ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ସୁଟ୍ ପିନ୍ଧିଥିବା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ ପୁରସ୍କାର ଦାବି କରୁଥିବା ମୁନିରଙ୍କୁ ଅଲକାଏଦାର ପୂର୍ବ ମୁଖ୍ୟଙ୍କ ସହ ତୁଳନା କରିଛନ୍ତି ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକଲ ରୁବିନ। ଆମେରିକାରୁ ଭାରତ ବିରୋଧରେ ପରମାଣୁ ଧମକ ଦେଇଥିଲେ ମୁନିର। ଏହାକୁ ନେଇ କେବଳ ଭାରତ ନୁହେଁ ସାରା ବିଶ୍ବରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ପାକିସ୍ତାନକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଘୋଷଣା କରିବାକୁ କହିଛନ୍ତି ମାଇକଲ ରୁବିନ। ତେବେ ପ୍ରଶ୍ନ ଉଠୁଛି କାହିଁକି ମୁନିରଙ୍କୁ ଲାଦେନ ସହ ତୁଳନା କଲେ ରୁବିନ?
ମୁନିରଙ୍କ ମୁହଁରେ ଲାଦେନର ଭାଷା
ଆମେରିକାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧନ କରି ମୁନିର କହିଛନ୍ତି, ପାକିସ୍ତାନ ପରମାଣୁ ଶକ୍ତି ସଂପନ୍ନ ଦେଶ। ଯଦି ଲାଗେ ପାକିସ୍ତାନ ବୁଡିବାକୁ ଯାଉଛି, ତେବେ ଅଧା ଦୁନିଆକୁ ନେଇ ବୁଡିବୁ ବୋଲି ମୁନିର କହିଥିଲେ। ଏଥିରେ ଭାରତକୁ ସିଧା ନିଶାନା କରାଯାଇଥିଲେ ମଧ୍ୟ ଧମକ ପୂରା ବିଶ୍ବ ପାଇଁ ରହିଥିଲା। ମୁନିରଙ୍କ ଏଭଳି ବୟାନକୁ କୌଣସି ସଭ୍ୟ ଦେଶ ସମର୍ଥନ ଦେବନି। ମାଇକେଲ ରୁବିନ ଏହାକୁ ଆଇଏସଆଇଏସ ଓ ଓସାମା ବିନ ଲାଦେନ ଭଳି ଆତଙ୍କବାଦୀଙ୍କ ବୟାନବାଜି ସହ ଯୋଡିଛନ୍ତି। ମୁନିରଙ୍କ ଭାଷା ଆତଙ୍କୀ ସଂଗଠନର ବିଚାରଧାରାକୁ ଦର୍ଶାଉଛି ଓ ଏହା ବିଶ୍ବ ଶାନ୍ତି ଓ ସ୍ଥିରତା ପାଇଁ ବିପଦ ବୋଲି ରୁବିନ କହିଛନ୍ତି।
ବିଶ୍ବ ସୁରକ୍ଷା ପାଇଁ ବିପଦ
ମୁନିରଙ୍କ ବୟାନ ପରେ ପାକିସ୍ତାନରେ ପରମାଣୁ ହତିଆରର ସୁରକ୍ଷା ଓ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏକ ପରମାଣୁ ଶକ୍ତି ସଂପନ୍ନ ଦେଶର ସେନା ମୁଖ୍ୟ ଭାବେ ମୁନିରଙ୍କ ବୟାନ କେବଳ ଭାରତ ନୁହେଁ ବରଂ ବିଶ୍ବର ଅନ୍ୟ ଦେଶଙ୍କ ପାଇଁ ବି ଚିନ୍ତା ବଢାଇଛି। ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ ଲାଦେନ 9/11 ଭଳି ଆକ୍ରମଣ ଦ୍ବାରା ବିଶ୍ବ ସୁରକ୍ଷାକୁ ଚ୍ୟାଲେଞ୍ଜ କରିଥିଲା। ବିଶ୍ବ ସ୍ଥିରତା ଓ ଶାନ୍ତି ଦୃଷ୍ଟିରୁ ଉଭୟ ମାମଲାକୁ ଯୋଡି ଦେଖାଯାଉଛି।
ଆତଙ୍କବାଦୀ ସଂଗଠନ ସହ ଲିଙ୍କ !
ଭାରତ ଓ କିଛି ପାଶ୍ଚାତ୍ୟ ଦେଶର ବିଶେଷଜ୍ଞ ପାକିସ୍ତାନୀ ସେନା ବିରୋଧରେ ଜୈସ-ଏ-ମୋହମ୍ମଦ, ଲସ୍କର-ଏ-ତୋଏବା ପରି ଆତଙ୍କବାଦୀ ସଂଗଠନ ସହ ଲିଙ୍କ ନେଇ ଅଭିଯୋଗ କରିଆସୁଛନ୍ତି। ଅପରେସନ୍ ସିନ୍ଦୂର ସମୟରେ ଆତଙ୍କୀଙ୍କ ଶେଷକୃତ୍ୟରେ ମୁନିର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ମୁନିରଙ୍କ ବୟାନ ପରେ ତାଙ୍କ ଆତଙ୍କୀ ଲିଙ୍କ ନେଇ ଚର୍ଚ୍ଚା ହେଉଛି। ଲାଦେନ ମଧ୍ୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ପ୍ରତିଷ୍ଠାତା ଥିଲା।
ବିଶ୍ବ କୁଟନୀତି ଉପରେ ପ୍ରଭାବ
ମୁନିରଙ୍କ ବୟାନ ଆମେରିକା ଓ ପାକିସ୍ତାନ ସଂପର୍କ ଉପରେ ପ୍ରଶ୍ନ ଉଠାଇଛି। ପାକିସ୍ତାନକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଘୋଷଣା କରିବାକୁ ରୁବିନଙ୍କ ପରି ବିଶେଷଜ୍ଞ ଦାବି କରିଛନ୍ତି। ମୁନିରଙ୍କୁ ନେଇ ଭାରତ ଓ ଆମେରିକା ସଂପର୍କରେ ଦୂରତା ବଢିଛି। ଏପରିକି ଏହାଦ୍ବାରା ଦକ୍ଷିଣ ଏସିଆରେ ନୂଆ କୁଟନୈତିକ ସଂପର୍କ ଗଢି ଉଠିପାରେ। ଲାଦେନ ପାଇଁ ଆମେରିକା ଓ ଅନ୍ୟ ଦେଶର କୁଟନୀତି ପ୍ରଭାବିତ ହୋଇଥିଲା। ଲାଦେନ ଯୋଗୁଁ ହିଁ ଆଫଗାନିସ୍ତାନରେ ଯୁଦ୍ଧ ଓ ବିଶ୍ବ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ତେଣୁ ଉଭୟ ଲାଦେନ ଓ ମୁନିରଙ୍କ ବୟାନ ବିଶ୍ବ କୁଟନୀତିକୁ ପ୍ରଭାବିତ କରିଛି।
ମୁନିର ହୁଅନ୍ତୁ କି ଲାଦେନ, ଉଭୟ ଧର୍ମର ସାହାରା ନେଇ ଟାର୍ଗେଟକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି। ମୁନିରଙ୍କ ବୟାନରେ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। ସେହିପରି ଲାଦେନ ମଧ୍ୟ ଧର୍ମକୁ ସାହାରା କରି ପଶ୍ଚିମ ସଭ୍ୟତା ବିରୋଧରେ ହିଂସାକୁ ଯୁକ୍ତିଯୁକ୍ତ ଦର୍ଶାଉଥିଲା।
Comments are closed.