ଶ୍ରୀନଗର:ଜମ୍ମୁ କାଶ୍ମୀରରେ ପ୍ରକୃତି ପୁଣି ଥରେ ତାଣ୍ଡବ ରଚିଛି। କିସ୍ତୱାର ପରେ କାଠୁଆରେ ମଧ୍ୟ ଫାଟିଲା ବାଦଲ । ଯୋଧ ଭ୍ୟାଲି, ଚନ୍ଦ୍ରାହ ଭେଡ ବଲୋରେ, ବଗରା ଜଙ୍ଗଲୋତେ ଏବଂ ଦିଲୱାନ ହଟଲି ଲଖନପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଜୀବନ ଏବଂ ବ୍ୟାପକ ସମ୍ପତ୍ତିର କ୍ଷତି ହୋଇଛି।
ଏହି ବିପର୍ଯ୍ୟୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସ୍ଥାନୀୟ ପ୍ରଶାସନ ଏବଂ ରିଲିଫ୍ -ଉଦ୍ଧାର ଦଳ ଛଅ ଜଣଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛନ୍ତି। ଏଥିରେ ରେଳ ଲାଇନ ଏବଂ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । କାଠୁଆ ପୋଲିସ ଷ୍ଟେସନ ମଧ୍ୟ ପ୍ରଭାବିତ ହୋଇଛି।
କାଠୁଆ ର ରାଜବାଗ ଅଞ୍ଚଳର ଯୋଧ ଗାଁରେ ସବୁଠାରୁ ଅଧିକ କ୍ଷତି ହୋଇଛି, ଯେଉଁଠାରେ ବାଦଲ ଫଟା ବର୍ଷା ପରେ ଅନେକ ଘର କ୍ଷତିଗ୍ରସ୍ତ କରିଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅନୁଯାୟୀ, ହଠାତ୍ ବନ୍ୟା ଆସିଥିଲା । SDRF ଏବଂ ପୋଲିସ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ପ୍ରଶାସନ କହିଛି ଯେ, ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ସେମାନଙ୍କର ପ୍ରାଥମିକତା।
କାଠୁଆ ଜିଲ୍ଲାର ଏହି ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ନଦୀ ଏବଂ ଝରଣାରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଏହା ଯୋଗୁଁ ଅନେକ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି ଏବଂ ଲୋକମାନେ ଗାଁକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ସତର୍କ ସୂଚନା ଜାରି କରିଛି ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।
ଗତ ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର କିସ୍ତୱାରର ଚଶୋଟିରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ଷାଠିଏ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇ ଜଣ CISF ଯବାନ ମଧ୍ୟ ଅଛନ୍ତି । ଏବେବି ପ୍ରାୟ ଦୁଇଶହ ଲୋକ ନିଖୋଜ ଅଛନ୍ତି ବୋଲି ଜଣାପଡିଛି।
Comments are closed.