ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଭାଷା ଆନ୍ଦୋଳନ। ଭାଷା ଆନ୍ଦୋଳନ ସହ ଏବେ ସିନେମାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବଙ୍ଗାଳୀ ପ୍ରବାସୀଙ୍କୁ ନେଇ ଆରମ୍ଭ କରିଥିବା ଭାଷା ଆନ୍ଦୋଳନରେ ଖେଳିଛନ୍ତି ନୂଆ ଅସ୍ମିତା କାର୍ଡ। ପଶ୍ଚିମବଙ୍ଗର ସିନେମା ହଲରେ ପ୍ରାଇମ ଟାଇମରେ ବଙ୍ଗାଳୀ ଫିଲ୍ମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତୃଣମୂଳ କଂଗ୍ରେସ ସରକାର। ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପିକୁ ମାତ୍ ଦେବାକୁ ଆଗୁଆ ରଣନୀତି କଲେଣି ଦିଦି।
ଭାଷା ଆନ୍ଦୋଳନରେ ସିନେମାର ଏଣ୍ଟ୍ରି
ସିନେମା ହଲରେ ପ୍ରାଇମ ଟାଇମରେ ବଙ୍ଗାଳୀ ଫିଲ୍ମ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ। ଏହାର ଉଲ୍ଲଂଘନ କଲେ ସରକାର ଆକ୍ସନ ନେବେ। ପୂର୍ବରୁ ସିନେମା ହଲର ପ୍ରାଇମ ଟାଇମ୍ ଦ୍ବିପହର 12ଟାରୁ ଆରମ୍ଭ ହୋଇ ରାତି 9ଟା ପର୍ଯ୍ୟନ୍ତ ଥିଲା। ତେବେ ନୂଆ ନିୟମ ଅନୁସାରେ ଏବେ ପଶ୍ଚିମବଙ୍ଗର ସିନେମା ହଲରେ ଅପରାହ୍ନ 3ଟାରୁ ରାତି 9ଟା ପର୍ଯ୍ୟନ୍ତ ପ୍ରାଇମଟାଇମ୍ ଶୋ ଚାଲିବ। ଏହି ସମୟରେ ସିନେମା ହଲରେ ବଙ୍ଗାଳୀ ଫିଲ୍ମ ଦେଖାଯିବ। ମଲଟିପ୍ଲେକ୍ସରେ ବି ବଙ୍ଗାଳୀ ଫିଲ୍ମର ଗୋଟିଏ ଶୋ ରହିବ।
ଏବେ ବଢିଯିବ ବିଜେପି ଟେନସନ୍ !
ପଶ୍ଚିମବଙ୍ଗରେ ମମତା ତ ଦିଲ୍ଲୀରେ ଅଭିଷେକ ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରୁଛନ୍ତି। ଦିଦି ଭାଷା ଆନ୍ଦୋଳନ କରୁଛନ୍ତି ତ ଅଭିଷେକ ଏସଆଇଆର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାରେ ହୋଇଥିବା ମତଦାନରେ ନିର୍ବାଚିତ ହୋଇଛନ୍ତି, ତେବେ ଏହାକୁ ସୁଧାରିବାକୁ ଲୋକସଭା ଭଙ୍ଗ କରି ପୂରା ଦେଶରେ କାହିଁକି ଏସଆଇଆର କରାଯାଉନି? ଲୋକସଭା ଭଙ୍ଗ କରି ପୁଣି ନିର୍ବାଚନ କରିବାକୁ ଅଭିଷେକ ଦାବି କରୁଛନ୍ତି।
ଦିଦିଙ୍କ ଅସ୍ମିତା କାର୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ପ୍ରଥମେ ବାହାର ଲୋକ କହିଥିବା ମମତା ଏବେ ସେମାନଙ୍କୁ ବଙ୍ଗଳା ବିରୋଧୀ ବୋଲି ପ୍ରମାଣିତ କରିବାରେ ଲାଗିଛନ୍ତି। ବଙ୍ଗଳା ଭାଷା ଆନ୍ଦୋଳନ ନାଁରେ ଏବେ ସମସ୍ତ ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସମର୍ଥନ ନିଜ ଆଡକୁ ନେବାକୁ ମମତା ଖେଳିଛନ୍ତି ଅସ୍ମିତା କାର୍ଡ। ବିଜେପି ମୁକୁଲ ରୟଙ୍କ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଗୋଟି ଚଳାଉଛି। ହେଲେ ମମତା ଏମିତି ପ୍ରସଙ୍ଗ ଉଠାଇଛନ୍ତି, ଯେଉଁଥିରେ ବିରୋଧ କରିବା ସହଜ ନୁହେଁ। ଅନେକ ଥର ବିରୋଧ କରି ବିଜେପି ଆଦର୍ଶଠାରୁ ଭିନ୍ନ ମତ ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ମମତା ବାନାର୍ଜୀଙ୍କ ଦୁର୍ଗା ଆଙ୍ଗନ ବା ଜଗନ୍ନାଥ ମନ୍ଦିର ନିର୍ମାଣକୁ ଜନତାଙ୍କ ଟ୍ୟାକ୍ସ ଅର୍ଥ ବରବାଦୀ କହିଛନ୍ତି। ହେଲେ ନା ଏଭଳି ବୟାନକୁ ବିଜେପି ସମର୍ଥକ ଗ୍ରହଣ କରି ପାରିଛନ୍ତି ନା ଟିଏମସି ସମର୍ଥକ।
ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଯାଉଥିବା ବେଳେ ଏବେଠୁ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି ମମତା ବାନାର୍ଜୀ। ଦିନକୁ ଦିନ ନୂଆ ଅସ୍ମିତା କାର୍ଡ ଖେଳୁଛନ୍ତି। ବିଜେପି କାଉଣ୍ଟର ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ହିଁ ନୂଆ ଗୋଟି ଚଳାଉଛନ୍ତି ଦିଦି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ବିଜେପି କଡା ମୁକାବିଲାର ସାମନା କରିପାରେ।
Comments are closed.