Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୩୧: ବୃନ୍ଦାବନ ଲୀଳା ସ୍ମରଣ ମାତ୍ରେ କୃଷ୍ଣ ଭାବ ଗ୍ରସ୍ତ ହୋଇ ମୁର୍ଚ୍ଛିତ ହୋଇପାରନ୍ତି, ଏହାହିଁ ମହାଭାବର ପ୍ରଭାବ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗୋପୀ ଭାବ ଏହା ଶିକ୍ଷା ଦିଏ ଯେ ଦ୍ଵାରକାପୂରର ଐଶ୍ୱର୍ଯ୍ୟ କୋଳରେ ଅଷ୍ଟ ପାଟବଂଶୀଙ୍କର ଦୈହିକ ପ୍ରେମ ବନ୍ଧନ ମଧ୍ୟ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ବାନ୍ଧି ପାରିନଥିଲା, ଶ୍ରମଦ ଭାଗବତ କହେ ସେ ସର୍ବଦା ଗୋପୀ ମାନଙ୍କ ପ୍ରେମ ଭକ୍ତି ତାଙ୍କୁ ଆକୃଷ୍ଟ କରିଥାଏ। ଦ୍ଵାରକାର ଅଷ୍ଟପାଟବଂଶୀ ମାନଙ୍କର ପ୍ରେମଭକ୍ତି ଭାବ ସ୍ତରକୁ ନଛୁଇଁ କେବଳ ମହାଭାବ ପ୍ରକଟ କରିବାରେ ସକ୍ଷମ ଅଟେ।

ତେଣୁ ଉଜ୍ବଳ ନୀଳମଣି ନାମକ ଗ୍ରନ୍ଥରେ ସୁନ୍ଦର ବର୍ଣନା ଅଛି “ମୁକୁନ୍ଦ ମହିଷୀ ବୃନ୍ଦେରପ୍ୟ ସାବତି ଦୁର୍ଲ୍ଲଭଃ, ବ୍ରଜଦେବ୍ୟେକ ସଂବେଦ୍ୟୋ ମହାଭାବଖ୍ୟୟୋଚ୍ୟତେ।।
ଅବଶ୍ୟ ଏହି ମହାଭାବ ଦୁଇ ପ୍ରକାର ହୋଇଥାଏ, ଅର୍ଥାତ ମହାଭାବର ପ୍ରଥମ ସୋପାନ ଓ ଶେଷରେ ଅଧିରୁଢ଼ ମହାଭାବ। ଦ୍ଵାରକାର ମହିଷୀ ମାନେ ଏହି ମହାଭାବର ପ୍ରଥମ ସୋପାନ ପର୍ଯ୍ୟନ୍ତ ପହଂଚି ପାରନ୍ତି, କିନ୍ତୁ ଅଧିରୁଢ଼ ମହାଭାବ ର ସ୍ତର କୁ ଛୁଇଁବା ତାଙ୍କ ପାଇଁ ଅସମ୍ଭବ ହୋଇଥାଏ. ଆମେ ଏହି ମହାଭାବ କୁ ଭଲରେ ବୁଝିବା ପାଇଁ ସାଧକ ଭକ୍ତ ମାନଙ୍କ ସାଧନାର ସ୍ତର କୁ ବୁଝିବା। ଏହି ଭାବ ସାଧନା ସ୍ତର ଗୁଡିକ ହେଲା, ଶ୍ରଦ୍ଧା, ସାଧୁ ସଙ୍ଗ,
ଭଜନ, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି, ଭାବ ଓ ପ୍ରେମ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-130-like-the-gopis-always-keep-lord-krishna-in-your-heart/

ଜଣେ ସାଧକ ଏହି ପ୍ରେମ ପର୍ଯ୍ୟନ୍ତ ଯାଇପାରେ, ତାଠାରୁ ଅଧିକ ସ୍ତରକୁ ନୁହେଁ, ତେଣୁ ଏହାକୁ ମହାଭାବର ପ୍ରଥମ ସୋପାନ କୁହାଯାଏ। କିନ୍ତୁ ବ୍ରଜ ଗୋପୀ ଗଣ ଅଧିରୁଢ଼ ମହାଭାବ ସାଧନ କରନ୍ତି ଅର୍ଥାତ ଉପରୋକ୍ତ ସୋପାନ ଅତିକ୍ରମ କରି, ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ ଓ ଆତ୍ମିକ ଭାବ ପ୍ରକଟ, ଏହିସବୁ ଲକ୍ଷଣ ଆମେ ଶ୍ରୀରାଧା, ଲଳିତା, ବିଶାଖା ପ୍ରଭୃତି ଗୋପୀ ଗଣଙ୍କ ପାଖରେ ଦେଖିଥାଉ। କିନ୍ତୁ ଦ୍ୱାରିକାର ଅଷ୍ଟ ପାଟବଂଶୀ ମାନଙ୍କ ପାଖରେ ଏହି ଭାବ ପ୍ରକଟ ହୋଇ ନଥାଏ ସେମାନେ ଉପର ବର୍ଣିତ ପ୍ରଥମ ସୋପାନ ପର୍ଯ୍ୟନ୍ତ ହିଁ ଯାଇଥାନ୍ତି। ସେହି ଉଜ୍ୱଳ ନୀଳମଣୀ ବର୍ଣିତ ଗୋଟିଏ ଉପାଖ୍ୟାନ ଏହାର ସୁନ୍ଦର ବ୍ୟାଖ୍ୟା କରେ।

ଉପାଖ୍ୟାନଟି ଏହିପରି, ଏକଦା ଦ୍ୱାରକାରେ ରୁକ୍ମିଣୀଙ୍କ ସହିତ ରତ୍ନ ମନ୍ଦିରରେ ବିରାଜିତ ଶ୍ରୀକୃଷ୍ଣଙ୍କ ନାନା ବର୍ଣ ମଣି ସମୂହର କିରଣରେ ପ୍ରାସାଦ ସଂଲଗ୍ନ ସମୁଦ୍ରକୁ ଦର୍ଶନ କରି, ଶ୍ରୀକୃଷ୍ଣ ଏତେ ଭାବ ବିହ୍ଵଳ ହୋଇଗଲେ ଯେ ତାଙ୍କର ଯମୁନା କୂଳରେ ଶ୍ରୀରାଧାଙ୍କ ସହ କୁଞ୍ଜ ଲୀଳା ସ୍ମରଣ ହୋଇଗଲା। ବୃନ୍ଦାବନର ଲୀଳା ସ୍ମରଣ ମାତ୍ରେ ମହାଭାବରେ ଆକ୍ରାନ୍ତ ହୋଇ ଶ୍ରୀକୃଷ୍ଣ ମୁର୍ଚ୍ଛା ଗଲେ। ଏହି ଘଟଣାଟି ସାମାନ୍ୟ ନୁହେଁ ବୃନ୍ଦାବନ ଲୀଳା ସ୍ମରଣ ମାତ୍ରେ କୃଷ୍ଣ ଭାବ ଗ୍ରସ୍ତ ହୋଇ ମୁର୍ଚ୍ଛିତ ହୋଇପାରନ୍ତି, ଏହାହିଁ ମହାଭାବର ପ୍ରଭାବ ଓ ପ୍ରମାଣିତ କରେ ଯେ ବୃନ୍ଦାବନ ଲୀଳା, ଦ୍ଵାରକା ଲୀଳା ଠାରୁ ନିଶ୍ଚିତ ଭିନ୍ନ ଓ ଶ୍ରେଷ୍ଠ।

ଯଥା”ରତ୍ନ ଛାୟାଛୁରିତ ଜଳଦୌ ମନ୍ଦିରେ ଦ୍ୱାରାକାୟାଃ, ରୁକ୍ମିଣ୍ୟାପି ପ୍ରବଳ ପୁଲକୋଭବମାଲିଙ୍ଗି ତସ୍ୟ ବିଶ୍ୱଂ ପାୟାନୁସୃଣ ଯମୁନା ତୀରବାନୀର। କୁଞ୍ଜେ, ରାଧାକେଳିଭର ପରିମଳ ଧ୍ୟାନମୁର୍ଚ୍ଛା ମୂରାରେଃ।।
ଅର୍ଥାତ ଯାହାର ରତ୍ନ ମାଳାର କାନ୍ତି ଦ୍ୱାରା ସମୁଦ୍ର ସମୁଭାସିତ ହୋଇଥାଏ, ଏଭଳି ଦ୍ଵାରକାର ରତ୍ନ ମନ୍ଦିରରେ ରୁକ୍ମିଣୀଙ୍କ ଦ୍ୱାରା ଆଲିଙ୍ଗୀତ ଓ ପୁଲକାଞ୍ଚିତ ଶ୍ରୀକୃଷ୍ଣ ବୃନ୍ଦାବନ ସ୍ଥିତ ଯମୁନା ତୀରବର୍ତ୍ତୀ ବେତସ ଲତା ବିମଣ୍ଡିତ କୁଞ୍ଜ ମନ୍ଦିରରେ ଶ୍ରୀରାଧାଙ୍କ ସହ କେଳି ବିନୋଦ ଆଦି ଧ୍ୟାନ କରି ବା ସ୍ମରଣ କରି ମୁର୍ଚ୍ଚିତ ହୋଇଗଲେ। ଆସନ୍ତୁ ତେବେ ସେହି ପ୍ରେମ ଭକ୍ତିର ଠାକୁର ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.