହି ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଛନ୍ତି।
ଜଣେ ମନ୍ତ୍ରୀ ମାଟି ଉପରେ ମେଟ୍ରୋ ଚାଲିବ ବୋଲି କହିଲା ବେଳେ, ଆଉ ଜଣେ ମନ୍ତ୍ରୀ ମାଟି ତଳେ ମେଟ୍ରୋ ଯିବ ବୋଲି କହୁଛନ୍ତି। କିନ୍ତୁ ଏହି ପ୍ରକଳକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବିଜେପି ନେତାମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇ କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ସେହି ପ୍ରକ୍ରିୟାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ତାଙ୍କ ମନ୍ତବ୍ୟ ମାଧ୍ୟମରେ ଆହୁରି ଭ୍ରମ ସୃଷ୍ଟି କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଥିଲେ, ଦେଶରେ ଚାଲୁଥିବା ସମସ୍ତ ମେଟ୍ରୋ ରେଳ ପ୍ରକଳ୍ପ ଗୁଡିକ କ୍ଷତିରେ ଚାଲୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା।
ହାଇଦ୍ରାବାଦ ଓ ବାଙ୍ଗାଲୋର ପ୍ରକଳ୍ପ ଲାଭରେ ଚାଲୁଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଦେଖାଇ ଡ଼ ଲେନିନ ମହାନ୍ତି, ଉପମୁଖ୍ୟମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ମିଛ କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି, ତାହା ସ୍ପଷ୍ଟ ହେବା ଦରକାର ବୋଲି କହିଛନ୍ତି। ସିଂହଦେଓ ଆହୁରି କହିଛନ୍ତି, ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ, ରାଜ୍ୟ ସରକାର ମେଟ୍ରୋ ଚାଲୁଥିବା ରାଜ୍ୟ ଗୁଡିକୁ ଏକ ପ୍ରତିନିଧି ଦଳ ପଠାଇବେ । ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଯଦି ଏକ ପ୍ରତିନିଧି ମଣ୍ଡଳୀ ଆମୋଦ ଭ୍ରମଣରେ ବିଭିନ୍ନ ରାଜ୍ୟକୁ ପଠାଇବାକୁ ଚାହୁଁଛନ୍ତି, ତାହା ସେ କରନ୍ତୁ। କିନ୍ତୁ ସେଥିପାଇଁ ରାଜ୍ୟର ବିକାଶର ପ୍ରତୀକ ସ୍ୱରୂପ ମେଟ୍ରୋ ପ୍ରକଳ୍ପକୁ ଅନ୍ଧକାର ଭିତରକୁ ଠେଲି ଦିଅନ୍ତୁ ନାହିଁ।
ଡ଼ ମହାନ୍ତି ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ପ୍ରକଳ୍ପର ରାଜ୍ୟରେ ସ୍ଥିତିକୁ ନେଇ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଦେଇଥିବା ଆଜିର ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ବିଫଳ ଯୋଜନା । କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ଏହି ପ୍ରକଳ୍ପ ଗ୍ରହଣୀୟ ହୋଇପାରି ନାହିଁ । ରାଜ୍ୟରେ ୩ ଲକ୍ଷ ସୂର୍ଯ୍ୟଘର ସଂଯୋଗ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ଓଡ଼ିଶାରେ ମାତ୍ର ୨୦ ହଜାର ସଂଯୋଗ ହୋଇପାରିଛି ବୋଲି ମନ୍ତ୍ରୀ କହିଥିଲେ। ଏହି ତଥ୍ୟରୁ ପ୍ରକଳ୍ପର ଗ୍ରହଣୀୟତା ନାହିଁ ବୋଲି ସ୍ପଷ୍ଟ ହେଉଛ । ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ନେଇ ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା।
Comments are closed.