ନୂଆଦିଲ୍ଲୀ: ସୋମବାର ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିଛନ୍ତି । ପୂର୍ବ ସାକ୍ଷାତକାର ଅପେକ୍ଷା ଏଥର ପରିବେଶ ବେଶ୍ ସକରାତ୍ମକ ରହିଥିବା ବେଳେ ଜେଲେନସ୍କିଙ୍କୁ ସ୍ବାଗତ ବେଳେ ପ୍ରଶଂସା କରିଥିଲେ ଟ୍ରମ୍ପ । ଆଉ ଓଭାଲ ଅଫିସରେ ବୈଠକରେ ଏଥର କଳା ଜ୍ୟାକେଟ ସହ ସୁଟ୍ ପିନ୍ଧିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଗତଥର ପାଇଁ ସୁଟ ପିନ୍ଧି ନଯିବାରୁ ସମାଲୋଚନାର ଶିକାର ହୋଇଥିବା ବେଳେ ଏଥର କିନ୍ତୁ ପରିଧାନ ପାଇଁ ପ୍ରଶଂସିତ ହୋଇଛି ।
ଯୁଦ୍ଧ ବିରତି ନେଇ ଗମ୍ଭୀର ଆଲୋଚନା ସମୟରେ ହ୍ବାଇଟ ହାଉସରେ ଜଣେ ଆମେରିକୀୟ ସାମ୍ବାଦିକ ଜେଲେନସ୍କିଙ୍କ ପୋଷାକ ନେଇ ପ୍ରଶଂସା କରିଥିବା ବେଳେ ଏଥିରେ ସହମତି ପ୍ରକାଶ କରିଥିଲେ ଟ୍ରମ୍ପ । କିନ୍ତୁ ଏହାପରେ ୟୁକ୍ରେନୀୟ ରାଷ୍ଟ୍ରପତି ଯାହା ଜବାବ ରଖିଥିଲେ ତାହା ପୂରା ପରିବେଶକୁ ହାଲୁକା କରିଥିବା ବେଳେ ହସ ଫୁଟି ଉଠିଥିଲା । ଆମେରିକୀୟ ସାମ୍ବାଦିକ ଜେଲେନସ୍କିଙ୍କୁ ମନେ ପକାଇ ଦେଲେ ଯେ ଯେତେବେଳେ ଆପଣ ଫେବୃଆରୀରେ ଟ୍ରମ୍ପଙ୍କୁ ଭେଟିବାକୁ ୱାଶିଂଟନ ଆସିଥିଲେ, ଆପଣ ସୁଟ୍ ପିନ୍ଧି ନଥିଲେ। କେବଳ ଗଣମାଧ୍ୟମ ନୁହେଁ ଆମେରିକୀୟ ନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ଏଥର ଆପଣ କଳା ସୁଟ୍ ପିନ୍ଧିଛନ୍ତି ଏବଂ ବହୁତ ଭଲ ଦେଖାଯାଉଛନ୍ତି । ଏହାର ପ୍ରତିକ୍ରିୟାରେ ସଙ୍ଗେ ସଙ୍ଗେ ଟ୍ରମ୍ପ ମଧ୍ୟ କହିଥିଲେ, ଯେ ହଁ ମୁଁ ମଧ୍ୟ ତାଙ୍କୁ ସମାନ କଥା କହୁଥିଲି । ଆଉ ଜେଲେନ୍ସକିଙ୍କ ଆଡ଼କୁ ଏକ ମଜାଳିଆ ଢଙ୍ଗରେ ଇଙ୍ଗିତ କରି ଟ୍ରମ୍ପ କହିଥିଲେ ଯେ ଇଏ ସେହି ରିପୋର୍ଟର ଯିଏ ଫେବୃଆରୀରେ ଡ୍ରେସ୍ ପାଇଁ ଆପଣଙ୍କୁ ଟାର୍ଗେଟ କରିଥିଲେ । ଏହା ଉପରେ ଜେଲେନ୍ସକି ହସି କହିଲେ ଯେ ମୁଁ ତାଙ୍କୁ ଚିହ୍ନି ପାରିଛି। ଏହା ପରେ ଜେଲେନ୍ସକି ହସି କହିଲେ ଯେ, ମୁଁ ମୋ ପୋଷାକ ବଦଳାଇଛି, କିନ୍ତୁ ଆପଣ ନୁହେଁ । ଆପଣ ସେହି ସମାନ ସୁଟ୍ ପିନ୍ଧୁଛନ୍ତି। ଆପଣ ଫେବୃଆରୀରେ ଏହି ସମାନ ସୁଟ୍ ପିନ୍ଧିଥିଲେ ବୋଲି କହି ଏକ ପ୍ରକାର ମଜାକ୍ ଉଡାଇଥିଲେ ଜେଲେନସ୍କି । ଯାହା ପରେ ଟ୍ରମ୍ପ ଏବଂ ଅନ୍ୟ ସାମ୍ବାଦିକମାନେ ଏଥିରେ ହସି ପକାଇଥିଲେ ।
ତେବେ କହିରଖୁଛୁ, ଜେଲେନ୍ସକି ସାଧାରଣତଃ ଯୁଦ୍ଧକ୍ଷେତ୍ରର ଖାକି ପୋଷାକରେ ଦେଖାଯାଆନ୍ତି । ଗତ ଥର ବୈଠକରେ ଉକ୍ତ ରିପୋର୍ଟର ଜଣଙ୍କ ତାଙ୍କ ପରିଧାନ ପାଇଁ ତାଙ୍କୁ ପ୍ରଶ୍ନ କରିଥିଲେ । ଏଥିସହିତ ଏଥର ଟ୍ରମ୍ପଙ୍କ ସହ ସାକ୍ଷାତକାର ପୂର୍ବରୁ ଜେଲେନସ୍କିଙ୍କୁ ଏହା ମଧ୍ୟ ପଚରା ଯାଇଥିଲା ଯେ ସେ କ’ଣ ପିନ୍ଧୁଛନ୍ତି । କିନ୍ତୁ ସୋମବାର ଦିନ, ଆମେରିକା ରାଷ୍ଟ୍ରପତିଙ୍କ ସହ ଏକ ବୈଠକରେ, ସେ ଏକ ଆକର୍ଷଣୀୟ କଳା ସୁଟ୍ ପିନ୍ଧଥିଲେ । ଯେତେବେଳେ ଜେଲେନ୍ସକି ଏବଂ ଟ୍ରମ୍ପ ଗଣମାଧ୍ୟମ ସହିତ କଥା ହେଉଥିଲେ, ସେତେବେଳେ ରିପୋର୍ଟର କହିଥିଲେ ଯେ ରାଷ୍ଟ୍ରପତି ଜେଲେନ୍ସକି, ଆପଣ ଏହି ସୁଟ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଟ୍ରମ୍ପ ତୁରନ୍ତ ପରିହାସ କରି କହିଲେ ଯେ ମୁଁ ଜେଲେନ୍ସକିଙ୍କ ସୁଟ୍ ମଧ୍ୟ ପ୍ରଶଂସା କରିଛି।
ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଜେଲେନ୍ସକି କହିଥିଲେ ଯେ ତାଙ୍କର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏକ ଦୀର୍ଘ ଏବଂ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ସୁରକ୍ଷା ଗ୍ୟାରେଣ୍ଟି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସେ କହିଥିଲେ ଯେ ଆମେରିକା ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟିକୁ ସମର୍ଥନ କରିଛି। ଏହା ବ୍ୟତୀତ, ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କ ମୁକ୍ତି ଉପରେ ମଧ୍ୟ ଭଲ ଆଲୋଚନା ହୋଇଛି। ଜେଲେନ୍ସକି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ସମ୍ବେଦନଶୀଳ ପ୍ରସଙ୍ଗ ସମାଧାନ ପାଇଁ ଏକ ବୈଠକକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକକୁ ସମର୍ଥନ କରିଛନ୍ତି। ସେ ଏକ ତ୍ରିପାକ୍ଷିକ ବୈଠକ ପାଇଁ ମଧ୍ୟ ପ୍ରସ୍ତୁତ। ତଥାପି, ତାଙ୍କ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
Comments are closed.