Latest Odisha News

BREAKING NEWS

ସୁନା ପୁଅ ଶୁଭାଂଶୁଙ୍କୁ ଭେଟିଲେ ମୋଦି: ପଚାରିଲେ, ‘ମୁଁ ଦେଇଥିବା ହୋମଓ୍ବର୍କ କରିଛ କି?’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଭାରତ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିବା ସମୟରେ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଯେଉଁଥିରେ ସେ ଶୁଭାଂଶୁ ଶୁକ୍ଳାଙ୍କୁ ମହାକାଶ କେନ୍ଦ୍ରରେ ଦିଆଯାଇଥିବା ତାଙ୍କର ହୋମଓ୍ବର୍କ କେତେବାଟ ଯାଇଛି ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଶୁକ୍ଲା ଆକ୍ସିଅମ୍-୪ ମିଶନର ଅଂଶ ଭାବରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ତାଙ୍କର ମହାକାଶ ଯାତ୍ରା, ମାଇକ୍ରୋଗ୍ରାଭିଟି ପରିସ୍ଥିତି ସହିତ ମୁକାବିଲା ଏବଂ କକ୍ଷ ପ୍ରୟୋଗଶାଳାରେ କରାଯାଇଥିବା ପରୀକ୍ଷଣ ବିଷୟରେ ତାଙ୍କର ଅଭିଜ୍ଞତା ମଧ୍ୟ ବାଣ୍ଟିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ଶୁକ୍ଲାଙ୍କ ଆଲୋଚନାର ଏହି ଭିଡିଓ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି । ଯେଉଁଥିରେ ଶୁକ୍ଲା କହିଛନ୍ତି, ଲୋକମାନେ ଭାରତର ଗଗନଯାନ ମିଶନକୁ ନେଇ ବହୁତ ଉତ୍ସାହିତ । ମୋର ଅନେକ କ୍ରୁ ସାଥୀ (Axiom-4 ମିଶନର) ଲଞ୍ଚ ବିଷୟରେ ଜାଣିବାକୁ ଚାହାଁନ୍ତି । ସାରା ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନେ ଏଥିରେ ସାମିଲ ହେବାକୁ ଆଗ୍ରହୀ । ଏଥିସହିତ ମୋଦି ଶୁଭାଂଶୁ ଶୁକ୍ଳାଙ୍କୁ ତାଙ୍କ ହୋମଓ୍ବର୍କ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଗଗନଯାନ ମିଶନକୁ ଆଗକୁ ବଢ଼ାଇବା, ଜଣେ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବା ଏବଂ ଭାରତର ନିଜସ୍ୱ ମହାକାଶ ଷ୍ଟେସନ ନିର୍ମାଣ କରିବାରେ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବାର ହୋମଓ୍ବର୍କ ଦେଇଥିଲେ। ଯାହା ଶୁଳ୍କା ପୂରଣ କରିଛନ୍ତି କି ନାହିଁ ମୋଦି ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଶୁଭାଂଶୁଙ୍କ ମହାକାଶ ମିଶନ (Axiom-4) ଅଭିଜ୍ଞତା ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ବହୁତ ଉପଯୋଗୀ ହେବ। ଏଥିସହିତ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୁକ୍ଲାଙ୍କୁ କହିଥିଲେ ଯେ ଭାରତର ମହାକାଶ ମିଶନ ପାଇଁ ଆମକୁ ୪୦-୫୦ ଜଣ ମହାକାଶଚାରୀଙ୍କ ଏକ ଗୋଷ୍ଠୀର ଆବଶ୍ୟକତା ଅଛି। ଆପଣଙ୍କ ଅଭିଜ୍ଞତା ଆମର ଗଗନଯାନ ମିଶନ ପାଇଁ ମୂଲ୍ୟବାନ ହେବ ।

ତେବେ କହିରଖୁଛୁ, ଭାରତ ୨୦୨୭ ମସିହାରେ ପ୍ରଥମ ମାନବଯୁକ୍ତ ମହାକାଶଯାନ ପଠାଇବାକୁ ଏବଂ ୨୦୩୫ ସୁଦ୍ଧା ନିଜର ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରିଛି । ଭାରତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ତାର ମହାକାଶଚାରୀଙ୍କୁ ଅବତରଣ କରିବାକୁ ମଧ୍ୟ ଯୋଜନା କରିଛି । ଯେଉଁଥିରେ ଶୁଭାଂଶୁଙ୍କ ଆଇଏସଏସ ଯାତ୍ରା ପ୍ରଥମ ପଦକ୍ଷେପ ବୋଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Comments are closed.